ଅପହୃତ ସେଲ୍ସମ୍ୟାନ୍‌ ଉଦ୍ଧାର, ୨ ଗିରଫ

ବାଲିଅନ୍ତା : ଜଣେ ଯୁବକଙ୍କୁ ଅପହରଣ କରାଯିବା ମାମଲାରେ ବାଳକାଟି ଫାଣ୍ଡି ପୁଲିସ ଆଜି ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୀ ଜିଲ୍ଲା ଗୋପ ଥାନା ସୁଅର ଗ୍ରାମର ପର୍ଶୁରାମ ପାଢ଼ୀ(୨୯) ଓ ଗଣେଶ୍ବର ପାଢ଼ୀ(୨୮)। ଜାମିନ୍‌ ଆବେଦନ ନାମଂଜୁର ହେବାରୁ ଉଭୟଙ୍କୁ ଝାରପଡ଼ାସ୍ଥିତ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ତେବେ ଏହି ଅପହରଣରେ ସଂପୃକ୍ତ ଅନ୍ୟ ୩ଜଣଙ୍କୁ ପୁଲିସ ଗିରଫ କରିପାରିନାହିଁ।

ଶିଶିଲୋ ଛକସ୍ଥିତ କସ୍ତୁରୀ ବଜାରରେ ସେଲ୍ସମ୍ୟାନ୍ ଭାବେ କାମ କରୁଥିବା ରଞ୍ଜନ ମାଣିକ (୨୦)ଙ୍କୁ ଏହି ଅଭିଯୁକ୍ତମାନେ ମାଡ଼ ମାରି ଗତକାଲି ରାତିରେ ଅପହରଣ କରିନେଇଥିଲେ। ଏ ସଂପର୍କରେ ସଂସ୍ଥାର ଏମ୍‌ଡି ଦିଲ୍ଲୀପ କୁମାର ସ୍ବାଇଁ ବାଳକାଟି ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଫାଣ୍ଡି ଅଧିକାରୀ ଦେବେନ୍ଦ୍ର ସାହୁ ମୋବାଇଲ୍‌ ଟ୍ରାକ୍‌ କରି ରାତି ପ୍ରାୟ ୨ଟାରେ ଲକ୍ଷ୍ମୀସାଗର ରେଳଷ୍ଟେସନ୍‌ରେ ଚଢ଼ଉ କରି ରଞ୍ଜନଙ୍କୁ ଉଦ୍ଧାର କରିବା ସହ ପର୍ଶୁରାମ ଓ ଗଣେଶ୍ବରଙ୍କୁ ଗିରଫ କରିଥିଲେ।

ସୂଚନାନୁଯାୟୀ, କସ୍ତୁରୀ ବଜାରରେ ଦିଲ୍ଲୀପଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ରଞ୍ଜନ ସେଲ୍ସମ୍ୟାନ୍‌ କାମ କରନ୍ତି। ଗତକାଲି ରାତିରେ ବଜାର ସୁରକ୍ଷା କର୍ମୀ ବିନୋଦ ଭୋଇ ଶୌଚ ହେବା ପାଇଁ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ତାଙ୍କ ସହ ରଂଜନ ବି ଯାଇଥିଲେ। ରଞ୍ଜନ ରାସ୍ତା ଉପରେ ଠିଆ ହୋଇ ଭୋକୁଥିବା କୁକୁରକୁ ଏକ ଟେକା ମାରିଥିଲେ। କିନ୍ତୁ ଲକ୍ଷ୍ୟଭଷ୍ଟ୍ର ହୋଇ ଟେକାଟି ନିକଟରେ ମଦ୍ୟପାନ କରୁଥିବା ଯୁବକମାନଙ୍କ ଗ୍ଲାସ୍‌ରେ ବାଜିଥିଲା। ଏଥିରେ ରାଗିଯାଇ ୫ଜଣ ଯୁବକ ରଂଜନ ଓ ବିନୋଦଙ୍କୁ ମାଡ଼ ମାରିଥିଲେ। ଏପରିକି ରଂଜନଙ୍କୁ ମାଡ଼ ମାରି କାର୍‌ରେ ବଳପୂବକ ଅପହରଣ କରି ଭୁବନେଶ୍ବର ଅଭିମୁଖେ ପଳାଇଥିଲେ। ପରେ ସେମାନେ ରଞ୍ଜନଙ୍କ ମୋବାଇଲରେ ମାଲିକଙ୍କୁ ରସୁଲଗଡ଼ ଛକକୁ ଦାବି ମୁତାବକ ଟଙ୍କା ନେଇ ଆସିବା ପାଇଁ କହିଥିଲେ। ପୁଲିସ ଉକ୍ତ ମୋବାଇଲ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର