ବିମୁଦ୍ରୀକରଣକୁ ଦୁଇ ବର୍ଷ ବିତିଲା, ଆରମ୍ଭ ହୋଇ ପାରିଲାନି ଇ-ଚାଲାଣ ବ୍ୟବସ୍ଥା

ଭୁବନେଶ୍ବର: ବିମୁଦ୍ରୀକରଣକୁ ଦୁଇ ବର୍ଷ ବିତିଗଲା। କିନ୍ତୁ କମିସନରେଟ୍‌ ପୁଲିସ ଯୋଜନା କରିଥିବା ଇ- ଚାଲାଣ ବ୍ୟବସ୍ଥା ଏଯାଏ ଲାଗୁ ହୋଇ ପାରିଲା ନାହିଁ। ଆଜି ବି ନଗଦ ଆକାରରେ ନିୟମ ଉଲ୍ଲ˚ଘନକାରୀଙ୍କଠାରୁ କମିସନରେଟ୍‌ ପୁଲିସ ଫାଇନ୍‌ ଆଦାୟ କରୁଛି। ଫଳରେ ଫାଇନ ଆଦାୟରେ ସ୍ବଚ୍ଛତା ନେଇ ଅନେକ ପ୍ରଶ୍ନ ଉଠିଛି। ବିମୁଦ୍ରୀକରଣ ସମୟରେ ଟଙ୍କାର ସଙ୍କଟ ଓ ଡିଜିଟାଲ କାରବାରକୁ ଅଗ୍ରାଧିକାର ଦେବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଇ-ଚାଲାଣ ଯୋଜନା ହୋଇଥିଲା। କିନ୍ତୁ ଏକାଧିକ କାରଣରୁ ସେହି ଯୋଜନା ଏବେ ଯୋଜନା ମଧୢରେ ରହି ଯାଇଛି। ଆସନ୍ତା କେତେ ମାସ କିମ୍ବା ବର୍ଷ ମଧୢରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ତାହା ଏବେ ବି ଅସ୍ପଷ୍ଟ। କମିସନରେଟ୍‌ ପୁଲିସ ପକ୍ଷରୁ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ ଦୀର୍ଘ ଦିନରୁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧୢ ଗତ ବିମୁଦ୍ରୀକରଣ ପରେ ଏହି ଯୋଜନାକୁ ତ୍ବରିତ ବେଗରେ କାମରେ ଲଗାଇବାକୁ ପୂର୍ବତନ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଯୋଜନା କରିଥିଲେ। ଏପରିକି କେତେକ ରା‌ଷ୍ଟ୍ରାୟତ ବ୍ୟାଙ୍କ ସହିତ ଏ ନେଇ ଆଲୋଚନା ମଧ୍ୟ ହୋଇଥିଲା। ମେସିନ୍ କିଣିବା ପାଇଁ ମଧ୍ୟ ଦିନ ଧାର୍ଯ୍ୟ ହୋଇ ସାରିଥିଲା। କିନ୍ତୁ ହଠାତ ତାଙ୍କ ବଦଳି ପରେ ଯେମିତି ଯୋଜନା ଅଧାରେ ଲଟକି ଯାଇଛି। ଫଳରେ ଇ-ଚାଲାଣ ବ୍ୟବସ୍ଥା ଯେମତି ସ୍ବପ୍ନ ହୋଇ ରହି ଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ନିୟମ ଉଲ˚ଘନ କରୁଥିବା ବାଇକ୍‌ ଓ କାର ଚାଳକମାନେ ପାଖରେ ଟଙ୍କା ନାହିଁ କହି ଖସି ଯାଉଥିଲେ। ଏପରିକି କେତେକ ଅସାଧୁ କର୍ମଚାରୀ ନିର୍ଦିଷ୍ଟ ଫାଇନ୍‌ଠାରୁ କମ୍‌ ଟଙ୍କା ନେଇ ବିନା ରସିଦରେ ଉଲ୍ଲ˚ଘନକାରୀଙ୍କୁ ବିଦା କରି ଦେଉଥିଲେ। ଏହା ଛଡ଼ା ଟ୍ରାଫିକ୍‌ ଅଫିସରମାନେ ଫାଇନ୍‌ ଆଦାୟ ଟଙ୍କାକୁ ମାସ ମାସ ଧରି ନିଜ ପାଖରେ ରଖୁଥିଲେ। ସମୟ ହେଲେ ସେହି ସବୁ ଟଙ୍କାକୁ ନେଇ ଆର‌୍‌ଟିଓରେ ଜମା କରୁଥିଲେ। ତେବେ ଇ-ଚାଲଣ ବ୍ୟବସ୍ଥା ଲାଗୁ ହେବା ପରେ ଯେଉଁମାନେ ଟ୍ରାଫିକ ନିୟମର ଉଲ୍ଲ˚ଘନ କରିବେ ସେମାନଙ୍କଠାରୁ ନଗଦ ଆକାରରେ ଫାଇନ୍‌ କାଟିବା ବଦଳରେ ଏକ ଇ-ଚାଲାଣ ମେସିନ୍‌ ମାଧୢରେ ଫାଇନ କଟା ଯିବ। ଏହି ମେସିନ୍‌ରେ ଏଟିଏମ୍‌ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ମାଧୢମରେ ସ୍ବାଇପ କରି ଜରିମାନା ଆଦାୟ କରାଯିବ। ଟ୍ରାଫିକ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇ-ଚାଲଣ ବ୍ୟବସ୍ଥା ଲାଗୁ କରିବାରେ ବିଭିନ୍ନ ସମସ୍ୟା ରହିଛି। ପ୍ରଥମେ ଟ୍ରାଫିକ ଅଧିକାରୀ ଧରିବାକୁ ଥିବା ଇ-ଚାଲାଣ ମେସିନ୍‌ର କଣ୍ଟ୍ରୋଲ ପାଇଁ ଗୋଟିଏ ସ୍ଥାନରେ ଏକ ବଡ଼ ସର୍ଭର୍‌ର ଆବଶ୍ୟକ ରହିଛି। ଏହା ଛଡ଼ା ଆର‌୍‌ଟିଓ ସହିତ ଏହାକୁ ସ˚ଯୋଗ କରିବାକୁ ପଡ଼ିବ ଓ ଟ୍ରାଫିକ କର୍ମଚାରୀମାନଙ୍କୁ ଏ ନେଇ ସ୍ବତନ୍ତ୍ର ଭାବେ ତାଲିମ ଦେବାକୁ ପଡ଼ିବ। ଏନେଇ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ଟ୍ରାଫିକ ଏସିପି ଅନୁପ କାନୁନ୍‌ଗୋ କହିଛନ୍ତି, ଯେହେତୁ ଏହି ମେସନ୍‌ଗୁଡ଼ିକ ଟ୍ରାଫିକ୍‌ ପୁଲିସ ଅଧିକାରୀମାନେ ଧରିବେ, ତାହା ହାଲୁକା ହେବା ଆବଶ୍ୟକ। କମିସନରେଟ୍‌ ପୁଲିସ ପକ୍ଷରୁ ଏନେଇ ବିଭିନ୍ନ କମ୍ପାନିର ଇ-ଚାଲାଣ ମେସିନ୍‌ ଦେଖା ସରିଲାଣି। ଖୁବ୍‌ ଶୀଘ୍ର ଏକ ନିର୍ଦିଷ୍ଟ କମ୍ପାନିର ଇ-ଚାଲାଣ ମେସିନ ଆସିଯିବ। ମେସିନ୍‌ ଆସିବା ପରେ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲିମ ଦିଆଯିବ।
ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି କହିଛନ୍ତି, ଇ-ଚାଲାଣ ବ୍ୟବସ୍ଥା ଦୁଇ ସପ୍ତାହ ମଧ୍ୟରେ ଲାଗୁ ହେବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କେବଳ ଟ୍ରାଫିକ କାହିଁକି, ସମସ୍ତ ଥାନା ଓ ଲାଇସେନ୍ସ ସେଲରେ ମଧ୍ୟ ଇ- ଚାଲାଣ ବ୍ୟବସ୍ଥା ଲାଗୁ ହେବ। ଏଥିପାଇଁ ୨ଶହ ପିଓଏସ୍ ମେସିନ୍ ଆସୁଛି। ଏଥିପାଇଁ କମିସନରେଟ୍‌ ପୁଲିସ ଓ ଏଚଡିଏଫ୍‌ସି ବ୍ୟାଙ୍କ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଛି।

ସମ୍ବନ୍ଧିତ ଖବର