ଭୁବନେଶ୍ବରକୁ ୨ଟି ମହାନଗର କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ମହାନଗରପାଳ

ଭୁବନେଶ୍ବର: ଭୁବନେଶ୍ବରର ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ସହରବାସୀଙ୍କୁ ମହାନଗର ନିଗମ ଦ୍ବାରା ଉନ୍ନତମାନର ସେବା ଯୋଗାଇବା ପାଇଁ ଏହାକୁ ଦୁଇଟି ମହାନଗର ନିଗମରେ ବିଭକ୍ତ କରାଯାଉ। ଏହାସହ ଭୁବନେଶ୍ବରକୁ ଜିଲ୍ଲାର ମାନ୍ୟତା ଦିଆଯାଉ ବୋଲି ପୂର୍ବତନ ମହାନଗରପାଳ ଡା. ଜଗନ୍ନାଥ ମହାପାତ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି। ଡା. ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ବର ସହର ପୌରପାଳିକା ଥିଲା। ପରେ ଏହା ମହାନଗର ନିଗମ ହେଲା। ଏବେ ଦୁଇଟି ମହାନଗର ନିଗମ କଲେ ଭୁବନେଶ୍ବରବାସୀ ଅଧିକ ଉପକୃତ ହୋଇପାରନ୍ତେ। ଜାତୀୟ ରାଜପଥ-୧୬ର ରସୁଲଗଡ଼ ଟ୍ରାଫିକ ଛକଠାରୁ ତମାଣ୍ଡୋ ପର୍ଯ୍ୟନ୍ତ ସୀମା ରେଖା ଟାଣି ଦୁଇଟି ମହାନଗର ନିଗମ କରାଯାଇପାରିବ। ଏଥିରେ ଭୁବନେଶ୍ବରର ଦକ୍ଷିଣ କ୍ଷେତ୍ରକୁ ନେଇ ଭୁବନେଶ୍ବର ସାଉଥ୍ ମ୍ୟୁନିସିପାଲ୍ କର୍ପୋରେସନ୍ ବା ଭୁବନେଶ୍ବର ଦକ୍ଷିଣ ମହାନଗର ନିଗମ ଏବଂ ଉତ୍ତର ଅଞ୍ଚଳକୁ ନେଇ ଭୁବନେଶ୍ବର ନର୍ଥ ମ୍ୟୁନିସପାଲ୍ କର୍ପୋରେସନ୍ ବା ଭୁବନେଶ୍ବର ଉତ୍ତର ମହାନଗର ନିଗମ ଗଠନ କରାଯାଇପାରନ୍ତା। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଥିବା ଭୁବନେଶ୍ବରକୁ ଏକ ରାଜସ୍ବ ଜିଲ୍ଲାର ମାନ୍ୟତା ମିଳିଲେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହାର ପରିଚୟରେ ଅଧିକ ସ୍ପଷ୍ଟତା ଆସିବା ସହ ପ୍ରଶାସନିକ ଦୃଷ୍ଟିରୁ ମଧ୍ୟ କାମ କରିବାକୁ ସହଜ ହେବ ବୋଲି ଡା. ମହାପାତ୍ର ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର