୨୫ ରାଜ୍ୟର ୩୫୦ରୁ ଉର୍ଧ୍ୱ ବୁଣାକାର ଓ କାରିଗରଙ୍କ ଅଂଶଗ୍ରହଣ

ଦ୍ୱାଦଶ ତୋଷାଳୀ ଜାତୀୟ କ୍ରାଫ୍ଟସ୍‌ ମେଳା ଉଦ୍‌ଘାଟିତ

ଚନ୍ଦ୍ରଶେଖରପୁର: ସାରା ଭାରତର ଲକ୍ଷ ଲକ୍ଷ ବୁଣାକାର ଏବଂ କାରିଗରମାନଙ୍କ କଳା ନିପୁଣତା ଓ କାରିଗରୀ କୌଶଳକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା, ଏକ ଅନୁକୁଳ ବଜାର ସୃଷ୍ଟି, ନୂତନ ଜ୍ଞାନକୌଶଳର ଉପଯୋଗ ପୂର୍ବକ ପାରମ୍ପରିକ କଳା ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ନେଇ ଅନୁଷ୍ଠିତ ହେଉଥିବା ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ବର୍ତ୍ତମାନ ବୁଣାକାର, କାରିଗର, ଗ୍ରାହକ, ଦର୍ଶକ ଏବଂ ପର୍ଯ୍ୟଟକମାନଙ୍କ ମହାକୁମ୍ଭରେ ପରିଣତ ହୋଇଛି। ଦ୍ୱାଦଶ ତୋଷାଳୀ ଜାତୀୟ କ୍ରାଫ୍ଟସ୍‌ ମେଳାର ଉଦ୍‌ଘାଟନି ସମାରୋହରେ ଏପରି ମତ ଦେଇଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ।

ରାଜ୍ୟର ୪୪ହଜାର ବୁଣାକାର ପରିବାର ତଥା ଦେଢ଼ଲକ୍ଷ ହସ୍ତଶିଳ୍ପ କାରିଗରଙ୍କ ସାମଗ୍ରିକ ବିକାଶ ନିମିତ୍ତ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ବରଗଡ଼ ଜିଲ୍ଲାରେ ଏକ ବୁଣାକାର ବଜାର ପ୍ରତିଷ୍ଠା ସହିତ ଦୁଇଟି ହ୍ୟାଣ୍ଡ୍‌ଲୁମ ପାର୍କ ପ୍ରତିଷ୍ଠା କରାଯିବ। ସେହିପରି କେନ୍ଦୁଝର ଜିଲ୍ଲା ଭଗମୁଣ୍ଡାରେ ଏକ ରେଶମ ପାର୍କ ପ୍ରତିଷ୍ଠା ହେବା ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଥିଲେ। ଏହି ଅବସରରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା, ବିଶିଷ୍ଟ ଶିଳ୍ପୀ ଡ. ରଘୁନାଥ ମହାପାତ୍ର, ଶେଷକୁମାର ମେହେର ପ୍ରମୁଖ ଯୋଗଦେଇଥିଲେ।

ଆସନ୍ତା ୨୭ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ଚଳିତ ବର୍ଷ ୪୦୦ଟି ଷ୍ଟଲ୍‌ ଖୋଲାଯାଇଛି। ଓଡ଼ିଶା ସମେତ ୨୫ଟି ରାଜ୍ୟରୁ ୩୫୦ରୁ ଉର୍ଧ୍ୱ ବୁଣାକାର ଓ କାରିଗର ମେଳାରେ ଭାଗ ନେଇଛନ୍ତି। ପ୍ରକୃତି ଥିମ୍‌ ଆଧାରରେ ମେଳାର ସାଜସଜ୍ଜା କରାଯାଇଛି। ମେଳା ପ୍ରତ୍ୟେକ ଦିନ ଦୁଇଟାରୁ ସାଢ଼େ ନଅଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ସୂଚନା ମିଳିଛି। ଉଦ୍‌ଘାଟନି ଉତ୍ସବକୁ ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀ ସଂଯୋଜନା କରିଥିଲେ।

ପ୍ରଭାକର ମହାରଣାଙ୍କୁ ରାଜ୍ୟ ହସ୍ତଶିଳ୍ପ କୃତୀ ପୁରସ୍କାର

ଆଜିର ଉଦ୍‌ଘାଟନି ସମାରୋହରେ ୨୦୧୬ ମସିହା ପାଇଁ ରାଜ୍ୟ ହସ୍ତଶିଳ୍ପ ଏବଂ ଜୀବନବ୍ୟାପି ହସ୍ତଶିଳ୍ପ କୃତୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପଥର ଖୋଦେଇରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଭାକର ମହାରଣାଙ୍କୁ ଜୀବନବ୍ୟାପି ହସ୍ତଶିଳ୍ପ କୃତୀ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ସ୍ୱରୂପ ଶ୍ରୀ ମହାରଣାଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ସେହିପରି ପଥର ଖୋଦେଇ ନିମନ୍ତେ ଯାଜପୁର ଜିଲ୍ଲା ରୁଦ୍ରପୁର ଗ୍ରାମର ଅଭିମନ୍ୟୁ ଓଝା, ଟସର ପେଣ୍ଟିଂ ପାଇଁ ଖୋର୍ଧା ଜିଲ୍ଲା ପୁରୁଣା ଭୁବନେଶ୍ୱର ଶାସନ ପଡ଼ିଆ ଅଞ୍ଚଳର ସ୍ୱର୍ଣ୍ଣଲତା ମହାପାତ୍ର ଓ ଖୋର୍ଧା ଜିଲ୍ଲା କପିଳେଶ୍ୱର ଅଞ୍ଚଳର ସଞ୍ଜୟ କୁମାର ମୁଦୁଲିଙ୍କୁ ଟେରାକୋଟା କ୍ଷେତ୍ରରେ ସଫଳ ଅବଦାନ ନିମନ୍ତେ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ତିନି ବ୍ୟକ୍ତିତ୍ୱଙ୍କୁ ୫୦,୦୦୦ ଲେଖାଏଁ ଅର୍ଥରାଶି ସହିତ ମାନପତ୍ର ଦେଇ ସମ୍ବର୍ନ୍ଧିତ କରାଯାଇଥିଲା।

୨୦କୋଟିରୁ ଉର୍ଧ୍ୱ ବ୍ୟବସାୟ ଲକ୍ଷ୍ୟ

ଚଳିତ ବର୍ଷ ମେଳାରୁ ୨୦କୋଟିରୁ ଉର୍ଧ୍ୱ ବ୍ୟବସାୟିକ କାରବାର ହେବା ନେଇ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ବିମୁଦ୍ରୀକରଣ ଏହାକୁ ଫିକା କରିଦେଇଥିଲା। ଚଳିତ ବର୍ଷ ଜିଏସ୍‌ଟି ର ପ୍ରଭାବ ରହିଥିଲେ ମଧ୍ୟ ଭଲ ବ୍ୟବସାୟ ହେବ। ବୁଣାକାରମାନଙ୍କୁ ସେମାନଙ୍କର ଉତ୍ପାଦର ସଠିକ ବଜାର ଯୋଗାଇଦେବା ନିମନ୍ତେ କ୍ରେତା ବିକ୍ରେତା ସମ୍ମିଳନୀର ଆୟୋଜନ କରାଯାଇଛି। ଇ-ମାର୍କେଟିଙ୍ଗ୍‌ ଜରିଆରେ ମଧ୍ୟ ଉତ୍ପାଦଗୁଡ଼ିକର ବିକ୍ରିବଟା ତଥା ପ୍ରଚାର ପ୍ରସାର କରାଯିବ। ଏହା ବୁଣାକାରମାନଙ୍କୁ ବ୍ୟବସାୟିକ ଲାଭ ଯୋଗାଇଦେବା ନେଇ ବିଭାଗ ପକ୍ଷରୁ ସୂଚନା ମିଳିଛି।

୧୦୮ ନୃତ୍ୟଶିଳ୍ପୀଙ୍କୁ ନେଇ ସର୍ବ ମଙ୍ଗଳମ୍‌

ଏହି ଅବସରରେ ୧୦୮ ଜଣ ନୃତ୍ୟଶିଳ୍ପୀଙ୍କୁ ନେଇ ପରିବେଷିତ ‘ସର୍ବ ମଙ୍ଗଳମ୍‌’ ସମବେତ ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା। ‘ସ୍ୱର୍ଣ୍ଣାଚଳ’ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର ଗୁରୁ ଶ୍ରୀଙ୍ଗାରମଣି ରଶ୍ମିରେଖା ଦାସଙ୍କ ନୃତ୍ୟ ସଂଯୋଜନାରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଆକର୍ଷଣୀୟ ଥିଲା।

ସମ୍ବନ୍ଧିତ ଖବର