ରଥଯାତ୍ରା ପାଇଁ ୧୮୪ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରା ସମୟର ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟତୀତ ଆହୁରି ଅଧିକ ୧୮୪ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ସୂଚନା ମିଳିଛି।

ଗୁଣ୍ଡିଚା ଯାତ୍ରା ପାଇଁ ପୁରୀ ଅଭିମୁଖେ ୧୪ଟି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ଜୁଲାଇ ୧୩ ତାରିଖରେ ବିଶାଖାପାଟଣା, ଖଡ଼ଗପୁର, ସାଲିମାର୍‌ ଓ ଜୁନାଗଡ଼ରୁ ଗୋଟିଏ ଲେଖାଏ ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ଫେରନ୍ତା ଦିଗରେ ମଧ୍ୟ ଅନ୍ୟ ୧୪ଟି ଟ୍ରେନ୍‌ ଚାଲିବ। ୧୫ ଜୁଲାଇରୁ ୨୦ ଜୁଲାଇ ଭିତରେ ପୁରୀ ଅଭିମୁଖେ ୨୪ଟି ଟ୍ରେନ୍‌ ଚଳାଚଳ କରିବ। ବାଙ୍ଗିରିପୋଷି ଓ ପୁରୀ ମଧ୍ୟରେ ଏକ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଏବଂ ଖୋର୍ଧା ରୋଡ୍‌ରୁ ୩ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ଅଭିମୁଖେ ଯାତ୍ରା କରିବ। ସେହିପରି ୨୧ ଜୁଲାଇରେ ଠାକୁରଙ୍କ ସନ୍ଧ୍ୟା ଦର୍ଶନ ପାଇଁ ୮ଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ବାହୁଡ଼ା ଯାତ୍ରା ପାଇଁ ପୂର୍ବତଟ ରେଳବାଇ ତରଫରୁ ପୁରୀକୁ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି। ଜୁଲାଇ ୨୧ରେ ବିଶାଖାପାଟଣା, ସାଲିମାର୍‌ ଓ ଜୁନାଗଡ଼ ରୋଡ୍‌ରୁ ଗୋଟିଏ ଲେଖାଏ ଟ୍ରେନ୍‌ ପୁରୀକୁ ଯାତାୟାତ କରିବାକୁ ଥିବା ବେଳେ ଜୁଲାଇ ୨୨ରେ ବାଙ୍ଗିରିପୋଷି, କେନ୍ଦୁଝରଗଡ଼, ଭଦ୍ରକ, କଟକ, ପାରାଦ୍ୱୀପ, ବ୍ରହ୍ମପୁର ଓ ପଲାସାରୁ ଗୋଟିଏ ଲେଖାଏ ଏବଂ ଖୋର୍ଧାରୁ ୩ଟି ଟ୍ରେନ୍‌ ସହ ସର୍ବମୋଟ ୧୦ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀ ପାଇଁ ଯାତ୍ରା କରିବ। ସେହିପରି ବାହୁଡ଼ା ଯାତ୍ରା ଦିନ ଫେରନ୍ତା ଦିଗରେ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ ପୁରୀକୁ ଛାଡ଼ି ବିଭିନ୍ନ ଜାଗାକୁ ଯାତ୍ରା କରିବ।

ଏହା ସହ ମହାପ୍ରଭୁଙ୍କ ସୁନାବେଶରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଅଭିମୁଖେ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି। ଫେରନ୍ତା ଦିଗରେ ମଧ୍ୟ ୧୩ଟି ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା ହୋଇଛି। ଏହା ବ୍ୟତୀତ ୧୪ରେ ଗୁଣ୍ଡିଚା ଯାତ୍ରା, ୨୧ ତାରିଖରେ ସନ୍ଧ୍ୟା ଦର୍ଶନ, ୨୨ରେ ବାହୁଡ଼ା ଏବଂ ୨୩ରେ ସୁନାବେଶ ପାଇଁ ଉଭୟ ଦିଗରେ ଖୋର୍ଧା ରୋଡ୍‌ ଏବଂ ନୟାଗଡ଼ ଟାଉନ୍‌ ମଧ୍ୟରେ ୩ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌ ଚାଲିବ। ତେବେ ୧୪ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ୧୨୮୯୧/୧୨୮୯୨ ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ୍‌ର ସେବାକୁ ପୁରୀ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇ ଏହାର ରହଣି ସ୍ଥଳ ଖୋର୍ଧା ରୋଡ୍‌ ଏବଂ ସାକ୍ଷୀଗୋପାଳକୁ ସ୍ଥିର କରାଯାଇଛି। ଏହା ସହ ୫୮୪୨୬/୫୮୪୨୫ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜରକୁ ପୁରୀ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯିବ।

ସମ୍ବନ୍ଧିତ ଖବର