୨୦ ଯୁବ ଜ୍ୟୋତିର୍ବିଜ୍ଞାନୀ ସମ୍ମାନିତ

ଇସ୍ରୋ ଭ୍ରମଣର ସୁଯୋଗ ପାଇବେ

ଭୁବନେଶ୍ୱର : ଟାଟା ଷ୍ଟିଲ୍‌ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ସହଯୋଗରେ ଆୟୋଜିତ ୧୧ତମ ଯୁବ ଜ୍ୟୋତିର୍ବିଜ୍ଞାନୀ ଅନେ୍ଵଷଣ ପ୍ରତିଯୋଗିତାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଛନ୍ତି। ସେମାନଙ୍କୁ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଯେକୌଣସି ଗବେଷଣା ସଂସ୍ଥାକୁ ପରିଦର୍ଶନରେ ନିଆଯିବ।

ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଆଇଟି ସଚିବ ନିକୁଞ୍ଜ ବିହାରୀ ଧଳ, ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଓ ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ୍‌, ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ପରିଚାଳନା ନିର୍ଦେଶକ ଶ୍ରୀ ଅରୁଣ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଯୁବ ପ୍ରତିଭା ତଥା ଆର୍ଥ ଟୁ ଅରବିଟ୍‌ ସଂସ୍ଥାର ସହ ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡକ୍ଟର ସୁଶ୍ମିତା ମହାନ୍ତିଙ୍କୁ ସମ୍ମାନିତ କରିଥିଲେ।

ରାଜ୍ୟର ୨୦ ଜଣ ଯୁବ ପ୍ରତିଭାଙ୍କ ଚୟନ ପାଇଁ ୪ମାସ ଧରି ଚାଲିଥିବା ୟାଟସ୍‌ ପ୍ରତିଯୋଗିତା ଆଜି ସମାପ୍ତ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ ବିଦ୍ୟାଳୟରୁ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଜରିଆରେ ପ୍ରାୟ ୩୨,୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ୟାଟସ୍‌ର ୧୧ତମ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରେ ନ୍ୟୁକ୍ଲିୟର ପାଓ୍ଵାର କର୍ପୋରେସନ୍‌ ତରଫରୁ ଏକ ଦୁଇ ଦିନିଆ ସୂଚନାତ୍ମକ ପ୍ରଦର୍ଶନୀର ଆୟୋଜନ କରାଯାଉଛି। ଏହି ପ୍ରଦର୍ଶନୀ ୧୩ ଓ ୧୪ ଦୁଇଦିନ ଚାଲିବ।

ସମ୍ବନ୍ଧିତ ଖବର