ହଜାରେ କୋଟି ପାଇଁ ଯୋଜନା ଚୂଡ଼ାନ୍ତ: ୧୧ମୁଖ୍ୟ ଡ୍ରେନ୍ ପୁନରୁଦ୍ଧାର ପାଇଁ ୩୦୬.୫୪କୋଟି

ଭୁବନେଶ୍ବର: ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଡ୍ରେନେଜ୍ ବ୍ୟବସ୍ଥା ସୁଧୁରିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ନିର୍ବାଚନ ପୂର୍ବରୁ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କରିଥିଲେ। ଘୋଷଣାକୁ ୪ମାସ ବିତିବା ପରେ ଏବେ ବିଏମ୍‌ସି ଟଙ୍କା ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛି। କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହେବ ତା’ର ତାଲିକା ପ୍ରସ୍ତୁତ କରାଯାଇଛି। ଡ୍ରେନେଜ୍ ବ୍ୟବସ୍ଥା ସୁଧାରିବାକୁ ୧୧ଟି ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର କଲେ କେତେ ଖର୍ଚ୍ଚ ହେବ, ଡ୍ରେନ୍ ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣ ବାବଦକୁ କେ‌େତ ଟଙ୍କା ଖର୍ଚ୍ଚ ହେବ, କେଉଁଠି କେତେ ଜମି ଅଧିଗ୍ରହଣ ହେବ, ମୁଖ୍ୟ ଡ୍ରେନ୍‌କୁ ସଂଯୋଗ କରୁଥିବା ବିଏମ୍‌ସିର ଡ୍ରେନ୍‌ଗୁଡ଼ିକର ମରାମତି ପାଇଁ କେତେ ଖର୍ଚ୍ଚ ହେବ, ତା’ର ତାଲିକା ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର ଏହାକୁ ନଗର ଉନ୍ନୟନ ବିଭାଗକୁ ପଠାଯିବ। ଏହାପରେ ରାଜ୍ୟ ସରକାର ଅର୍ଥ ଦେଲେ କାମ ଆରମ୍ଭ ହେବ।

ବିଏମ୍‌ସି ହିସାବ ଅନୁଯାୟୀ, ୧୧ଟି ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ୩୦୬ କୋଟି ୫୪ ଲକ୍ଷ, ୬୦ ଏକର ଜମି ଅଧିଗ୍ରହଣ ପାଇଁ ୬୨୦ କୋଟି ୯୫ ଲକ୍ଷ ୭୦ ହଜାର, ୧୯୭ଟି ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ନିର୍ମାଣ ଓ ମରାମତି ପାଇଁ ୭୨କୋଟି ୫୦ଲକ୍ଷ ୩୦ହଜାର ଟଙ୍କା ଖର୍ଚ୍ଚ ହେବ। ରାଜଧାନୀରେ ଥିବା ୧୦ଟି ମୁଖ୍ୟ ଡ୍ରେନ୍ ଏବଂ ଦୁଇଟି ଶାଖା ଡ୍ରେନ୍‌କୁ ମିଶାଇ ଗୋଟିଏ ମୁଖ୍ୟ ଡ୍ରେନ୍ ଭାବେ ହିସାବ କରାଯାଇଛି। ୧୦ଟି ଯାକ ମୁଖ୍ୟ ଡ୍ରେନ୍‌ ଏବେ ଜବରଦଖଲରେ ଥିବା ବେଳେ କେତେକ ସ୍ଥାନରେ ଘରୋଇ ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏହାବାଦ୍ ମୁଖ୍ୟ ଡ୍ରେନ୍‌ର ପାଚେରି, ଏହାକୁ ସଂପୂର୍ଣ୍ଣ ସଫା କରିବା ଭଳି କାମ ଅଛି। ମୁଖ୍ୟ ଡ୍ରେନ୍‌ର ଉତ୍ପତ୍ତିସ୍ଥଳରୁ ଆରମ୍ଭ କରି ଗଙ୍ଗୁଆ, ଦୟା ୱେଷ୍ଟ କେନାଲ ଓ ବୁଢ଼ି ନାଳରେ ମିଶିବା ପର୍ଯ୍ୟନ୍ତ ଡ୍ରେନ୍‌ର ପୁନରୁଦ୍ଧାର କରାଯିବ। ଟଙ୍କା ମିଳିଲେ ଦୁଇ ବର୍ଷ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଜମି ଅଧିଗ୍ରହଣ ପାଇଁ ଦରକାର ୬୨୧‌‌କୋଟି
ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଥିଲେ

୧୧ଟି ଯାକ ମୁଖ୍ୟ ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ପ୍ରାୟ ୬୦ଏକର ଜମି ଅଧିଗ୍ରହଣ କରିବାକୁ ପଡ଼ିବ। ଏକର ପିଛା ହାରାହାରି ୧୦କୋଟି ଖର୍ଚ୍ଚ ହେବ। ଯେଉଁ ଅଞ୍ଚଳରେ ଜମିର ବେଞ୍ଚମାର୍କ ମୂଲ୍ୟ ଯେତେ ଥିବ ସେହି ଅନୁସାରେ ଅର୍ଥ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ କିନ୍ତୁ ଘରୋଇ ଜମିରେ ଘର ନିର୍ମାଣ ହୋଇଥିଲେ ତାହାକୁ ଭଙ୍ଗାଯିବ। ଏ େକ୍ଷତ୍ରରେ କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯିବ ସେ ହିସାବ ସାମିଲ୍‌ ହୋଇନି।

କେଉଁ ଡ୍ରେନ୍‌ ପାଇଁ କେତେ ଜମି ଅଧିଗ୍ରହଣ ହେବ
ଡ୍ରେନ୍‌ ନ˚-୧ ବା ଫରେଷ୍ଟ ଲେକ୍/ପଟିଆ ଡ୍ରେନ୍ ଚନ୍ଦ୍ରଶେଖରପୁରରୁ ବାହାରି ମଞ୍ଚେଶ୍ବର ନିକଟରେ ଦୟାେଵଷ୍ଟ କେନାଲରେ ପଡ଼ିଛି। ଏଥିରେ ଏବେ ୧,୭୦,୦୦,୦୦୦ଲିଟର ପାଣି ବହୁଛି। ଏହି ଡ୍ରେନ୍ ପୁନରୁଦ୍ଧାର ପାଇଁ ୧୧.୦୭୫ଏକର ଜମି ଅଧିଗ୍ରହଣ ହେବ। ସୈନିକ ସ୍କୁଲ ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୨ ସୈନିକ ସ୍କୁଲରୁ ବାହାରି ଡ୍ରେନ୍‌ ନ˚-୩ରେ ରେଲେଵ ଓଭରବ୍ରିଜ୍‌ ନିକଟରେ ମିଶିଛି। ଏହାପରେ ଏହା ପଳାସୁଣି ନିକଟରେ ଗଙ୍ଗୁଆରେ ମିଶିଛି। ଏଥିରେ ଯଥାକ୍ରମେ ୧୫,୫୦,୦୦୦ଲିଟର ଏବ˚ ୩୫,୫୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ଡ୍ରେନ୍ ନଂ-୨ ପାଇଁ ୦.୪୬୨ଏକର ଏବଂ ଡ୍ରେନ୍ ନଂ-୩ ପାଇଁ ୬.୪୧୫ଏକର ଜମି ଅଧିଗ୍ରହଣ ହେବ। ବାଣୀବିହାର ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୪ ଭରତପୁର ସ˚ରକ୍ଷଣ ଜଙ୍ଗଲରୁ ବାହାରି ଆଚାର୍ଯ୍ୟ ବିହାର, ବାଣୀବିହାର ହୋଇ ଦୟାେଵଷ୍ଟ କେନାଲରେ ପଡ଼ିଛି। ଏଥିରେ ୧୬,୪୦୦,୦୦୦ଲିଟର ପାଣି ନିଷ୍କାସନ ହେଉଛି। ଏହାର ପୁନରୁଦ୍ଧାର ପାଇଁ ୭.୮୩୯ ଏକର ଜମି ଅଧିଗ୍ରହଣ ହେବ।
ଲକ୍ଷ୍ମୀସାଗର ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୫ ଜନପଥରୁ ବାହାରି ଗଙ୍ଗୁଆରେ ମିଶିଛି। ଏଥିରେ ଏବେ ୪୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। ଏହା ଚିନ୍ତାମଣିଶ୍ବର ଓ ଲକ୍ଷ୍ମୀସାଗର ଅଞ୍ଚଳ ପାଇଁ ଦୁଃଖର କାରଣ ପାଲଟିଛି। ଏହାର ପୁନରୁଦ୍ଧାର ପାଇଁ ୨.୭୨୧ଏକର ଜମି ଅଧିଗ୍ରହଣ ହେବ।

ବଡ଼ଗଡ଼ ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୬ରେ ୩୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। ଏହାଦ୍ବାରା ବଡ଼ଗଡ଼, କଳ୍ପନା ଆଦି ଅଞ୍ଚଳରେ ଲୋକ ଜଳବନ୍ଦୀ ହେଉଛନ୍ତି। ଏହାର ପୁନରୁଦ୍ଧାର ପାଇଁ ୨.୦୮୫ଏକର ଜମି ଅଧିଗ୍ରହଣ ହେବ। କେଦାରଗୌରୀ ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୭ ପାଇଁ ଗ୍ୟାରେଜ୍ ଛକ, ରବି ଟକିଜ୍ଆ, ଶିଶୁପାଳଗଡ଼ ଆଦି ଅଞ୍ଚଳରେ ଲୋକ ଜଳବନ୍ଦୀ ହେଉଛନ୍ତି। ଏଥିରେ ଦୈନିକ ୫୪,୫୦,୦୦୦ ଲିଟର ଜଳ ନିଷ୍କାସନ ହେଉଛି। ଏଥିପାଇଁ ୫.୯୦ଏକର ଜମି ଅଧିଗ୍ରହଣ ହେବ। ଏୟାରପୋର୍ଟ ଅଞ୍ଚଳ ଡ୍ରେନ୍‌ ତଥା ଡ୍ରେନ୍‌ ନ˚-୮ ପାଇଁ ବରମୁଣ୍ଡା, ଓୟୁଏଟି, ଜାଗମରା, ୟୁନିଟ-୮ ଆଦି ଅଞ୍ଚଳରେ ବ୍ୟାପକ ସମସ୍ୟା ଦେଖାଯାଉଥିବା ବେଳେ ଏଥିରେ ଏବେ ୧,୪୩,୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ଏହାର ପୁନରୁଦ୍ଧାର ପାଇଁ ୩.୪୯୬ଏକର ଜମି ଅଧିଗ୍ରହଣ ହେବ।

ଏବେ ଡ୍ରେନ୍‌ ନ˚-୯ (ଘାଟିକିଆ ଡ୍ରେନ୍‌)ରେ ଦୈନିକ ସର୍ବାଧିକ ୨୮,୮୦୦ କ୍ୟୁବିକ ମିଟର ତଥା ୨୮,୮୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ଏହା ଜାତୀୟ ରାଜପଥ-୧୬ କଲଭର୍ଟରୁ ବାହାରି ପୋଖରୀପୁଟ ରେଲେଵ ଓଭରବ୍ରିଜ୍‌ ନିକଟରେ ଦୟାୱେଷ୍ଟ କେନାଲରେ ପଡ଼ିଛି। ଏହି ଡ୍ରେନ୍‌ର ପୁନରୁଦ୍ଧାର ପାଇଁ କେତେ ଜମି ଅଧିଗ୍ରହଣ ହେବ, ତାହାର ସର୍ଭେ ଚାଲିଛି। ନିକୋ ପାର୍କ ଡ୍ରେନ୍‌ ତଥା ଡ୍ରେନ ନ˚ ୧୦ ସିଆରପି କଲୋନିରୁ ବାହାରି ଗଙ୍ଗୁଆ ନାଳରେ ପଡ଼ିଛି। ଏହି ଡ୍ରେନ୍‌ଟି ସହିଦନଗର, ବମିଖାଲ, ରସୁଲଗଡ଼ରୁ ଝାରପଡ଼ା କେନାଲ ରୋଡ୍‌ ଅଞ୍ଚଳର ବାସିନ୍ଦାଙ୍କ ଦୁଃଖ ପାଲଟିଛି। ଏଥିରେ ଏବେ ଦୈନିକ ୧,୨୩,୦୦,୦୦୦ ଲିଟର ପାଣି ନିଷ୍କାସନ ହେଉଛି। ଏହି ଡ୍ରେନ୍‌ର ପୁନରୁଦ୍ଧାର ପାଇଁ କେତେ ଜମି ଅଧିଗ୍ରହଣ ହେବ ତା’ର ସର୍ଭେ ଚାଲିଛି। ବିଏମ୍‌ସିର ଡ୍ରେନେଜ୍ ବିଭାଗ ସୂଚନା ଅନୁଯାୟୀ, ମୁଖ୍ୟ ଡ୍ରେନ୍ ୯ ଓ ୧୦ ପାଇଁ ପ୍ରାୟ ୨୦ଏକର ଜମି ଅଧିଗ୍ରହଣ ହେବ ବୋଲି ପ୍ରାରମ୍ଭିକ ସର୍ଭେରୁ ଜଣାପଡ଼ିଛି। ମୁଖ୍ୟ ଡ୍ରେନ୍‌୧ର ଶାଖା ଡ୍ରେନ୍ ଡ୍ରେନ୍ ୧(ବି) ଓମ୍‌ଫେଡ୍‌ ଛକରୁ ବାହାରି ଡମଣା ଛକରେ ଏହି ଡ୍ରେନ୍‌ରେ ମିଶିଛି। ସେହିପରି ଡ୍ରେନ୍ ୮(ଏ)ଫାୟାର ଷ୍ଟେସନ ଛକରୁ ବାହାରି ସୌଭାଗ୍ୟନଗର ନିକଟରେ ମୁଖ୍ୟ ଡ୍ରେନ୍ ୮ରେ ମିଶିଛି। ଏହି ଦୁଇଟି ଶାଖା ଡ୍ରେନ୍‌କୁ ମିଶାଇ ଆମେ ମୁଖ୍ୟ ଡ୍ରେନ୍-୧୧ ହିସାବ କରୁଛୁ। ବିଏମ୍‌ସିର ମୋଟ୍‌ ୨୪ଟି ଵାର୍ଡରେ ଏହି ୧୧ଟି ଡ୍ରେନ୍‌ ପ୍ରବାହିତ ହୋଇଥିବା ବେଳେ ଦୈନିକ ୧୦,୭୨,୫୦,୦୦୦ଲିଟର ଜଳ ନିଷ୍କାସନ ହେଉଛି। ବର୍ଷା ସମୟରେ ଜଳପ୍ରବାହ ଅଧିକ ହେଉଥିବା ବେଳେ ପାଣି ଯେପରି ନଉଛୁଳିବ ଏବଂ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ଏହି ଡ୍ରେନ୍‌ ପୁନରୁଦ୍ଧାର କରାଯିବ।

ସମ୍ବନ୍ଧିତ ଖବର