୩ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି: ପୁଣି ଖଣ୍ଡଗିରି ଅଞ୍ଚଳରୁ ଜବତ ହୋଇଛି ବ୍ରାଉନ୍ ସୁଗାର। ଡୁମୁଡୁମା ଅଟୋ ଷ୍ଟାଣ୍ଡ ନିକଟରୁ ଧରାପଡ଼ିଛି ଅଭିଯୁକ୍ତ। ସେ ହେଲେ ସ୍ଥାନୀୟ ଯଦୁପୁର ବେଗୁନିଆର ସେକ୍ ନୁରିଦ୍ଦିନ୍(୩୬)। ଅବକାରୀ ଅଧିକାରୀମାନେ ତା’ ନିକଟରୁ ୧୪ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ସେହିଭଳି ଲିଙ୍ଗରାଜ ଥାନା ସାମନ୍ତରାପୁର ବଶିଷ୍ଠନଗରରୁ ଟୁଲୁ ଦାସ ନାମକ ଜଣେ ଯୁବକଠାରୁ ୧୫ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଅଧୀକ୍ଷକ ପ୍ରସନ୍ନ କୁମାର ଆଚାର୍ଯ୍ୟଙ୍କ ନେତୃତ୍ବରେ ଆଜି ଇନ୍‌ସ୍ପେକ୍ଟର ପ୍ରଭାତ କୁମାର ସେଠୀ, ଏସ୍‌ଆଇ ହିତାଂଶୁ ମଲ୍ଲିକ, ହୃଦୟଚନ୍ଦ୍ର ସାମନ୍ତ ଓ ସୁଜିତ୍ ମୁଦୁଲି ପ୍ରମୁଖ ଅନ୍ୟ କର୍ମଚାରୀମାନେ ପ୍ରଥମେ ସକାଳ ପ୍ରାୟ ୮ଟାବେ‌ଳେ ଡୁମୁଡୁମା ଅଟୋ ଷ୍ଟାଣ୍ଡରେ ଚଢ଼‌ଉ କରିଥିଲେ। ଟାର୍ଗେଟ୍‌ରେ ଥିଲା ନୁରିଦ୍ଦିନ୍‌। ସେ ଦୀର୍ଘ ଦିନ ହେଲା ଏହି କାରବାର ଚଳାଇ ଆସୁଥିଲେ ବି ପୁଲିସ ଓ ଅବକାରୀ ବିଭାଗ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲା। କିନ୍ତୁ ଆଜି ଇଂଜିନିୟରିଂ କଲେଜ ଛାତ୍ରଙ୍କ ବେଶରେ ନକଲି ଗ୍ରାହକ ସାଜି ଆସିଥିବା ଅବକ‌ାରୀ କର୍ମଚାରୀଙ୍କ ଜାଲରେ ପଡ଼ି ଯାଇଥିଲା। ନୁରିଦ୍ଦିନ୍‌ ପାଖରେ ଅଧିକ ପରିମାଣର ମାଲ୍ ଥିଲା ବୋଲି ଖବର ମିଳିଥିଲେ ବି ଚଢ଼ଉ ପୂର୍ବରୁ ସେ ବିକି ଦେଇଥିବା ଜଣାପଡ଼ିଛି। ଏହା ପରେ ଧରାପଡ଼ିଥିଲା ଟୁଲୁ ଦାସ। ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ଏମାନଙ୍କ କ‌ାରବାର ଉପରେ ବିଭାଗୀୟ ଅଧିକାରୀମାନେ ଅଧିକ ସୂଚନା ଦେଇନାହାନ୍ତି। ତେବେ ଏମାନେ ବହୁ ପେସାଦାର ବେପାରୀ ଓ ଏମାନଙ୍କ ଚେର ଏହି କଳା କାରବାରର ବହୁ ଭିତରକୁ ଲମ୍ବିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର