ଏମ୍‌ବିଏ ଛାତ୍ରୀଙ୍କ ସମେତ ୨ ଯୁବତୀଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଖଣ୍ଡଗିରି ଥାନା ଅଞ୍ଚଳରେ ବୁଧବାର ଜଣେ ଏମ୍‌ବିଏ ଛାତ୍ରୀ ଓ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ଜଣେ ବିଷପାନ କରିଥିବାବେଳେ ଅନ୍ୟ ଜଣେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେମାନେ ହେଲେ ସ୍ଥାନୀୟ ଭରତପୁରର ହରିବୋଲ ମାଝୀଙ୍କ ଝିଅ ଅଞ୍ଜଳି ମାଝୀ(୨୨) ଓ ପୁରୀ ଜିଲ୍ଲା ଗୋପ ଥାନା କଣ୍ଟିର ଶରତଚନ୍ଦ୍ର ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା(୨୨)। ଅଞ୍ଜଳି ରାଜଧାନୀର ଏକ ଘରୋଇ କଲେଜରେ ଏମ୍‌ବିଏ ଛାତ୍ରୀ ଥିଲେ। ଲକ୍ଷ୍ମୀପ୍ରିୟା ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିବାବେଳେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଅଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଉଭୟଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ମୃତଦେହ ବ୍ୟବଚ୍ଛେଦ କରାଇବା ସହ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ସୂଚନାନୁସାରେ ଅଞ୍ଜଳି ମଙ୍ଗଳବାର ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ନିଜ ପଢ଼ାଘରେ ଭିତରୁ କବାଟ ବନ୍ଦ କରି ପଢ଼ୁଥିଲେ। ମାତ୍ର ସନ୍ଧ୍ୟା ପ୍ରାୟ ୫ଟା ପର୍ଯ୍ୟନ୍ତ ସେ କବାଟ ନ ଖୋଲିବାରୁ ତାଙ୍କ ମା’ଙ୍କର ସନ୍ଦେହ ହୋଇଥିଲା। ସେ ବାହାରୁ କବାଟ ବାଡ଼େଇ ଡାକିବା ପରେ ଝରକା ଦେଇ ଦେଖିଲା ବେଳକୁ ଅଞ୍ଜଳି ବେକରେ ଓଢ଼ଣି ବାନ୍ଧି ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। ଜୀବିତ ଥିବା ଭାବି ପରିବାର ଲୋକେ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିଭଳି ଗୋପ କଣ୍ଟିର ଲକ୍ଷ୍ମୀପ୍ରିୟା ଗତ ୨୬ ତାରିଖରେ ବିଷ ପିଇ ଗୁରୁତର ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଭରତପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର