ବିଜେବି କଲେଜ ସାମ୍ନାରେ ମିଳୁଛି ହଜାରେ ଟଙ୍କିଆ ରସଗୋଲା

ଭୁବନେଶ୍ବର:  ରସଗୋଲା…। ସେ ପୁଣି ନରମ୍‌ ଓ ପୁଚ୍‌ପୁଚ୍‌। ଏକଥା ଶୁଣୁଶୁଣୁ ଓଡ଼ିଶା କଥା ଆପେ ମନକୁ ଚାଲିଆସେ। ଓଡ଼ିଶା ରସଗୋଲା ପାଇଁ ସୁଖ୍ୟାତି ଅର୍ଜନ କରିଥିବା ବେଳେ ଏଠାରେ ରସଗୋଲାର ଗ୍ରାହକ ଓ ଚାହିଦା ବେଶ୍‌ ଅଧିକ। ୫ ଟଙ୍କାରୁ ଆରମ୍ଭ କରି ୧୦/୨୦ ଟଙ୍କିଆ ରସଗୋଲା ଆପଣମ‌ାନେ ଖାଇଥିବେ ନିଶ୍ଚିତ। କିନ୍ତୁ ଆପଣଙ୍କୁ ଯଦି ୧୦୦୦ଟଙ୍କିଆ ରସଗୋଲା କଥା କୁହାଯାଏ। ପୁଣି ରସଗୋଲାର ଓଜନ ଯଦି ୫ କେଜି ହୋଇଥିବ ଟିକେ ଭାବିଲେ ଖାଇ ପାରିବେ ତ?

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ମନୋଜ କୁମାର ଦଳାଇଙ୍କ ଠେଲାରେ ସୁସ୍ବାଦୁ ଜଳଖିଆ ସହ ମିଳୁଛି ୧ କେଜିରୁ ଆରମ୍ଭ କରି ୫ କେଜି ଓଜନର ରସଗୋଲା। ଏହି ବଡ଼ ରସଗୋଲା ଏବେ ମନୋଜ ଭାଇ ଟିଫିନ୍ ଷ୍ଟଲର ସ୍ବତନ୍ତ୍ର ପରିଚୟ ପାଲଟିଛି। ୧ କିଲୋ ଓଜନର ଗୋଟିଏ ରସଗୋଲାର ମୂଲ୍ୟ ୨୦୦ ଟଙ୍କା ରହିଥିଲା ବେଳେ ସେହିକ୍ରମରେ ୨ କିଲୋ ରସଗୋଲା ମୂଲ୍ୟ ୪୦୦ ଟଙ୍କା, ୩ କିଲୋ ରସଗୋଲା ମୂଲ୍ୟ ୬୦୦ ଟଙ୍କା, ୪ କିଲୋ ରସଗୋଲା ମୂଲ୍ୟ ୮୦୦ ଓ ୫ କିଲୋ ଓଜନର ରସଗୋଲାର ମୂଲ୍ୟ ୧୦୦୦ ଟଙ୍କା ରହିଛି।

ମନୋଜ ଭାଇ କୁହନ୍ତି, ଜେଜେ ବୃନ୍ଦାବନ ଦଳାଇ ଜଗତସିଂହପୁରଠାରେ ମିଠା ଦୋକାନ କରିଥିଲେ। ବାପା ବିକ୍ରମ ଦଳାଇ ଭୁବନେଶ୍ବରର ଲୁଇସ୍ ରୋଡ୍ ନିକଟରେ ୧୯୯୭ରୁ ଦୋକାନ କରିଥିଲେ। ୨୦୦୫ରୁ ବଡ଼ ରସଗୋଲା ତିଆରି ଆରମ୍ଭ କରିଥିଲେ। ଏବେ ଏହି ବଡ଼ ମିଠାର ଚାହିଦା ବେଶ୍ ଅଧିକ ରହିଛି। ଭୁବନେଶ୍ବର ବ୍ୟତୀତ ବାହାରୁ ମଧ୍ୟ ଲୋକମାନେ ମିଠା ପାଇଁ ଏଠାରେ ବରାଦ୍‌ ଦେଇଥା’ନ୍ତି। ଶୁଦ୍ଧ ଛେନା ନ ହେଲେ ବଡ଼ ରସଗୋଲା ତିଆରି ସମ୍ଭବ ନୁହେଁ ବୋଲି ମନୋଜ ଭାଇ କହିଥିବା ବେଳେ ଦୈନିକ ୨ କ୍ୱିଣ୍ଟାଲ ଛେନାରେ ସେ ମିଠା ପ୍ରସ୍ତୁତ କରୁଛନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର