ଜଙ୍ଗଲ ଜମିରେ ୧୦୦ ଫୁଟିଆ ରାସ୍ତା

ବେଆଇନ ନିର୍ମାଣ କରୁଛି ଖୋଦ୍‌ ପୂର୍ତ ବିଭାଗ

ଭୁବନେଶ୍ୱର: ଜଙ୍ଗଲ ଜମିରେ ନିର୍ମାଣ ଚାଲିଛି ୧୦୦ ଫୁଟିଆ ରାସ୍ତା। ସମସ୍ତ ନିୟମକୁ ଦଳି ମକଚି ପ୍ରାୟ ବର୍ଷେ ହେଲା ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ଏହି ରାସ୍ତାର ନିର୍ମାଣ କରୁଛି ଖୋଦ୍‌ ପୂର୍ତ ବିଭାଗ। ରାସ୍ତା କାମ ପାଇଁ ବଳି ପଡ଼ିଛି ବହୁ ପୁରୁଣା ଗଛ। ଏହି ରାସ୍ତାକୁ ନେଇ ବିବାଦ ଦେଖା ଦେଇଥିଲେ ହେଁ ସମସ୍ତେ ଆଖି ବୁଜି ଦେଇଛନ୍ତି। ନିର୍ଦେଶାଳୟର ଦୁଇ ପାଚେରି ମଧ୍ୟରେ ଅତି ସନ୍ତର୍ପଣରେ ଏହି ରାସ୍ତା କାମ ଚାଲିଛି। ମୁଣ୍ଡାସାହି ଛକରୁ ରେଣ୍ଟାଲ କଲୋନି ଦେଇ ଭିଆଇପି ରୋଡକୁ ପୂର୍ବରୁ ରାସ୍ତା ଥିଲେ ହେଁ କାହା ସ୍ୱାର୍ଥରେ ଏଭଳି ରାସ୍ତା ଜଙ୍ଗଲ ଜମିରେ ନିର୍ମାଣ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ଜଙ୍ଗଲ ଜମିରେ ଚାଲିଥିବା ଏହି ରାସ୍ତା ନିର୍ମାଣକୁ ବନ୍ଦ କରିବାକୁ ଗତବର୍ଷ ନୂଆପଲ୍ଲୀ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ବରଂ କିଛି ସରକାରୀ ବାବୁଙ୍କ ପ୍ରରୋଚନାରେ ଏଭଳି କାମକୁ ଅଧିକ ପ୍ରୋତ୍ସାହନ କରାଯାଉଛି। ଯଦି ରାସ୍ତା କାମକୁ ବନ୍ଦ ନ କରାଯାଏ ତେବେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଗଢ଼ି ଉଠିବ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

ରେଣ୍ଟାଲ କଲୋନିରୁ ଭିଆଇପି ରୋଡ୍‌କୁ ସଂଯୋଗ ପାଇଁ ରାସ୍ତା ନିର୍ମାଣ

୨୦୧୧ ମସିହାରେ ରେଣ୍ଟାଲ କଲୋନିରୁ ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ଦେଇ ଏକ ୧୦୦ ଫୁଟିଆ ମାଷ୍ଟର ପ୍ଲାନ୍‌ ରାସ୍ତା ପାଇଁ ସିଟି ମ୍ୟାନେଜମେଣ୍ଟ ଗ୍ରୁପ୍‌ ବା ସିଏମ୍‌ଜି ବୈଠକରେ ନିଷ୍ପତ୍ତି ହୋଇଥିଲା। ୨୦୧୨ ମସିହାରେ ଜୁଲାଇ ୨୧ତାରିଖରେ ଏ ସଂକ୍ରାନ୍ତୀୟ ଫାଇଲରେ ମୋହର ବାଜିଥିଲା। ମୁଣ୍ଡାସାହି ଛକରୁ ରେଣ୍ଟାଲ କଲୋନି ଦେଇ ଭିଆଇପି ରୋଡ ପର୍ଯ୍ୟନ୍ତ ପୂର୍ବରୁ ଏକ ରାସ୍ତା ରହିଛି। ଯଦି ଉଦ୍ୟାନକୃଷି ନିର୍ଦେଶାଳୟ ଦେଇ ନୂତନ ରାସ୍ତା ନିର୍ମାଣ କରାଯାଏ ତେବେ ଅତିବେଶିରେ ୨ଶହ ମିଟର ରାସ୍ତା କମିଯିବ। ତେବେ ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ କୌଣସି ଦାବି ମଧ୍ୟ ନାହିଁ। ମାତ୍ର ଜଙ୍ଗଲ ଜମିରେ ଏଭଳି ଏକ ରାସ୍ତା ନିର୍ମାଣ ପାଇଁ ସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି।

ଡ୍ରେନ୍‌ ନିର୍ମାଣ ସରିଛି, ରାସ୍ତା କାମ ଚାଲିଛି

ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ନୂତନ ରାସ୍ତା ପାଇଁ ପୂର୍ବରୁ ଡ୍ରେନ୍‌ ନିର୍ମାଣ ସରିଛି। ନିର୍ଦେଶାଳୟର ଦୁଇ ପାଚେରି ମଧ୍ୟରେ ଗଛ କଟାଯାଇ ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବାଲି, ବଜୁରୀ ଗଦା ହୋଇଥିବା ବେଳେ ଡ୍ରୋଜର ଥୁଆ ହୋଇଛି। କେବଳ ପିଚୁ ପଡ଼ିବା ବାକି ରହିଛି। ତେବେ ରାସ୍ତା ପାଇଁ ନିର୍ଦେଶାଳୟ ପରିସରରେ ଅନେକ ମଦର ପ୍ଲାଣ୍ଟ ବା ମୂଳ ଗଛକୁ କଟାଯିବାକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଅସନ୍ତୋଷ ଜାହିର କରିଛନ୍ତି।

ବଳି ପଡ଼ିଯିବ ଅନେକ ବିରଳ ଗଛ

ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ରହିଛି ବହୁ ବିରଳ ଗଛ। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ନିର୍ଦେଶାଳୟ ପରିସରରେ ସମୁଦାୟ ୨୮୬ଟି ଗଛ ରହିଛି। ଏଥିରେ ୩୦ବର୍ଷ ତଳର ୮୬ଟି ଆମ୍ବ ଗଛ, ୬୬ଟି କାଜୁ ଗଛ, ୨୮ଟି ସପେଟା ଗଛ, ୫ବର୍ଷ ପୁରୁଣା ୬ଟି ସପେଟା ଓ ୪ଟି ଆମ୍ବ ଗଛ ରହିଛି। ସେହିପରି ୩୦ବର୍ଷ ପୁରୁଣା ୩ଟି ନଡ଼ିଆ ଗଛ, ୧୫ବର୍ଷ ପୁରୁଣା ଗୋଟିଏ ପେସ୍ତାବାଦାମ ଗଛ ଓ ଏହାସହ ୫୨ଟି ପ୍ରାୟ ୫ବର୍ଷର ପୁରୁଣା ଔଷଧୀୟ ଓ ଅଳଙ୍କାରପୂର୍ଣ୍ଣ ଗଛ ମଧ୍ୟ ରହିଛି। ଏହି ୧୦୦ ଫୁଟିଆ ରାସ୍ତା ନିର୍ମାଣରେ ଅନେକ ପୁରୁଣା ଗଛ ବଳି ପଡ଼ି ସାରିଥିବାବେଳେ ଅବଶିଷ୍ଟ ଗଛ ବି ବଳି ପଡ଼ିବାକୁ ଯାଉଛି।

ଭୁଲ୍‌ ସୁଧାରିବାକୁ ଚିଠି ପରେ ଚିଠି

ରାସ୍ତା ନିର୍ମାଣ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆର ଏଣ୍ଡ ବି ବିଭାଗକୁ ୩ ଏକର ଜମି ହସ୍ତାନ୍ତର କରାଯାଇଥିଲା। ପାଇକନଗର ମୌଜାର ପ୍ଲଟ୍‌ ନଂ ୫୯(ଅଂଶ), ଖାତା ନଂ ୧୮୬, ୭(ଅଂଶ) ଓ ଜୟଦେବବିହାର ମୌଜା ଅଧୀନ ପ୍ଲଟ୍‌ ନଂ ୧୨୫୪(ପି) ଓ ୮୮୪(ପି) ହେଉଛି ଏହି ଜମିର ଅନ୍ତର୍ଭୁକ୍ତ। ପ୍ଲଟ୍‌ ନଂ ୫ ଜଙ୍ଗଲ କିସମ ହୋଇଥିବା ବେଳେ ପ୍ଲଟ ନଂ ୧୪୨୭ ହେଉଛି ଘରବାରି-୨। ସେହିଦିନ ପୁଣିଥରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା। ଏଥିରେ ୩ ଏକର ଜମି ମଧ୍ୟରୁ ପ୍ଲଟ୍‌ ନଂ ୫ରେ ଥିବା ୬୬୫ ଡିସିମିଲ ଜାଗାରେ ରାସ୍ତା ନିର୍ମାଣ କରାଯାଇ ପାରିବ ନାହିଁ ବୋଲି କୁହାଯାଇଥିଲା। ୧୯୮୦ ମସିହା ଜଙ୍ଗଲ ସଂରକ୍ଷଣ ଆଇନର ଏହା ଉଲ୍ଲଂଘନ ହେଉଥିବାରୁ ୬୬୫ (୨୯୦x୧୦୦) ଡିସିମିଲ ଜାଗାକୁ ଆର ଏଣ୍ଡ ବି ପକ୍ଷରୁ ଡାଇଭର୍ସନ କରିବାକୁ କୁହାଯାଇଥିଲା। ତେବେ ୨୦୧୨ ମସିହା ନଭେମ୍ବର ୧୧ତାରିଖରେ ଭୁବନେଶ୍ୱର ଆର ଏଣ୍ଡ ବି ଡିଭିଜନ ପକ୍ଷରୁ ଡିଭିଜିନାଲ ଜଙ୍ଗଲ ଅଧିକାରୀଙ୍କୁ ଏକ ଚିଠି ଦିଆଯାଇଥିଲା। ଏଥିରେ ସ୍ପଷ୍ଟଭାବେ ପ୍ଲଟ୍‌ ନଂ ୫ର ୬୬୫ ଡିସିମିଲ ଜାଗା ଜଙ୍ଗଲ କିମସ-୨ର ହୋଇଥିବା ବେଳେ ଏଥିରେ ଜଙ୍ଗଲ କାର୍ଯ୍ୟକୁ ବାଦ୍‌ ଦେଲେ ଅନ୍ୟ କାର୍ଯ୍ୟ ପାଇଁ ଯୁଗ୍ମ ଭାବେ ତଦାରଖ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ଯୁଗ୍ମ ତଦାରଖ ଆଜି ପର୍ଯ୍ୟନ୍ତ ହୋଇ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଅପରପକ୍ଷରେ ଜଙ୍ଗଲ ଜମିରେ ବେଆଇନଭାବେ ଚାଲିଥିବା ଏହି ରାସ୍ତା ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗତବର୍ଷ ମେ ମାସରେ ଆର ଏଣ୍ଡ ବି ଡିଭିଜନ୍‌ ପକ୍ଷରୁ ଏକ ଟେଣ୍ଡର ଆହ୍ଵାନ କରାଯାଇଥିଲା। ସମସ୍ତଙ୍କୁ ଭୂତାଇବା ଲାଗି ଏଥିରେ ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ଥିବା ଜଙ୍ଗଲ ଜମି ସଂପର୍କରେ କିଛି ଉଲ୍ଲେଖ ନ ଥିଲା। ବରଂ ମୁଣ୍ଡାସାହି ଛକରୁ ରେଣ୍ଟାଲ କଲୋନି ପର୍ଯ୍ୟନ୍ତ ୦.୫୭୦ କି.ମି ରାସ୍ତାର ପ୍ରଶସ୍ତିକରଣ ଓ ସୁଦୃଢ଼ୀକରଣ ସଂପର୍କରେ ଉଲ୍ଲେଖ ଥିଲା। ଏଥିପାଇଁ ୨କୋଟି ୧୦ଲକ୍ଷ ୩୬ହଜାର ୮ଶହ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ଏବେ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ଏହି ରାସ୍ତା କାମ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଜଙ୍ଗଲ ଜମି ସଂପର୍କରେ କିଛି ଜାଣିନୁ: ନିର୍ଦେଶକ

ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ଥିବା ନର୍ସରିର କିଛି ଜାଗାକୁ ରାସ୍ତା ନିର୍ମାଣ ପାଇଁ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗର ନିର୍ଦେଶକ୍ରମେ ପୂର୍ତ ବିଭାଗ ଡିଭିଜନ ନଂ-୩ ଏହି ରାସ୍ତା ନିର୍ମାଣ କରୁଛି। ଏହି ଜାଗା ଉଦ୍ୟାନକୃଷି ନିର୍ଦେଶାଳୟ ଅଧୀନରେ ରହିଥିବାରୁ ଆର ଏଣ୍ଡ ବିକୁ ଜାଗା ହସ୍ତାନ୍ତର କରାଯାଇଥିଲା। ତେବେ ଜଙ୍ଗଲ ଜମି ସଂପର୍କରେ କିଛି ଧାରଣା ନ ଥିବା କହିଛନ୍ତି ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟର ନିର୍ଦେଶକ ଏମ୍‌.ମୁଥୁ କୁମାର।

ଜଙ୍ଗଲ ଜମିରେ ହାତ ମାରିନୁ: ପୂର୍ତ ସଚିବ

ରାଜ୍ୟ ଉଦ୍ୟାନକୃଷି ନିର୍ଦେଶାଳୟ ପରିସରରେ ଯେଉଁ ରାସ୍ତା କାମ ଚାଲିଛି ସେଥିପାଇଁ ଉଦ୍ୟାନକୃଷି ନିର୍ଦେଶାଳୟ ଅନୁମତି ଦେଇଛି। ତେବେ ଜଙ୍ଗଲ ଜମିରେ ଏ ଯାଇଁ ହାତ ମରାଯାଇନି। ଏ ନେଇ ଜଙ୍ଗଲ ବିଭାଗର ଅନୁମତି ମଗାଯାଇଥିବା କହିଛନ୍ତି ପୂର୍ତ ବିଭାଗର ସଚିବ ନଳିନୀକାନ୍ତ ପ୍ରଧାନ।

ସମ୍ବନ୍ଧିତ ଖବର