ରାସ୍ତା ପାଇଁ ବଳିପଡ଼ିଲା ଶହ ଶହ ଗଛ

ମେଣ୍ଢାଶାଳ: ରାଜଧାନୀର କଳେବର ବୃଦ୍ଧି ପାଉଛି। ଦ୍ରୁତ ସହରୀକରଣ ହେଉଛି। ଚାରିଆଡ଼େ କଂକ୍ରିଟ ଜଙ୍ଗଲ ରାଜଧାନୀକୁ ଆଚ୍ଛାଦିତ କରିବାରେ ଲାଗିଲାଣି। ହଜିଗଲାଣି ସବୁଜିମା। ସଡ଼କ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାପାଇଁ ପରିବେଶକୁ ବଳି ପକାଉଛି ଜଙ୍ଗଲ ବିଭାଗ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠ ଚନ୍ଦକା ଅଞ୍ଚଳରେ। ଚନ୍ଦକାଠାରୁ ପିତାପଲ୍ଲୀ ପୁରୁଣା ଗ୍ରାଣ୍ଡ ଟ୍ରଙ୍କ ରୋଡର ଉଭୟ ପାର୍ଶ୍ବରେ ରହିଛି ହଜାର ହଜାର ଆମ୍ବଗଛ। ଗଛରୁ ପ୍ରଚୁର ପରିମାଣର ଆମ୍ବ ମିଳୁଥିବା ବେଳେ ଖରାଦିନେ ପଥଚାରୀଙ୍କୁ ଶୀତଳ ଛାଇ ଦେଇଥାଏ। ରାସ୍ତାରେ ଥିବା ଏହି ଧାଡ଼ିଧାଡ଼ି ଆମ୍ବଗଛ ଏବେ ତା’ର ପରିଚୟ ହଜାଇବାକୁ ବସିଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ଏକ ହଜାର ଆମ୍ବଗଛ କାଟିବା ପାଇଁ ବନ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ଏନେଇ ବନ ବିଭାଗ ପକ୍ଷରୁ ଗଛକଟା ଅଭିଯାନ ମଧ୍ୟ ଆରମ୍ଭ ହୋଇଗଲାଣି। ପ୍ରଥମ ପର୍ଯ୍ୟାୟରେ ଏକ ଶହ ଆମ୍ବଗଛ କଟା ସରିଲାଣି। ଚନ୍ଦକା ଠାରୁ ପାଣିଓରା ପର୍ଯ୍ୟନ୍ତ ରାସ୍ତାକୁ ଲାଗି ରହିଥିବା ଗ୍ରାମଗୁଡିକୁ ବନ ବିଭାଗ ଆମ୍ବଗଛକୁ ନିଲାମ କରି ଦେଉଛି। ଗାଁ କମିଟି ବନ ବିଭାଗଠାରୁ ଗଛ ନେଇ ଲୋକଙ୍କୁ ବିକ୍ରି କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏବେ ଏହି ରାସ୍ତାର ଦୁଇ କଡ଼ରେ ପ୍ରାୟ ୧ ହଜାର ଆମ୍ବଗଛ ରହିଛି। ବ୍ରିଟିଶ ଅମଳର ଏହି ଆମ୍ବଗଛ ଗୁଡ଼ିକର ବୟସ ପାଖାପାଖି ୨ଶହ ବର୍ଷ ହେବ ବୋଲି ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କୁହନ୍ତି। ଅନେକ ଏହାକୁ ମୋଗଲ ସମ୍ରାଟ ଶେର ଶାହ ସୁରୀଙ୍କ ଅମଳର ଗଛ ବୋଲି କୁହନ୍ତି। ତେଣୁ କାହିଁ କେଉଁ କାଳରୁ ରହିଥିବା ଏହି ଆମ୍ବଗଛକୁ ନେଇ ସ୍ଥାନୀୟ ଲୋକମାନେ ଗର୍ବ ଅନୁଭବ କରନ୍ତି। ଏବେ ବି ଗଛଗୁଡ଼ିକରେ ପ୍ରଚୁର ଆମ୍ବ ହୋଇଛି। ଆମ୍ବ ସରିଲେ ଗଛ କାଟିବା ପାଇଁ ଲୋକମାନେ କହୁଥିବା ବେଳେ ନୂତନ ଗଛ ଲଗାଇବା ପାଇଁ ମଧ୍ୟ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର