ଡିବିରି ଆଲୁଅ ଭରସା, ଚୁନୁକୋଳିର ୨୦୮ ପରିବାର ପାଖ‌ରେ ପହଞ୍ଚିନି ବିଜୁଳି

ସବୁ ଜାଣି ଚୁପ୍‌ ବସିଛନ୍ତି ବିଦ୍ୟୁତ୍‌ ବିଭାଗ ଅଧିକାରୀ

ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାର ‘ସୌଭାଗ୍ୟ’ ଯୋଜନା କଲେ। ରାଜ୍ୟ ସରକାର ବି ବିଜୁଙ୍କ ନାମରେ ଏକାଧିକ ଯୋଜନା କରି ପ୍ରତି ଘରେ ବିଜୁଳି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଲେ। ଶତ ପ୍ରତିଶତ ସଫଳତା ମିଳିଛି ବୋଲି ଡିଣ୍ଡିମ ପିଟିଲେ ଉଭୟ ସରକାର। ତଥାପି ଆଜି ପର୍ଯ୍ୟନ୍ତ ୨୦୮ ପରିବାର ପାଖରେ ପହଞ୍ଚିପାରିନି ବିଜୁଳି। ଏବେ ବି ଡିବିରି ଆଲୁଅରେ ରାତି କାଟୁଛନ୍ତି ଲୋକେ। ଏହା କୌଣସି ଉପାନ୍ତ କିମ୍ବା ପାହାଡ଼ିଆ ଅଞ୍ଚଳର କଥା ନୁହେଁ। ଖୋଦ୍‌ ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଆମେ କହୁଛୁ ଶୈଳଶ୍ରୀବିହାର ନିକଟରେ ଥିବା ଜଗନ୍ନାଥ ପ୍ରସାଦ ଚୁନୁକୋଳି ଗ୍ରାମବାସୀଙ୍କ କଥା। ଦେଶର ଏକ ନମ୍ବର ସ୍ମାର୍ଟ ସିଟି ଭୁବନେଶ୍ବର ଭିତରେ ରହୁଥିଲେ ମଧ୍ୟ ଏଠାରେ ଥିବା ୨୦୮ ପରିବାରଙ୍କୁ ଏପର୍ଯ୍ୟନ୍ତ ବିଜୁଳି ପହଞ୍ଚିନି। ଏନେଇ ଗ୍ରାମବାସୀମାନେ ସେକ୍ସନ ଅଧିକାରୀଙ୍କଠାରୁ ଆରମ୍ଭ କରି ବିସିଡିଡି-୨ର ବରିଷ୍ଠ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେଣି। ତଥାପି କିଛି ବି ଫଳ ମିଳୁନି। ଘରକୁ ଆଜି ପର୍ଯ୍ୟନ୍ତ ବିଜୁଳି ଟଣାଯାଇପାରିଲା ନାହିଁ। ରାଜ୍ୟ ସରକାର ତଥା ଶକ୍ତି ବିଭାଗ ନାକ ତଳେ ଏଭଳି ଅବସ୍ଥା ଥିଲେ ମଧ୍ୟ ସେଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି। ଏପରିକି ସଚିବାଳୟଠାରୁ ମାତ୍ର ୮ରୁ ୧୦ କିମି ଦୂରରେ ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନି।

ସବୁଠାରୁ ବଡ଼ ବିଚିତ୍ର କଥା ହେଉଛି ଯେ ଯେଉଁ ୨୦୮ ପରିବାର ବିଜୁଳି ପାଇବାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ନାମ ‘ସୌଭାଗ୍ୟ’ ତାଲିକାରେ ପ୍ରକାଶ ପାଇଛି। ଗ୍ରାମବାସୀଙ୍କର ଭୋଟର ପରିଚୟପତ୍ର ସମେତ ରାସନ୍‌ ଓ ଆଧାର କାର୍ଡ ରହିଛି। ସମସ୍ତ ପ୍ରକାର ପରିଚୟ ରହିଥି‌ଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏଠାକାର ଲୋକେ। ଦୁଇ ବର୍ଷ ତଳେ ଯେତେବେଳେ ‘ସୌଭାଗ୍ୟ’ ଯୋଜନା ଆରମ୍ଭ ହେଲା ସେତେବେଳେ ଏଠାକାର ଲୋକେ ଆବଶ୍ୟକୀୟ ତଥ୍ୟ ସହ ଆବେଦନ କରିଥିଲେ। ପ୍ରକାଶ ପାଇଥିବା ତାଲିକା‌ରେ ଲୋକଙ୍କ ନାମ ରହିଥିଲେ ମଧ୍ୟ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟର ଅଧିକାରୀମାନେ ଏଦିଗରେ ପଦକ୍ଷେପ ନେଲେନି। ଏପର୍ଯ୍ୟନ୍ତ ଏହି ଗ୍ରାମକୁ ବିଦ୍ୟୁତ୍‌ ଖଣ୍ଟ ପଡ଼ିନି କି ତାର ଟଣାଯାଇନି। ଦୀର୍ଘ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଅଞ୍ଚଳବାସୀ। ଏପରିକି ଏଠାରେ ରହୁଥିବା ଛୋଟ ଛୋଟ ପିଲା ଡିବିରି ଆଲୁଅରେ ପାଠପଢ଼ୁଥିବାରୁ ସେମାନଙ୍କ ଆଖି ଉପରେ ପ୍ରଭାବ ପଡ଼ୁଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ଜଗନ୍ନାଥ ପ୍ରସାଦ ଚୁନୁକୋଳି ଆଦିବାସୀ ଉନ୍ନୟନ ଟ୍ରଷ୍ଟ ସଭାପତି ତପନ କୁମାର ନାୟକ ଓ ସମ୍ପାଦକ ରାମ ପୃଷ୍ଟି କହିଛନ୍ତି ଯେ ଏହି ଗ୍ରାମରେ ୫୦୦ରୁ ଅଧିକ ପରିବାର ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୯୨ ପରିବାରଙ୍କୁ ବିଜୁଳି ଦିଆଯାଇଛି। ବାକି ୨୦୮ ପରିବାରଙ୍କ ନିକଟରେ ପହଞ୍ଚିନି ବିଜୁଳି। ‘ସୌଭାଗ୍ୟ’ ଯୋଜନା ଆରମ୍ଭ ହେବା ପରେ ଆମେ ଏଥିରେ ସାମିଲ ହୋଇଥିଲୁ। ହେଲେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛୁ। ଯେ‌ତିକି ଖବର ମିଳିଛି ଗୋଟିଏ  ପ୍ଲଟ୍‌କୁ ନେଇ ମାମଲା ଚାଲିଛି। ‌ସେହି ପ୍ଲଟକୁ ଆଧାର କରି ବାକି ପରିବାର ରହୁଥିବା ପ୍ଲଟକୁ ମଧ୍ୟ ବିଜୁଳି ସଂଯୋଗ କରାଯାଉ ନାହିଁ। ବିଭାଗୀୟ ଅଧିକାରୀମାନେ ରୋକଠୋକ୍‌ ମନା କରିଦେଉଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନିଆଯାଉ, ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର