ଅନାଗରିକ ଧର୍ମପାଳଙ୍କ ୧୫୪ତମ ଜୟନ୍ତୀ : ଇଚ୍ଛାଶକ୍ତିର ଅଧିକାରୀ ହେଲେ ଲକ୍ଷ୍ୟ ହାସଲ ହୋଇପାରିବ

ଭୁବନେଶ୍ୱର : ଅତୀତ ସଂପର୍କରେ ନ ଜାଣିଲେ ବର୍ତମାନ ଓ ଭବିଷ୍ୟତ ଜୀବନରେ ଆଗକୁ ବଢ଼ିବା ସମ୍ଭବ ନୁହେଁ। ଯେତେବେଳେ ସମସାମୟିକ ଇତିହାସ ଦୁର୍ବଳ ହୋଇଯାଏ ସେ ସମୟରେ ମହାପୁରୁଷଙ୍କ ଆତ୍ମଜୀବନୀ ଓ ଜୀବନୀରୁ ଶିକ୍ଷାଲାଭ କରିବା ଉଚିତ୍‌। ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ହେଲେ ଜଣେ ନିଜର ଲକ୍ଷ୍ୟ ହାସଲ କରିପାରିବ। ଅନାଗରିକ ଧର୍ମପାଳ ସେହିଭଳି ଜଣେ ଆଦର୍ଶ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ।

ଆଜି ମାହାବୋଧି ସୋସାଇଟି, ଓଡ଼ିଶା ପକ୍ଷରୁ ବୁଦ୍ଧ ମନ୍ଦିର ପରିସରରେ ବୌଦ୍ଧ ଧର୍ମଗୁରୁ ଅନାଗରିକ ଧର୍ମପାଳଙ୍କ ୧୫୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଓଡ଼ିଶା ମହାବୋଧି ସୋସାଇଟିର ସଭାପତି ତଥା ଉତ୍କଳ ସଂସ୍କୃତି ବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଲେ, ଧର୍ମପାଳଙ୍କ ଜନ୍ମଦିବସ ପାଳନ କରିବା ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନୁହେଁ ବରଂ କୃତଜ୍ଞତା ଓ ଋଣ ପରିଶୋଧର କାମ। ଆଜିର ସମୟରେ ମଧ୍ୟ ବୁଦ୍ଧଙ୍କ ସର୍ବବ୍ୟାପୀ ପ୍ରଭାବ ରହିଛି। ବିଜ୍ଞାନ ଓ କାରିଗରୀ କୌଶଳ ଚକ୍କରରେ ପଡ଼ି ଆମେ ଭୁଲ ଦିଗରେ ମାତିଛୁ। କିଛି ପାଇବାର ଆକାଂକ୍ଷା ବା ଆଗ୍ରହ ସମସ୍ତଙ୍କ ମନରେ ଆଶା ବାନ୍ଧିବାରେ ଲାଗିଛି। ଦେବତ୍ୱ ପାଇବାକୁ ହେଲେ ଦେବାରେ ବିଶ୍ୱାସ କରିବାକୁ ହେବ। ନିଜମନସ୍କ ନ ହୋଇ ଅନ୍ୟମନସ୍କ ହେବାକୁ ହେବ। ଆବଶ୍ୟକତା ସଂକୁଚିତ ହେଲେ ଦାରିଦ୍ର୍ୟ ଦୂର ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କମଳକାନ୍ତ ମିଶ୍ର କହିଲେ, ଅନାଗରିକ ଧର୍ମପାଳଙ୍କ ମଧ୍ୟରେ ଜାତୀୟତା ଓ ପରିବର୍ତନ କରିବାର ଇଚ୍ଛା ଭରି ରହିଥିଲା। ସଂସାର ଭିତରେ ରହି ସେ ସଂଗ୍ରାମ କରୁଥିଲେ। ଦଳିତ, ନିଷ୍ପେଷିତ ଓ ଶିକ୍ଷାରୁ ବଞ୍ଚିତ ଲୋକମାନଙ୍କ ପାଇଁ ଲଢ଼େଇ କରୁଥିଲେ। ବୌଦ୍ଧ ଧର୍ମର ପୁନରୁଦ୍ଧାର, ବୁଦ୍ଧଙ୍କ ବାଣୀର ପ୍ରଚାର ଓ ପ୍ରସାର କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ଧର୍ମରେ ନୈତିକତା, କର୍ତବ୍ୟବୋଧ ଓ ଈଶ୍ୱର ବିଶ୍ୱାସୀ ଭରି ରହିଥାଏ। ଏଥିରେ ବିଚ୍ୟୁତି ହେଲେ ଧର୍ମକୁ ଧରି ରଖିବା ସମ୍ଭବ ହେବ ନାହିଁ ବୋଲି ପ୍ରଫେସର ମିଶ୍ର କହିଥିଲେ।

ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ କହିଲେ, ବାଧ୍ୟବାଧକତାରେ କୌଣସି ଧର୍ମର ପ୍ରଚାର ଓ ପ୍ରସାର ହୋଇପାରିବ ନାହିଁ। ବାଧ୍ୟବାଧକତା ହେଲେ ଅନେକ ପ୍ରତିକ୍ରିୟା ଆସିବ ଓ ଏହାର ସମାଧାନର ନୂଆ ନୂଆ ପନ୍ଥା ବାହାରିବ। ଆଜିର ସମୟରେ ବୈଷୟିକ ଜ୍ଞାନ କୌଶଳ ଶିକ୍ଷାରେ ବ୍ୟବହାର ଅଧିକ ହୋଇଛି। ମାତ୍ର ଏହା ଶିକ୍ଷକର ସ୍ଥାନ ନେଇପାରିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ।

ସଭାପତି ଶ୍ରୀ ମହାନ୍ତି କହିଲେ, ଅନାଗରିକ ଧର୍ମପାଳ ଶ୍ରୀଲଙ୍କାରେ ଜନ୍ମ ଗ୍ରହଣ କରିଥିଲେ ହେଁ ଭାରତକୁ ଅଧିକ ଭଲ ପାଉଥିଲେ। ତାଙ୍କ ଯୋଗୁଁ ଭାରତ ଓ ଏସିଆ ମହାଦେଶରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ହୋଇଥିଲା ବୋଲି ସେ କହିଥିଲେ। ପ୍ରାରମ୍ଭରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଅତିଥି ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିବା ବେଳେ ମହାବୋଧି ସୋସାଇଟିର ସଦସ୍ୟ ବିମଳ ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର