ଧାର୍ଯ୍ୟ ସମୟରେ ଔଷଧ ଯୋଗାଣରେ ବିଫଳ, ୨ କମ୍ପାନିର ୩ଟି ଔଷଧ କଳା ତାଲିକାଭୁକ୍ତ

ଭୁବନେଶ୍ବର: ରାଜ୍ୟ ଔଷଧ ନିଗମକୁ ଧାର୍ଯ୍ୟ ସମୟ ଭିତରେ ଔଷଧ ଯୋଗାଇ ନ ପାରିବାରୁ ଦୁଇଟି କମ୍ପାନିର ୩ଟି ଔଷଧକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଆସନ୍ତା ୧ବର୍ଷ ପାଇଁ ଏହି କମ୍ପାନି ନିଗମକୁ କୌଣସି ଔଷଧ ଯୋଗାଇପାରିବ ନାହିଁ। ଏହି ଦୁଇ ଔଷଧ କମ୍ପାନି ମଧ୍ୟପ୍ରଦେଶର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମଧ୍ୟପ୍ରଦେଶ ଉଜ୍ଜୈନ୍‌ସ୍ଥିତ ଏକ ଔଷଧ କମ୍ପାନି ଫେରୋସ୍ ସଲଫେଟ୍‌ ସହ ଫଲିକ୍ ଏସିଡ୍‌ର ନୀଳ ରଂଗର ୯କୋଟି ୮୩ଲକ୍ଷ ୫୫ ହଜାର ବଡ଼ ବଟିକା ଓ ୮କୋଟି ୪୨ଲକ୍ଷ ୬୧ହଜାର ଗୋଲାପି ରଂଗର ଛୋଟ ବଟିକା ଯୋଗାଇବା ପାଇଁ ଟେଣ୍ଡର୍‌ ହାସଲ କରିଥିଲା। ଧାର୍ଯ୍ୟ ସମୟ ଭିତରେ ବଡ଼ ବଟିକାର ୬୧.୪୭ ପ୍ରତିଶତ ଓ ଛୋଟ ବଟିକାର ୪୪.୭ ପ୍ରତିଶତ ବଟିକା ଯୋଗାଇବାରେ ସଫଳ ହୋଇଥିଲା। ରକ୍ତହୀନତାରୁ ରକ୍ଷା କରିବା ପାଇଁ ୫-୯ବର୍ଷର ପିଲା ଓ ୧୦-୧୯ବର୍ଷର କିଶୋର/କିଶୋରୀଙ୍କୁ ଫେରସ ସଲଫେଟ୍‌ ଓ ଫଲିକ ଏସିଡ୍‌ ବଟିକା ଦିଆଯାଉଛି। ତେବେ ସ୍କୁଲରେ ଏହି ବଟିକା ବଣ୍ଟନ ପାଇଁ ନିଅଣ୍ଟ ହୋଇଥିଲା। ତୃଣମୂଳସ୍ତରରେ ବଟିକାର ଅଭାବକୁ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଚିନ୍ତା ପ୍ରକଟ କରିଥିଲା। ଅପରପକ୍ଷରେ ଠିକ୍ ସମୟ ଭିତରେ ଔଷଧ ଯୋଗାଇ ନ ପାରିବା କାରଣରୁ ସଂପୃକ୍ତ କମ୍ପାନିକୁ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। କମ୍ପାନି କହିଥିଲା, ମଧ୍ୟପ୍ରଦେଶରେ ପ୍ରବଳ ବର୍ଷ ଯୋଗୁଁ ଔଷଧ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ଅତିରିକ୍ତ ୧୫ଦିନ ସମୟ ମାଗିଥିଲା କମ୍ପାନି। ତେବେ ଧାର୍ଯ୍ୟ ସମୟ ଭିତରେ ଔଷଧ ଯୋଗାଣରେ ବିଫଳ ହେବାରୁ ସଂପୃକ୍ତ କମ୍ପାନିର ଔଷଧକୁ କଳାତାଲିକାଭୁକ୍ତ କରାଯାଇଥିବା ନିଗମ ପକ୍ଷରୁ ସୂଚନା ମିଳିଛି। ସେହିପରି ମଧ୍ୟପ୍ରଦେଶର ଇନ୍ଦୋର କମ୍ପାନି କ୍ୟାଲସିୟମ୍ ଓ ଭିଟାମିନ୍ ଡି୩ ଯୋଗାଇବା ପାଇଁ ଟେଣ୍ଡର ହାସଲ କରିଥିଲା। ମାତ୍ର ସଂପୃକ୍ତ କମ୍ପାନି ୯୪.୭୫ ପ୍ରତିଶତ ଔଷଧ ଯୋଗାଇବାରେ ସଫଳ ହୋଇଥିଲା। ଏହାକୁ ନେଇ ସଂପୃକ୍ତ କମ୍ପାନିକୁ ନିଗମ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ଆରଏମ୍‌ଏନ୍‌ସିଏଚ୍‌+ଏ କାର୍ଯ୍ୟକ୍ରମରେ ଭିଟାମିନ୍‌ ଡି୩ ବଣ୍ଟନ କରାଯାଉଛି। ତେଣୁ ଠିକ୍ ସମୟରେ ଔଷଧର ବଣ୍ଟନ ଜରୁରୀ। ତେବେ ଧାର୍ଯ୍ୟ ସମୟ ବାଦ୍ କମ୍ପାନିକୁ ଅତିରିକ୍ତ ୩୦ଦିନ ସମୟ ଦିଆଯାଇଥିଲା। ଏହା ସତ୍ତ୍ବେ କମ୍ପାନି ଔଷଧ ଯୋଗାଇବାରେ ବିଫଳ ହୋଇଥିଲା। ଏହି କାରଣରୁ ଔଷଧ କମ୍ପାନିର ଭିଟାମିନ୍ ଡି୩ ଔଷଧକୁ ଆସନ୍ତା ୧ବର୍ଷ ପାଇଁ କଳାତାଲିକାଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର