କାନନବିହାର ଫେଜ୍ ୨ରେ ଅସାମାଜିକ ଯୁବକଙ୍କ ଉତ୍ପାତ: ୨୦ କାର୍ କାଚ ଭାଙ୍ଗିଲେ

ସିସିଟିଭି ଥିବା ସ୍ଥାନକୁ ଛାଡ଼ି ଦେଇଛନ୍ତି ଦୁର୍ବୃତ୍ତ, ପାଟ୍ରୋଲିଂ ହେଉ ନଥିବା ଅଭିଯୋଗ ଆଣିଲେ କଲୋନି ବାସିନ୍ଦା

ଚନ୍ଦ୍ରଶେଖରପୁର: ଗୋଟିଏ କି ଦୁଇଟି ନୁହେଁ, ରାସ୍ତା କଡ଼ରେ ପାର୍କିଂ ହୋଇଥିବା ପାଖାପାଖି ୨୦ଟି କାର୍‌ କାଚ ଭାଙ୍ଗି ସ୍ଥାନୀୟ କାନନ ବିହାର ଫେଜ୍‌-୨ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ଦୁର୍ବୃତ୍ତ। ସୋମବାର ବିଳମ୍ବିତ ରାତିରେ କିଛି ଅସାମାଜିକ ଯୁବକ ଏମ୍‌ଆଇଜି କଲୋନିର ଏଟିଏମ୍ ଲେନ୍, ଲକ୍ଷ୍ମୀନାରାୟଣ ମନ୍ଦିର ଲେନ୍, ଜୟଦେବ ସ୍କୁଲ୍ ଲେନ୍‌‌ର ଲୋକଙ୍କ ଘର ସାମ୍ନାରେ ରଖାଯାଇଥିବା କାର୍‌ଗୁଡ଼ିକର କାଚ ଭାଙ୍ଗି ଦେଇଛନ୍ତି। ଏ ସଂପର୍କରେ ଆଜି ସକାଳୁ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ପ୍ରଥମେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ପ୍ରାୟ ୩ ଘଣ୍ଟା ବିଳମ୍ବରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ନିକଟରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା ଚଳାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୨ଟାରୁ ୩ଟା ମଧ୍ୟରେ କିଛି ଯୁବକ ଏକ ଅଟୋରେ ଆସି ମୃଦୁପାନୀୟ ବୋତଲ ଓ ଲୁହା ଜିଆଇ ପାଇପ୍‌ରେ କଲୋନିର ଗଳିରେ ରଖାଯାଇଥିବା କାର୍‌ଗୁଡ଼ିକର କାଚ ଭାଙ୍ଗିବା ଆରମ୍ଭ କରିଥିଲେ। ଘର କ୍ୟାମ୍ପସ୍ ଭିତରେ ପାର୍କିଂ ନ କରି ରାସ୍ତା କଡ଼ରେ ରଖା ଯାଇଥିବା କାର୍‌ଗୁଡ଼ିକୁ ଟାର୍ଗେଟ୍ କରିଥିଲେ। କିନ୍ତୁ ଯେଉଁ ଘର ସାମ୍ନାରେ ସିସିଟିଭି ଲାଗିଛି, ସେଠାରେ ଥିବା କାର୍‌ଗୁଡ଼ିକୁ ଦୁର୍ବୃତ୍ତମାନେ ହାତ ମାରିନାହାନ୍ତି। ଏଥିରୁ ପୁଲିସ ଏଇୟା ଅନୁମାନ କରୁଛି ଯେ ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସିସିଟିଭି ପାଖ ମାଡ଼ି ନାହାନ୍ତି। କେବଳ ସିସିଟିଭିର ଦୂରରେ ଥିବା କାର୍‌ଗୁଡ଼ିକର କାଚ ବାଡ଼େଇ ଭାଙ୍ଗିଛନ୍ତି। ଅପରପକ୍ଷେ ପାଟ୍ରୋଲିଂ ଅଭାବରୁ ଏଠାରେ ଏମିତି ଆପରାଧିକ ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଉଭୟ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ଏହି ଅଞ୍ଚଳ ଆସୁଥିବାରୁ ୨ ଥାନାର ପିସିଆର ପାଟ୍ରୋଲିଂ କରିଥାଏ। କିନ୍ତୁ କଲୋନି ଗଳିରେ ପିସିଆର୍ ନବୁଲି ଛକରେ ରହି ପଳାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଏହାର ଫାଇଦା ନେଇ ଅସାମାଜିକ ଯୁବକମାନେ ଗତକାଲି ରାତିରେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଇଛି।

ସମ୍ବନ୍ଧିତ ଖବର