ଭୁବନେଶ୍ବର ସାଂସଦ ହେବାକୁ ୧୧ଆଶାୟୀ, ତିନି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କର ପ୍ରଥମ ନିର୍ବାଚନ

ନାମାଙ୍କନ କରିଥିବା ଲୋକସଭା ପ୍ରାର୍ଥୀ

ଭୁବନେଶ୍ବର: ଆସନ୍ତା ୨୩ତାରିଖରେ ମତଦାନ ହେବାବୁ ଥିବା ଭୁବନେଶ୍ବର ଲୋକସଭା ଆସନ ପାଇଁ ୧୧ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଭିନ୍ନ ରାଜନୈତିକ ଦଳରୁ ୮ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଭାବେ ୩ଜଣ ନାମାଙ୍କନ ଦାଖଲ କରିଛନ୍ତି। ଏଥିରୁ କେତେଜଣ ପ୍ରାର୍ଥୀଙ୍କ ନାମାଙ୍କନପତ୍ର କାଏମ ରହୁଛି, କିଏ ପ୍ରତ୍ୟାହାର କରୁଛନ୍ତି ତାହା ୮ତାରିଖରେ ଜଣାପଡ଼ିବ। ଏପ୍ରିଲ ୮ତାରିଖ ସଂଧ୍ୟା ୬ଟା ପରେ ଏନେଇ ବିଧିବଦ୍ଧ ଘୋଷଣା ହେବ ବୋଲି ଜଣାପଡ଼ିଛି। ଏଥର ଭୁବନେଶ୍ବର ସାଂସଦ ହେବାକୁ ୧୧ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ସମର୍ଥିତ ସିପିଆଇ (ଏମ୍‌) ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ଅଛି। ଏନେଇ ତିନି ପ୍ରାର୍ଥୀ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି।

ଏଥର ଭୁବନେଶ୍ବର ଲୋକସଭା ପାଇଁ ସମସ୍ତେ ନୂଆ ମୁହଁ ହୋଇଥିବାବେଳେ ତିନି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜୀବନର ପ୍ରଥମ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ଓ ବିଜେଡି ଦୁଇଜଣ ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀ ଏବଂ ଅରୂପ ମୋହନ ପଟ୍ଟନାୟକଙ୍କୁ ସୁଯୋଗ ଦେଇଥିବାବେଳେ କଂଗ୍ରେସ ଏଥର ପ୍ରାର୍ଥୀ ଦେଇନି। କଂଗ୍ରେସ ସମର୍ଥନରେ ସିପିଆଇ(ଏମ୍‌) ପ୍ରାର୍ଥୀ ଭାବେ ଜନାର୍ଦ୍ଦନ ପତି ନିର୍ବାଚନ ଲଢ଼ୁଛନ୍ତି। ଜନାର୍ଦ୍ଦନଙ୍କର ଯଦିଓ ପ୍ରାୟ ୫୦ବର୍ଷର ରାଜନୈତିକ ଅଭିଜ୍ଞତା ଅଛି, କିନ୍ତୁ ସେ ପ୍ରଥମ କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ତେଣୁ ସେ କିପରି ଅରୂପ ଓ ଅପରାଜିତାଙ୍କୁ ଟକ୍କର ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା। ଅପରପକ୍ଷେ କୁହାଯାଉଛି ଯେ, ଭୁବନେଶ୍ବରରେ ବିଜେଡିଓ ବିଜେପି ମଧ୍ୟରେ କଡ଼ା ଲଢ଼େଇ ହେବ। ତେଣୁ ଅରୂପ ଏବଂ ଅପରାଜିତାଙ୍କ ମଧ୍ୟରୁ ଜଣେ କେହି ବିଜୟ ମୁକୁଟ ପିନ୍ଧିବେ। ଭୁବନେଶ୍ବର ସାଂସଦ ହେବା ପାଇଁ ଏହି ଦୁଇ ପ୍ରାର୍ଥୀ ଦିନରାତି ଏକ କରିଦେଇଛନ୍ତି।ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଜୋରଦାର ପ୍ରଚାର କରୁଛନ୍ତି। ବିଜେପି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ବିଫଳତାକୁ ମାଧ୍ୟମ କରି ପ୍ରଚାର କରୁଥିବାବେଳେ ବିଜେଡି ପ୍ରାର୍ଥୀ କେନ୍ଦ୍ରୀୟ ଅବହେଳା, ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। କିନ୍ତୁ ଏହି ଦୁଇ ପ୍ରାର୍ଥୀଙ୍କ ବିଜୟରେ ମୋଦି ହାୱା ଓ ନବୀନ କ୍ରେଜ୍‌ ହିଁ ମୁଖ୍ୟ ଅସ୍ତ୍ର ହେବ।

ଅପରାଜିତା ଷଡ଼ଙ୍ଗୀଙ୍କ ପାଖରେ କେଜିଏ ସୁନା
ଭୁବନେଶ୍ବର: ଭୁବନେଶ୍ବର ଲୋକସଭା ପାଇଁ ବିଜେପିର ହାଇ ପ୍ରୋଫାଇଲ ନେତା ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ସତ୍ୟପାଠରେ ତାଙ୍କ ନିକଟରେ ୧ କେ.ଜି ୧୫୦ ଗ୍ରାମର ସୁନା ଥିବା ଦର୍ଶାଇଛନ୍ତି। ଯାହାର ମୂଲ୍ୟ ସାଢ଼େ ୩୫ଲକ୍ଷ ଟଙ୍କା। ତାଙ୍କ ସ୍ବାମୀଙ୍କ ନିକଟରେ ସାଢ଼େ ୪ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମର ସୁନା ରହିଛି। ତାଙ୍କ ପାଖରେ ୮୫ ହଜାର ଟଙ୍କା ଥିବା ବେଳେ ସ୍ବାମୀଙ୍କ ପାଖରେ ୪୬ହଜାର ଟଙ୍କା ଅଛି। ଅପରାଜିତାଙ୍କ ଅସ୍ଥାବର ସଂପତ୍ତିର ମୂଲ୍ୟ ୧କୋଟି ୨୪ଲକ୍ଷ ୪୫ହଜାର ଟଙ୍କା ଓ ସ୍ବାମୀଙ୍କ ନିକଟରେ ୧୨ଲକ୍ଷ ୪୭ହଜାର ଟଙ୍କାର ସଂପତ୍ତି ଅଛି। ଶ୍ରୀମତୀଙ୍କ ଷଡ଼ଙ୍ଗୀଙ୍କ ପାଖରେ ଅଢ଼େଇ ଲକ୍ଷ୍ୟ ଟଙ୍କାର ୱାଗନର କାର ଓ ୧୦ଲକ୍ଷ ଟଙ୍କାର ହ୍ୟୁଣ୍ଡାଇ କ୍ରେଟା ଗାଡ଼ି ରହିଛି। ପ୍ରଶାସକ ଥିବା ସମୟରେ ତାଙ୍କ ଦରମା, ପେନସନ୍ ଓ ବିବାହ ସମୟରେ ମିଳିଥିବା ଉପହାରକୁ ସେ ଆୟ ଆକାରରେ ଦର୍ଶାଇଛନ୍ତି। ଅପରାଜିତା ଓ ତାଙ୍କ ସ୍ବାମୀଙ୍କର କୌଣସି ଚାଷ ଜମି ନାହିଁ। ସେ କୌଣସି ଲୋନ୍‌ ନେଇ ନାହାନ୍ତି। ତାଙ୍କ ସ୍ବାମୀ ପ୍ରାୟ ୪୪ଲକ୍ଷ ଟଙ୍କାର ଲୋନ୍‌ କରିଛନ୍ତି।

ଅରୂପ ଓ ତାଙ୍କ ପତ୍ନୀଙ୍କ ପାଖରେ ୩ ବିଦେଶୀ ବନ୍ଧୁକ
ବିଜେଡି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କ ଉଭୟ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା। ପତ୍ନୀଙ୍କ ସଂପତ୍ତିର ମୂଲ୍ୟ ୨କୋଟି। ଅରୂପଙ୍କ ନିକଟରେ ପ୍ରାୟ ୭ଲକ୍ଷ ଟଙ୍କା ମୂଲ୍ୟର ୨୮୧ ଗ୍ରାମର ସୁନା ଅଳଙ୍କାର ଓ ପତ୍ନୀଙ୍କ ପାଖରେ ସାଢ଼େ ୧୫ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ଶ୍ରୀ ପଟ୍ଟନାୟକଙ୍କ ୭ଲକ୍ଷ ୨୧ ହଜାର ଟଙ୍କା ମୂଲ୍ୟର ମାରୁତି ସିଆଜ୍ ଓ ପତ୍ନୀଙ୍କର ଏକ ହୋଣ୍ଡା ଆକ୍ଟିଭା ଗାଡ଼ି ଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ତେବେ ଅରୂପଙ୍କ ନିକଟରେ ୫ହଜାର ଟଙ୍କାର ଲାଇସେନ୍‌ସପ୍ରାପ୍ତ ଜାପାନ ତିଆରି ୧୨ ବୋର ଏସ୍‌ବିବିଏଲ ଗନ୍ ଓ ଆମେରିକା ନିର୍ମିତ ୨ଲକ୍ଷ ଟଙ୍କା ମୂଲ୍ୟର ୧୫ ବୋର ପିଷ୍ଟଲ୍ ରହିଛି। ସେହିପରି ତାଙ୍କ ପତ୍ନୀଙ୍କ ନିକଟରେ ଲାଇସେନ୍‌ସପ୍ରାପ୍ତ ଜାପାନ ନିର୍ମିତ ୧୨ ବୋର ଡିବିବିଏଲ ଗନ୍ ରହିଛି, ଯାହାର ବଜାର ମୂଲ୍ୟ ୧୦ହଜାର ଟଙ୍କା। ଅରୂପଙ୍କର କୌଣସି ଲୋନ୍ ନାହିଁ କି ଚାଷ ଜମି ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର