ଗଙ୍ଗୁଆ ବ୍ରିଜ୍‌ ପାଲଟିଛି ମରଣଯନ୍ତା :୨ ଦିନରେ ୩ ଦୁର୍ଘଟଣା; ଗଡ଼ିଲାଣି ୨ ମୁଣ୍ଡ

ଭୁବନେଶ୍ୱର: ଗଙ୍ଗୁଆ ବ୍ରିଜ ଏବେ ମରଣଯନ୍ତା ପାଲଟିଛି। ଦୁଇ ଦିନ ମଧ୍ୟରେ ୩ ଦୁର୍ଘଟଣାରେ ୨ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ରାକେଶ ରଞ୍ଜନ ପାତ୍ର ନାମକ ଜଣେ ଯୁବକ ତାଙ୍କ ବାନ୍ଧବିଙ୍କୁ ହଂସପାଳ ନିକଟରେ ଛାଡ଼ି ଫେରୁଥିବା ବେଳେ ଗଙ୍ଗୁଆ ବ୍ରିଜ୍‌ ଉପରେ ଏକ ଅଜଣା ଗାଡ଼ି ଧକ୍କା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଘଟଣା ଘଟିବାର ୧୨ଘଣ୍ଟା ନ ପୂରୁଣୁ ଠିକ୍‌ ସେହି ସ୍ଥନାରେ ଶୁକ୍ରବାର ଭୋର୍‌ରୁ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ଅଭୟ ଦାସ (୪୨) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭୟଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ତେବେ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳ। ସେ ଏଠାରେ ବମିଖାଲ ଅଞ୍ଚଳରେ ରହି ରୋଷେଇ କାମ କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।

ପୁଲିସ ସୂଚନା ମୁତାବକ, ଶୁକ୍ରବାର ଭୋର୍‌ ପ୍ରାୟ ୫ଟାରେ ଅଭୟ କଟକରୁ ଏକ ବାହାଘରିଆ କାମ ସାରି ସ୍କୁଟିରେ ଭୁବନେଶ୍ୱର ଫେରୁଥିଲେ। ସେ ଗଙ୍ଗୁଆ ବ୍ରିଜ୍‌ ଅତିକ୍ରମ କରୁଥିବା ସମୟରେ ପଛପଟୁ ଆସୁଥିବା ଏକ ଅଜଣା ଗାଡ଼ି ସ୍କୁଟି ପଛକୁ ଧକ୍କା ଦେଇଥିଲା। ଅଭୟ ସ୍କୁଟି ସହ ଘୋଷାଡ଼ି ହୋଇ ୨୦ଫୁଟ୍‌ ଦୂରକୁ ପଳାଇଥିଲେ। ଅଜଣା ଗାଡ଼ିଟି ମଧ୍ୟ ଭାରସାମ୍ୟ ହରାଇ ତାଙ୍କ ଶରୀର ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିଟି ଧକ୍କା ଦେବା ପରେ ଦ୍ରୁତ ଗତିରେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପଥଚାରୀମାନେ ଅଭୟଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁକେଶଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସେହିପରି ଦୁର୍ଘଟଣାର କିଛି ସମୟ ପରେ କଟକ ଆଡ଼କୁ ଯାଉଥିବା ଏକ ଭର୍‌ନା କାର୍‌ ସପ୍ତସତୀ ମନ୍ଦିର ନିକଟରେ ଓଲଟି ପଡ଼ିଥିଲା। ଫଳରେ କାର୍‌ରେ ଥିବା ୨ଜଣ ବ୍ୟକ୍ତି ଆହତ ହୋଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ୨ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲା। ଅନ୍ୟପଟେ ସେହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହେବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ରାସ୍ତାରେ ବାଲି ଜମା ହେବାରୁ ଦୁର୍ଘଟଣା ଘଟୁଛି। ରାସ୍ତାକଡ଼ରୁ ବାଲି ସଫା ନ କରିବାରୁ ଦୀର୍ଘ ଦିନ ଧରି ବାଲି ପଡ଼ି ରହୁଛି। ବାଲିରେ ଗାଡ଼ିଗୁଡ଼ିକ ସ୍ଲିପ୍‌ ହୋଇ ଏଭଳି ଦୁର୍ଘଟଣା ଘଟି ଲୋକମାନଙ୍କ ଧନଜୀବନ କ୍ଷତି ହେଉଛି। ଏନେଇ ଜାତୀୟ ରାଜପଥ କର୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତ୍‌ୁ ବୋଲି ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର