ନିଶା ଦେଇ ୪ ଜଣଙ୍କୁ ଲୁଟ୍‌, ୩ ଅଟକ

ଭୁବନେଶ୍ବର : ଟ୍ରେନ୍‌ରେ ଆସୁଥିବା ବେଳେ ପାନୀୟରେ ନିଶା ଦେଇ ୪ ଟ୍ରେନ୍‌ଯାତ୍ରୀଙ୍କୁ ଲୁଟ୍‌ ହୋଇଛି। ଅଚେତ ଅବସ୍ଥାରେ ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ଏହି ଘଟଣାରେ ଜିଆର୍‌ପି ୩ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁଯାୟୀ ହାଇଦ୍ରାବାଦ୍‌ରୁ ଆସି ଭୁବନେଶ୍ବରରେ ଓହ୍ଲାଇବା ପରେ ମୟୂରଭଞ୍ଜ ଠାକୁରମୁଣ୍ଡାର ସୁକୁରାମ ସମତ କଳ୍ପନା ଛକରେ ଅଚେତ୍ ହୋଇ ପଡ଼ିଥିଲେ। ଟ୍ରେନ୍‌ରେ ପିଛା କରୁଥିବା ଦୁଇ ଜଣ ଯୁବକ ତାଙ୍କଠାରୁ ୧୯ ହଜାର ଟଙ୍କା ଓ ଏକ ମୋବାଇଲ ଫୋନ୍‌ ନେଇ ଯାଇଥିଲେ। ସେହିପରି ଯାଜପୁରର ଚନ୍ଦନ ଦେହୁରୀ ଓ ପବିତ୍ର ‌ଦେହୁରୀ ବାଙ୍ଗାଲୁରୁରୁ ଭୁବନେଶ୍ବର ଷ୍ଟେସନ୍‌ରେ ପହଞ୍ଚିଥିଲେ। ଜଣେ ଅଚିହ୍ନା ଯୁବକ ସେମାନଙ୍କୁ ଚା’ପିଇବାକୁ ଦେଇଥିଲା। ଚା’ରେ ନିଶା ଦ୍ରବ୍ୟ ମିଶିଥିବାରୁ ଉଭୟ ଅଚେତ ହୋଇ ଯାଇଥିଲେ। ଚନ୍ଦନଙ୍କ ପକେଟ୍‌ରେ ଥିବା ୨୫ ହଜାର ଟଙ୍କା ଓ ପବିତ୍ରଙ୍କ ପକେଟ୍‌ରେ ଥିବା ୪ ହଜାର ଟଙ୍କା ଲୁଟେରା ଲୁଟି ନେଇଥିଲା। ଉଭୟଙ୍କୁ ଅଚେତ ଅବସ୍ଥା‌ରେ ଭୁବ‌େନେଶ୍ବର ରେଳ ଷ୍ଟେସନ୍‌ରୁ ରେଳବାଇ ପୁଲିସ ଉଦ୍ଧାର କରିଥିଲା। ଆଉ ଜଣଙ୍କୁ ନୟାପଲ୍ଲୀ ଥାନା ଅଧୀନ ହୋଟେଲ କ୍ରାଉନ୍‌ ସାମ୍ନାରୁ ଉଦ୍ଧାର କରାଯାଇଛି। ତାଙ୍କ ଚେତା ଫେରି ନଥିବାରୁ ପରିଚୟ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର