୧୬ କୋଟି ଟଙ୍କାର କୁକୁଡ଼ା ଫାର୍ମ ନଷ୍ଟ

ବାତ୍ୟାର ୧୫ ଦିନ ପରେ ବି ଯୋଗଣ ହୋଇନି ଗୋଖାଦ୍ୟ, ଶତାଧିକ ଛେଳି ମେଣ୍ଢା ଅସୁସ୍ଥ

ବାଲିଅନ୍ତା: ବାତ୍ୟାରେ ବାଲିଅନ୍ତା ବ୍ଲକ୍‌ରେ ୫୪ଟି ଗାଈଗୋରୁ, ୯୭ଟି ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ହୋଇଛି। ଏହାଦ୍ବାରା ୧୯ ଲକ୍ଷ ୮୪ ହଜାର ୫୦ ଟଙ୍କାର କ୍ଷୟକ୍ଷତି ହୋଇଥିବା ଉଭୟ ବାଳକାଟି ଓ ବେଣୁପୁର ସ୍ଥିତ ପ୍ରାଣୀ ସଂପଦ ବିକାଶ ବିଭାଗର କାର୍ଯ୍ୟାଳୟ ପକ୍ଷରୁ ଆକଳନ ହୋଇଛି। ସଂପୃକ୍ତ ଗୋ ପାଳକମାନଙ୍କୁ କ୍ଷୟକ୍ଷତି ପ୍ରାପ୍ୟ ପ୍ରଦାନ ପାଇଁ ପ୍ରସ୍ତୁତ ରିପୋର୍ଟ ଜିଲ୍ଲା ପ୍ରାଣୀ ସଂପଦ ବିକାଶ ବିଭାଗକୁ ପଠାଯାଇଛି। ସେହିପରି ୧୬ କୋଟି ଟଙ୍କାର କୁକୁଡ଼ା ଫାର୍ମ ମାଟିରେ ମିଶିଯାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଫାର୍ମରେ ଥିବା ୨ ଲକ୍ଷ ୬୮ ହଜାର ୫୭ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଛି। ୨୦୦୦ ଗୁହାଳ ଘର ଭାଙ୍ଗି ଯାଇଥିବା ବ୍ଲକ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ତଦନ୍ତରେ ବିଳମ୍ବ ହେଉଥିବାରୁ ଗୁହାଳଘର କ୍ଷୟକ୍ଷତି ସଂଖ୍ୟା ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସମ୍ଭବ ହେଉନି ବୋଲି ଜଣେ ଅଧିକାରୀ କହିଛନ୍ତି। ସବୁଠାରୁ ବଡ଼କଥା ହେଲା ବାତ୍ୟା ପରେ ୨୫ ହଜାର ଗୋରୁଗାଈ, ମଇଁଷି ଓ ୧୨ ହଜାର ଛେଳି, ମେଣ୍ଢାଙ୍କ ଲାଗି ବିଭାଗ ପକ୍ଷରୁ ଆବଶ୍ୟକ ୧୧ ହଜାର ୨୦ କ୍ବିଣ୍ଟାଲ ଗୋ ଖାଦ୍ୟ ପହଞ୍ଚି ପାରିନି। ଫଳରେ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପାଣି ଜମିରହିବା ଫଳରେ ଚାରଣଭୂମି ପଚି ଯାଇଛି। ନଡ଼ାକୁଟା ସବୁ ନଷ୍ଟ ହୋଇଯାଇଛି। ଖାଦ୍ୟ ଅଭାବରୁ ଗୃହପାଳିତ ପଶୁମାନେ ହନ୍ତସନ୍ତ ହେଉଛନ୍ତି।

ଅନ୍ୟପକ୍ଷରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ଗୃହପାଳିତ ପଶୁମାନେ ଅସୁସ୍ଥ ହେଉଥିବା ଦେଖାଦେଇଛି। ଛେଳି ଓ ମେଣ୍ଢାଗୁଡ଼ିକ ପତଳା ଝାଡ଼ାରେ ଆକ୍ରାନ୍ତ ହୋଇଥିବା ଖବର ମଧ୍ୟ ମିଳୁଛି। ବାଳକାଟି ପ୍ରାଣୀ ଚିକିତ୍ସାଳୟର ଅତିରିକ୍ତ ବିଭିଓ ଜ୍ୟୋତିରଂଜନ ବିଶ୍ବାଳଙ୍କ କହିବାନୁଯାୟୀ ବାତ୍ୟା ପରେ ଗାଈଗୋରୁ ଓ ଛେଳିମେଣ୍ଢାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଯଥେଷ୍ଟ ଆଶଙ୍କା ଥିବାରୁ ୩୨ଟି ରାଜସ୍ବ ଗ୍ରାମରେ ମାଗଣା ଗୋ ଚିକିତ୍ସା ଶିବିର ଆୟୋଜନ କରି ୪ ହଜାର ୯୪୨ ‌ଗୃହପାଳିତ ପଶୁଙ୍କ ଚିକିତ୍ସା ସରିଛି। ଦୁଇଟି ଭ୍ରାମ୍ୟମାଣ ଗାଡ଼ି ବିଭିନ୍ନ ଅଞ୍ଚଳ ବୁଲି ଗୃହପାଳିତ ପଶୁଙ୍କ ଚିକିତ୍ସା କରାଉଛି।

ସମ୍ବନ୍ଧିତ ଖବର