ପରିବର୍ତ୍ତନ ସହ ତାଳ ଦେଇ ଚାଲିବାକୁ ପଡ଼ିବ, କିଟ୍‍ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ

ନ୍ଦ୍ରଶେଖରପୁର: କିଟ୍‍ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଉତ୍ସବରେ ଏରିକ୍‍ସନ୍‍ ଗ୍ଲୋବାଲ୍‍ ସର୍ଭିସେସ୍‍, ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅମିତାଭ ରାୟ  ‘ପ୍ରତିଷ୍ଠା ଦିବସ ବକ୍ତୃତା’ ପ୍ରଦାନ କରି କହିଲେ, ବର୍ତ୍ତମାନ ସମୟରେ ପରିବର୍ତ୍ତନ ସହ ତାଳ ଦେଇ ଚାଲିବାର କଳା ହେଉଛି ଗୁରୁତ୍ୱପୂର୍ଣ୍ଣ। ମାନବ ସଭ୍ୟତା ଆଜି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଗତ ଏକ ହଜାର ବର୍ଷ ମଧ୍ୟରେ ବିଶ୍ୱର ଯେତିକି ପରିବର୍ତ୍ତନ ହୋଇଥିଲା, ଆସନ୍ତା ୨୦ ବର୍ଷରେ ସେତିକି ପରିବର୍ତ୍ତନ ହେବାକୁ ଯାଉଛି। ବିଶେଷକରି ପ୍ରଯୁକ୍ତିବିଦ୍ୟା ଏହି ପରିବର୍ତ୍ତନକୁ ଆଗେଇନେବ।

ସେ ଆହୁରି କହିଲେ, ଆମ ଆଶା ବାହାରେ ଦ୍ରୁତ ପରିବର୍ତ୍ତନ ହେଉଛି। ସଂପ୍ରତି କର୍ପୋରେଟ୍‍ ନିର୍ଣ୍ଣୟ ନେବା ସମୟରେ ଅନେକ ବିରୋଧାଭାସକୁ ସାମନା କରିବାକୁ ପଡ଼ୁଛି।  ଛାତ୍ରଛାତ୍ରୀ ନିଜକୁ ସବୁବେଳେ ଜ୍ଞାନ ଆହରଣରେ ଜଡ଼ିତ ରଖିବା ଉଚିତ। କିଟ୍‍ର ଛାତ୍ରଛାତ୍ରୀ ଏହାର ଜଣେ ଜଣେ ଭଲ ଆମ୍ବାସାଡର ହେବାକୁ ସେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତଙ୍କ ସମେତ ବହୁ ପଦାଧିକାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ସାମନ୍ତ ବାର୍ତ୍ତା ଦେଇ କହିଥିଲେ ଯେ ୧୫ବର୍ଷ ମଧ୍ୟରେ କିଟ୍‌ ବିଶ୍ବବିଦ୍ୟାଳୟ ଭାରତ ସମେତ ବିଶ୍ବର ବହୁ ଅଗ୍ରଣୀ ଉଚ୍ଚତର ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛି। ଏଥିପାଇଁ ଈଶ୍ବରଙ୍କୁ ସମସ୍ତ ‌ଶ୍ରେୟ ଦେଉଛି। ଏଥିସହ ଆଜି ଆମେ ଯେଉଁ ସଫଳତା ହାସଲ କରିଛୁ ସେଥିପାଇଁ କିଟ୍‌ର ସମସ୍ତ ଅଂଶୀଦାରଙ୍କୁ ଧନ୍ୟବାଦ ଜଣାଉଛି। କିଟ୍‌କୁ ଆହୁରି ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ ରହିବ ବୋଲି ଆଶା ଓ ବିଶ୍ବାସ।

ସମ୍ବନ୍ଧିତ ଖବର