ଜଗନ୍ନାଥ ମହିମା ବିଶ୍ୱରେ ଅନନ୍ୟ

୧୨୭ତମ ଶ୍ରୀଜଗନ୍ନାଥ କଥାମୃତ

ଚନ୍ଦ୍ରଶେଖରପୁର: ସେ ହେଉଛି ବ୍ରହ୍ମାଣ୍ଡ ଠାକୁର। ସୃଷ୍ଟିର ଆରମ୍ଭରୁ ବିଲୟ ପର୍ଯ୍ୟନ୍ତ, ସବୁକିଛି ତାଙ୍କ’ ନିର୍ଦ୍ଦେଶରେ ଗତିଶୀଳ। ଜଗତର ନାଥ ଜଗନ୍ନାଥ ଭାବରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ନିୟନ୍ତ୍ରଣ କରୁଥିବା କାଳିଆ ଠାକୁରର ମହିମା ବିଶ୍ୱରେ ଅନନ୍ୟ। ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ କାନନବିହାର ଫେଜ-୨ରେ ଥିବା ମନ୍ଦିର ପରିସରରେ ଅନୁଷ୍ଠିତ ୧୨୭ତମ ଶ୍ରୀ ଜଗନ୍ନାଥ କଥାମୃତ ଅବସରରେ ଏମିତି ଭକ୍ତିରସ ପାନ କରିଥିଲେ ସୁଧୀବୃନ୍ଦ। ସମଗ୍ର ପରିବେଶ ଭକ୍ତିଭାବର ଅପୂର୍ବ ଫଲ୍‌ଗୁରେ ପରିପୂର୍ଣ୍ଣ ହୋଇପଡ଼ିଥିଲା। ଭଜନ ଜଣାଣ ସାଙ୍ଗକୁ ପ୍ରବଚନର ମହମହ ବାସ ପରିବେଶକୁ କରିଥିଲା ସ୍ୱର୍ଗୀୟ। ପ୍ରବଚକ ପଣ୍ଡିତ ଦାଶରଥୀ ସାମନ୍ତରାୟଙ୍କ ଦିବ୍ୟବାଣୀ ଶ୍ରୋତାଙ୍କୁ ପ୍ରଭାବିତ କରିଥିଲା। ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ସଭାପତି ତଥା ପୂର୍ବତନ ପ୍ରଶାସକ ଗୋପୀନାଥ ମହାନ୍ତି, ସମ୍ପାଦକ ଦେବେନ୍ଦ୍ର କୁମାର ଦାସ, କାନନବିହାର ଫେଜ-୨ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରତାପ ଚନ୍ଦ୍ର ଦାସ, ବିରେନ୍ଦ୍ର କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଭଜନ କାର୍ଯ୍ୟକ୍ରମକୁ ପ୍ରଶାନ୍ତ ବେହେରା ସଂଯୋଜନା କରିଥିବାବେଳେ ଗାୟକ ଦାମୋଦର ସେନାପତି, ଦିଲ୍ଲୀପ ମହାନ୍ତି ପ୍ରମୁଖ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର