ହଜାରେ ଟଙ୍କିଆ ଚେକ୍‌‌ରେ ୨ ଲକ୍ଷ ଉଠାଇନେଲେ, ଆକାଉଣ୍ଟ ହୋଲ୍ଡର ଗିରଫ, ଠକ ଫେରାର

ଭୁବନେଶ୍ବର: ଚେକ୍‌ ବାଉନ୍‌ସ୍‌ ମାମଲାରେ ଗୋଲ୍ଡେନ ବାବା ଗିରଫ ପ୍ରସଙ୍ଗ ଚର୍ଚ୍ଚାରେ ରହିଥିବା ବେଳେ ଆଜି ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣି ଏସ୍‌ବିଆଇ ଶାଖାରେ ଅନୁରୂପ ଘଟଣା ଘଟିଛି। ଏକ ହଜାର ଟଙ୍କିଆ ଚେକ୍‌କୁ ଜାଲିଆତି କରି ଜଣେ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ଉଠାଇ ନେଇଛି। ଦୁର୍ବୃତ୍ତର ଆକାଉଣ୍ଟ ନଥିବାରୁ ଯେଉଁ ଆକାଉଣ୍ଟରୁ ଏହି ଚେକ୍‌ ଏନ୍‌କ୍ୟାସ୍‌ ହୋଇଛି, ସେହି ଆକାଉଣ୍ଟଧାରୀକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ମୂଳ ଠକ ୨ଲକ୍ଷ ନେଇ ଫେରାର୍‌ ହୋଇଯାଇଛି। ଗିରଫ ବ୍ୟକ୍ତି ନୟାଗଡ଼ ଦଶପଲ୍ଲାର ପୀତବାସ ଦେହୁରି ବୋଲି ଜଣାପଡ଼ିଛି। ନିଜର ଆକାଉଣ୍ଟରେ ଏହି ଦୁଇଲକ୍ଷ ଟଙ୍କିଆ ଚେକ୍‌ ଭଙ୍ଗାଇଥିବାରୁ ତାଙ୍କୁ ଗିରଫ କରାଯାଇଛି। କିନ୍ତୁ କେଉଁ ପରିସ୍ଥିତିରେ ଜଣେ ଅଜଣା ବ୍ୟକ୍ତିଙ୍କଠାରୁ ଚେକ୍‌ ଆଣି ପୀତବାସ ଏନ୍‌କ୍ୟା‌ସ୍‌ କଲେ, ଚେକ୍‌ରେ ଏକ ହଜାର ଲେଖାଯାଇଥିବା ବେଳେ ଏହାକୁ ଟାମ୍ପରିଂ କରି ୨ଲକ୍ଷ କରିଦେଲେ, ତାହା ମଧ୍ୟ ବ୍ୟାଙ୍କ୍‌ କର୍ତ୍ତୃପକ୍ଷ ଜାଣି ପାରିଲେ ନାହିଁ, ଚେକ୍‌ ଦେଇଥିବା ଜମାକାରୀଙ୍କ ଖାତାରେ ୨ ଲକ୍ଷ କିମ୍ବା ତଦୂର୍ଧ୍ୱ ଅଛି ବୋଲି ଠକ କେମିତି ଜାଣିଲା, ଏଭଳି ଅନେକ ପ୍ରଶ୍ନ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ସନ୍ଦେହ ଘେରକୁ ଟାଣିଛି। ଆକାଉଣ୍ଟ ହୋଲ୍ଡରଙ୍କ ସମେତ ବ୍ୟାଙ୍କ୍‌ କର୍ମଚାରୀ ମଧ୍ୟ ସମପରିମାଣରେ ଦାୟୀ ହୋଇଥିବାରୁ ସମ୍ପୃକ୍ତ ବ୍ୟାଙ୍କ୍‌ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହେବାକୁ ଯାଉଥିବା ପୁଲିସ କହିଛି।

ପୁଲିସଠାରୁ ପ୍ରାପ୍ତ ସୂଚନା ମୁତାବକ, କୃଷକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ଫେରାର୍‌ ଥିବା ଠକ ଚାନ୍ଦା ଆଦାୟ କରୁଥିଲେ। ବିଭିନ୍ନ ସ୍ଥାନରୁ ବୁଲି ଚାନ୍ଦା ଆଦାୟ କଲା ବେଳେ ବାଲିକୁଦା ଭୋଡ଼ାର ବଂଶୀଧର ସ୍ବାଇଁଙ୍କ ପାଖରେ ପହଞ୍ଚିଥିଲେ। ବଂଶୀଧର ତାଙ୍କୁ ୧ ହଜାର ଟଙ୍କାର ଏକ ସେଲ୍ଫ ଚେକ୍‌ ଦେଇଥିଲେ। ଚେକ୍‌ଟି ପଳାଶୁଣି ଶାଖାର ହୋଇଥିବାରୁ ସମ୍ପୃକ୍ତ ଠକ ଚେକ୍‌କୁ ଧରି ପଳାଶୁଣି ଏସ୍‌ବିଆଇରେ ପହଞ୍ଚିଥିଲେ। ୧ ହଜାର ଟଙ୍କାକୁ ଚତୁରତାର ସହ ଲିଭାଇ ଏହି ପରିମାଣକୁ ୨ ଲକ୍ଷ କରି ଦେଇଥିଲା। ଏହାକୁ ଏକ ଆକାଉଣ୍ଟ ଜରିଆରେ ଏନ୍‌କ୍ୟାସ କରିବାକୁ ଥିବାରୁ ସେ ପୀତବାସଙ୍କୁ ଏହା କରିବା ପାଇଁ ପ୍ରବର୍ତ୍ତାଇ ଥିଲେ। ଆକାଉଣ୍ଟରେ ଏହି ଚେକ୍‌ ଜମା କରାଯିବା ପରେ ୨ଲକ୍ଷ ଉଠା ଯାଇଥିଲା। ଏହି ଦୁଇଲକ୍ଷ ନେଇ ଠକ ଚାଲି ଯାଇଥିଲା। ଆକାଉଣ୍ଟରୁ ୨ଲକ୍ଷ କଟି ଯାଇଥିବା ଦୁଇଦିନ ତଳେ ବଂଶୀଧର ଜାଣିଥିଲେ। ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିଥିଲା। ତଦନ୍ତ ବେଳେ ପୀତବାସଙ୍କ ଆକାଉଣ୍ଟରେ ଏହା ଏନ୍‌କ୍ୟାସ ହୋଇଥିବାରୁ ତାଙ୍କୁ ଗିରଫ କରିଥିଲା। ପଇସା ନେଇ ଫେରାର୍‌ ହୋଇଯାଇଥିବା ଠକକୁ ପୁଲିସ ଖୋଜୁଛି।

ସମ୍ବନ୍ଧିତ ଖବର