୨ ବସ୍ ଜଳିଗଲା, ବର୍ତିଗଲା ପେଟ୍ରୋଲ୍‌ ପମ୍ପ

ଖଣ୍ଡଗିରି: ଶନିବାର ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ସ୍ଥାନୀୟ ମହିନ୍ଦ୍ରା ପେଟ୍ରୋଲ୍‌ ପମ୍ପ ନିକଟ‌ରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅଫ୍ ରୋଡ୍‌ ହୋଇ ରହିଥିବା ଦୁଇଟି ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଛି। ମାତ୍ର ସୌଭାଗ୍ୟକୁ ଏହି ଅଗ୍ନିକାଣ୍ଡରେ ପେଟ୍ରୋଲ ପମ୍ପର କୌଣସି କ୍ଷତି ହୋଇନାହିଁ। ବସ୍‌ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଡ଼ି ପଡ଼ିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଥମରୁ କୁହାଯାଉଥିଲେ ବି ପରେ ବସ୍‌ରେ ଲାଗିଥିବା ନିଆଁ ଯୋଗୁଁ ବିଦ୍ୟୁତ୍ ତାର ତରଳି ଛିଡ଼ି ପଡ଼ିଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହି ଅଗ୍ନିକାଣ୍ଡକୁ ନେଇ ନାନା କଥା ଆଲୋଚନା ହେଉଛି। ଏ ନେଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଥିବା ବେଳେ ବସ୍‌ ମାଲିକଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନାହିଁ।

ସୂଚନାନୁସାରେ, ଭୋର୍ ପ୍ରାୟ ସାଢ଼େ ୫ଟା ବେଳେ ଏହି ପେଟ୍ରୋଲ ପମ୍ପ ନିକଟ ଏକ ପଡ଼ିଆରେ ଦୁଇଟି ଅଫ୍ ରୋଡ୍‌ ବସ୍‌(ଓଡି୦୫ସି-୫୨୯୯, ଓଡି୦୫ସି-୪୮୯୯)ରେ ହଠାତ୍ ନିଆଁ ଲାଗି ଯାଇଥିଲା। ସେ‌ତେବେଳେ ନିକଟସ୍ଥ ପେଟ୍ରୋଲ ପମ୍ପର କିଛି କର୍ମଚାରୀ ହିଁ ଘଟଣାସ୍ଥଳରେ ଥିଲେ। ବସ୍ ଦୁଇଟି ହୁତ୍‌ହୁତ୍ ଜଳିବା ଦେଖି ସେମାନେ ନିଆଁଲିଭା ଯନ୍ତ୍ର ଧରି ନିଜ ପେଟ୍ରୋଲ ପମ୍ପକୁ ରକ୍ଷା କରିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ମାତ୍ର ନିଆଁ ଏତେବାଟ ମାଡ଼ି ଆସି ପାରି ନଥିଲା। ଖବର ପାଇ କଳ୍ପନା ଛକ ଓ ସଚିବାଳୟର ଦମକଳ କାର୍ଯ୍ୟାଳୟରୁ ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲା। ଖଣ୍ଡଗିରି ସେସୁ ଅଧିକାରୀଙ୍କ ସୂଚନାନୁସାରେ ବିଦ୍ୟୁତ୍ ତାର ଛିଡ଼ି ଏହି ଅଗ୍ନିକାଣ୍ଡ ଘଟିନାହିଁ। କାରଣ ୧୧ କେଭିର ଗୋଟିଏ ତାର ଛିଡ଼ିଛି ଓ ଏହାଦ୍ବାରା ନିଆଁ ଲାଗିବ ନାହିଁ। ପୁଣି ଘଟଣାସ୍ଥଳ ଯାଞ୍ଚ ପରେ ଜଣାପଡ଼ିଛି ଯେ ଛିଡ଼ି ଯାଇଥିବା ତାର ବସ୍‌ଠାରୁ ବେଶ୍ କିଛି ଦୂରରେ ପଡ଼ିଥିଲା। ତେଣୁ ବସ୍ ଦୁଇଟି ଜଳିବା ପରେ ତାର ତରଳି ଯାଇ ଛିଡ଼ିଯାଇଛି। ତେଣୁ ବସ୍‌ରେ ଅନ୍ୟ କୌଣସି କାରଣରୁ ନିଆଁ ଲାଗିଛି। ଏ ନେଇ ବସ୍ ମାଲିକ ଖଣ୍ଡଗିରି ଥାନାରେ କୌଣସି ଲିଖିତ ଅଭିଯୋଗ କରିନଥିବା ବେଳେ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।

ସମ୍ବନ୍ଧିତ ଖବର