କବିତାର ସ୍ମରଣୀୟତା ସବୁଠୁ ବଡ଼ ଆହ୍ଵାନ

ଆରମ୍ଭ ହେଲା ୨ୟ ଭୁବନେଶ୍ୱର କବିତା ମହୋତ୍ସବ

0 16

ଭୁବନେଶ୍ୱର : ଓଡ଼ିଆ କାବ୍ୟ ପରମ୍ପରାର ମୂଳଦୁଆ ଖୁବ୍‌ ଶକ୍ତ। ଆଧ୍ୟାତ୍ମିକତା, ସାମାଜିକ ଅବବୋଧ ଏବଂ ଅପୂର୍ବ ଲାଳିତ୍ୟ ଆମ ସାହିତ୍ୟର ସବୁଠୁ ବଡ଼ ଅଂଶ। ଅତୀତର ଅନେକ କାବ୍ୟ ଏବେ ବି ଆମ ସ୍ମରଣରେ ରହିଛି। ମାତ୍ର ଏବେ କବିତା କ୍ଷେତ୍ର ପାଇଁ ଏହା ଏକ ବଡ଼ ଆହ୍ଵାନ ଭାବେ ଉଭା ହୋଇଛି। ପେନ୍‌ ଇନ୍‌ ବୁକ୍ସ, ଓଡ଼ିଶା ଷ୍ଟୋରି ଓ ଓଡ଼ିଆ ମିଡିଆ ପକ୍ଷରୁ ମେ ଫେୟାରରେ ଆୟୋଜିତ ଦ୍ୱିତୀୟ ଭୁବନେଶ୍ୱର କବିତା ମହୋତ୍ସବରେ ଅତିଥିମାନେ ଏପରି ମତ ରଖିଛନ୍ତି।

ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ପ୍ରଖ୍ୟାତ କବି ରମାକାନ୍ତ ରଥ ଉଦ୍‌ଘାଟନ କରି କହିଲେ, ଭଲ କବିତାଟିଏ ଲେଖିବା ହିଁ କବିର ସବୁଠୁ ବଡ଼ ସାର୍ଥକତା। ତେଣୁ କବିମାନେ କବିତା ଲେଖିବା ପରେ କେମିତି କେଉଁଠୁ ପୁରସ୍କାର ପାଇବେ ତାହା ଉପରେ ଧ୍ୟାନ କେନ୍ଦ୍ରିତ ନକରନ୍ତୁ। ସୀତାକାନ୍ତ ମହାପାତ୍ର ଓଡ଼ିଆ କାବ୍ୟ ପରମ୍ପରାରେ ସାମାଜିକ ଅବବୋଧ, ଆଧ୍ୟାତ୍ମିକତା ଓ ଲାଳିତ୍ୟ ହିଁ ଲେଖାକୁ ଆଜି ବି ଅନେକଙ୍କ ଭିତରେ ବଞ୍ଚାଇ ରଖିଛି ବୋଲି କହିିଥିଲେ। ଅନ୍ୟତମ ଅତିଥି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଲେ, ସମାଜରେ କୁସଂସ୍କାର ଦୂର ପାଇଁ କବି ଓ ଲେଖକମାନେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ତେଣୁ ଲେଖା ସମାଜର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ହେବା ଉଚିତ। ବିଶିଷ୍ଟ କବି ହରପ୍ରସାଦ ଦାସ କହିଲେ, ସାହିତ୍ୟିକର ଜଣେ ମଧ୍ୟସ୍ଥତାର ଭୂମିକା ରହିଛି। ଏଥିପାଇଁ ଅଙ୍ଗିକାରବଦ୍ଧତା ନିତାନ୍ତ ଆବଶ୍ୟକ। କବି ଶରତ କୁମାର ଦାଶ କହିଲେ, କବିତାରେ କମ୍‌ ଶବ୍ଦରେ ବେଶି କଥା କହିବାକୁ ପଡ଼େ। ତେଣୁ ବିନା ଯନ୍ତ୍ରଣାରେ କବିତା ହୁଏନି ବୋଲି ସେ କହିଥିଲେ। ପ୍ରାରମ୍ଭରେ କବି ଶଙ୍କର୍ଷଣ ପରିଡ଼ା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମହୋତ୍ସବର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଗଳ୍ପ ପାଇଁ ଭାଗୀରଥି ବେହେରା, ସୁକାନ୍ତି ରାଉତ, ଅର୍ଚନା, ନର୍ମଦା ସାହୁ ଏବଂ କବିତା ପାଇଁ ସୁମିତ ପଣ୍ଡା, ଏଲିନା କାନୁନ୍‌ଗୋ, ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ, ଅସିତ ସ୍ୱାଇଁ, ବନ୍ଦନା ମହାନ୍ତି ଓ ଜୟନ୍ତୀ ବେହେରାଙ୍କୁ ‘ପେନ୍‌ ଇନ୍‌ ଯୁବ ଲେଖକ ସମ୍ମାନ’ ପ୍ରଦାନ କରାଯାଇଥିଲା।

ପ୍ରଥମ ଅଧିବେଶନରେ ‘ମୋ କବିତା, ମୋ ଜୀବନ’ ଆଲୋଚନା ସମ୍ପାନରେ ସେନାପତି ପ୍ରଦ୍ୟୁମ୍ନ କେଶରୀ, ଗାୟତ୍ରୀବାଳା ପଣ୍ଡା, ପବିତ୍ରମୋହନ କର, ସଂଗ୍ରାମ ଜେନା ମତ ରଖିଥିଲେ। ଦ୍ୱିତୀୟ ସମ୍ପାନ ‘ଓଡ଼ିଆ କଥା ସାହିତ୍ୟରେ ଓଡ଼ିଶା’ ପ୍ରସଙ୍ଗରେ କଥାଶିଳ୍ପୀ ଦାଶ ବେନହୁର, ଅଜୟ ସ୍ୱାଇଁ, ହରିଣ୍ମୟୀ ମିଶ୍ର, ଅରବିନ୍ଦ ରାୟ ଆଲୋଚନା କରିଥିଲେ। ‘ମୋ ଭୂମି, ମୋ ଭାଷା’ ସମ୍ପର୍କରେ କବି ଶକ୍ତି ମହାନ୍ତି, ପ୍ରମିତା ଭୌମିକ, ସୃଜନୀ ମିଶ୍ର ଏବଂ ଚତୁର୍ଥ ସମ୍ପାନରେ ‘କବିତା, ଗୀତ ଓ ସଂଗୀତ’ ଉପରେ ଚର୍ଚା କରିଥିଲେ ଦେବଦାସ ଛୋଟରାୟ, ଓମପ୍ରକାଶ ମହାନ୍ତି, ସୂର୍ଯ୍ୟ ଦେଓ, ଦୁଷ୍ମନ୍ତ କୁମାର, ‘କବିତାର ଭାଷା’ ସମ୍ପାନରେ ଦେବାଶିଷ ମହାପାତ୍ର, ଶଙ୍କର୍ଷଣ ପରିଡ଼ା, ପ୍ରଦୀପ ବିଶ୍ୱାଳ, ସତ୍ୟ ପଟ୍ଟନାୟକ, ସୁରେନ୍ଦ୍ର ପାଣିଗ୍ରାହୀ, ରକ୍ଷକ ନାୟକ, ଅମିୟ ରଂଜନ ମହାପାତ୍ର ମତ ରଖିଥିଲେ। ଶେଷରେ ହାଡ଼ିବନ୍ଧୁ ମହାକୁଡ଼ଙ୍କ ପୌରୋହିତ୍ୟରେ ସନ୍ଦୀପ ମହାପାତ୍ର ଓ ଗିରିଶ ରଂଜନଙ୍କ ସଂଯୋଜନାରେ କବିତା ପାଠ ହୋଇଥିଲା। ଆସନ୍ତାକାଲି ମହାନଦୀ ସମ୍ପର୍କରେ ବିତର୍କ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.