ବାରଙ୍ଗ: ଆଜି ବଡ଼ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ଗତକାଲି ରବିବାରରେ ନନ୍ଦନକାନନରେ ରେକର୍ଡ଼ ୪୪ ହଜାରରୁ ଊର୍ଧ୍ୱ ପର୍ଯ୍ୟଟକ ବୁଲିଥିବାବେଳେ ଆଜି ଏହି ସଂଖ୍ୟା ୨୩ ହଜାର ୬୨୮ ରେ ସୀମିତ ରହିଛି। ସୋମବାରରେ ନନ୍ଦନକାନନ ବନ୍ଦ ରହୁଥିଲେ ହେଁ ଆଜି ‘ବଡ଼ଦିନ’ ଯୋଗୁଁ ସ୍ୱତନ୍ତ୍ର ଭାବେ ଏହା ଖୋଲା ରଖା ଯାଇଥିଲା। ତେଣୁ ଆଜି ସକାଳଠାରୁ ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ସମେତ ବଡ଼ଦିନର ମଜା ନେବାକୁ ରାଜଧାନୀବାସୀଙ୍କ ସମାଗମ ଆରମ୍ଭ ହୋଇଥିଲା। ପର୍ଯ୍ୟଟକମାନେ ନନ୍ଦନକାନନର ପ୍ରାକୃତିକ ପରିବେଶରେ ୧୧୨ ଖୁଆଡ଼ ମଧ୍ୟରେ ରହୁଥିବା ବାଘ, ସିଂହ, ଜିରାଫ, ହାତୀ, ସିମ୍ପାଞ୍ଜି, ହରିଣ, ସମ୍ବର, ସରୀସୃପ ଓ ପକ୍ଷୀ ଆଦି ସମେତ ମୋଟ ୧୮୧୦ ଜୀବଜନ୍ତୁଙ୍କୁ ବୁଲି ଦେଖିଥିଲେ। ବାଘ ସଫାରି, ସିଂହ ସଫାରି, ତୃଣଭୋଜି ସଫାରି ବସ୍ରେ ବୁଲି ଦେଖିବା ପାଇଁ ବ୍ୟବସ୍ଥା ଥିବାରୁ ଏଠାରେ ବେଶି ଭିଡ଼ ପରିଲକ୍ଷିତ ହୋଇଥିଲା। ଏହା ବ୍ୟତୀତ ଅନେକେ କାଞ୍ଜିଆ ହ୍ରଦରେ ବୋଟିଂର ମଜା ନେଇଥିଲେ। ଯୁବପିଢ଼ି ନନ୍ଦନକାନନ ପରିସରରେ ଥିବା ଜଳ ଫୁଆରା, ବିଭିନ୍ନ ଉଦ୍ୟାନ, ଜୀବଜନ୍ତୁ ଘର ନିକଟ ପ୍ରାକୃତିକ ପରିବେଶରେ ସେଲଫି ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପିକ୍ନିକ୍ ଦଳଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଥିଲେ ହେଁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ପ୍ରଜାପତି ଉଦ୍ୟାନ, ଶୁଷ୍କ ଉଦ୍ୟାନ, କାଚଘର, ମୋଗଲ ଗାଡେନ୍ ସମେତ ୨୨ଟି ଉଦ୍ୟାନରେ ବୁଲି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ। ଆଜି ସୋମବାର ଖୋଲା ଥିବାରୁ ମଙ୍ଗଳବାର ନନ୍ଦନକାନନର ପ୍ରାଣୀ ଉଦ୍ୟନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ବନ୍ଦ ରହିବ ବୋଲି କର୍ତୃପକ୍ଷ ପୂର୍ବରୁ ଘୋଷଣା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଶେଷ ହେବାକୁ ଆଉ ମାତ୍ର ୫ ଦିନ ଥିଲାବେଳେ ନନ୍ଦନକାନନର ପର୍ଯ୍ୟଟକ ଆଗମନ ସଂଖ୍ୟା ରେକର୍ଡ ସୃଷ୍ଟି କରି ସାରିଲାଣି। ଆଜି ସୁଦ୍ଧା ନନ୍ଦନକାନନକୁ ୨୧ ଲକ୍ଷ ୧୨ ହଜାର ୨୮୫ ପର୍ଯ୍ୟଟକଙ୍କ ଆଗମନ ହୋଇ ସାରିଲାଣି। ଯାହା ଗତବର୍ଷ ତୁଳନାରେ ୧ଲକ୍ଷ ୩୦ ହଜାର ୮୭୩ ଅଧିକ ହୋଇ ବୋଲି ନନ୍ଦନକାନନର ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସଙ୍କ ସୂଚନାରୁ ଜଣାପଡ଼ିଛି।