ଭୁବନେଶ୍ବର: ଲୁଟ୍ପାଟ୍ କରି ରାଜଧାନୀର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଥିବା ଦୁଇ ଲୁଟେରାକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ଖଣ୍ଡଗିରି ଥାନା ହର ପାର୍ବତୀ ସାହି ଅଞ୍ଚଳର ସିଲୁ ନାୟକ(୨୪), ସଞ୍ଜୟ ସାହୁ ଓରଫ କାହ୍ନା(୧୯)। ପୁଲିସ ସେମାନଙ୍କଠାରୁ ୬ ଗ୍ରାମ୍ ଓଜନର ସୁନାଚେନ୍, ଗୋଟିଏ ବାଇକ୍ ଏବଂ ୭ଟି ମୋବାଇଲ୍ ଫୋନ୍ ଜବତ କରିଛି। ପୁଲିସ ସୂଚନା ମୁତାବକ, ଗତ ଫେବ୍ରୁଆରି ୨୫ତାରିଖରେ ଅମିୟ ଶତପଥୀ ନାମକ ଜଣେ ବ୍ୟକ୍ତି ନୂଆପଲ୍ଲୀସ୍ଥିତ ଘର ସମ୍ମୁଖରେ ଚଲାବୁଲା କରୁଥିଲେ। ଏହି ସମୟରେ ସିଲୁ ଓ ସଞ୍ଜୟ ଏକ ବାଇକ୍ରେ ଆସି ତାଙ୍କ ମୋବାଇଲ୍ ଝାମ୍ପି ନେଇ ଫେରାର୍ ହୋଇଯାଇଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳର କେତେକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ରୁ ପୁଲିସ ଦୁଇ ଲୁଟେରାଙ୍କୁ ଚିହ୍ନଟ କରି ଠିକଣା ଠାବ କରିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଲିସ ପାର୍ବତୀ ସାହିସ୍ଥିତ ଘରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।