ନନ୍ଦନକାନନ ଆଦର୍ଶ ଥାନା ହାଜତରୁ ୩ ଚୋର ଚମ୍ପଟ, ୩ ଘଣ୍ଟା କସରତ ପରେ ଧରାପଡ଼ିଲେ

ଭୁବନେଶ୍ବର/ବାରଙ୍ଗ : ଏମିତି ଆମ ସୁରକ୍ଷା ବନ୍ଦୋବସ୍ତ। ଥାନା ହାଜତରୁ ଚମ୍ପଟ ମାରିଲେ ଅଭିଯୁକ୍ତ। ତାହା ପୁଣି ଜଣେ କିମ୍ବା ଦୁଇ ଜଣ ନୁହେଁ, ଏକାବେଳକେ ଖସିଗଲେ ୩ ଅଭିଯୁକ୍ତ। ଏହି ଘଟଣା ଘଟିଛି କମିସନରେଟ୍‌ ପୁଲିସର ଆଦର୍ଶ ଥାନା, ନନ୍ଦନନାକାନନ ଥାନାରେ। ଥାନା ହାଜତ ଭିତ‌ରୁ ଅଭିଯୁକ୍ତମାନେ ଖସିଯିବା ପରେ କମିସନରେଟ୍‌ ପୁଲିସ ତତ୍ପର ହୋଇ ଉଠିଥିଲା। ଅଭିଯୁକ୍ତମାନଙ୍କୁ ଯେନତେନ ପ୍ରକାରେ ଗିରଫ କରିବାକୁ ଡିସିପି ଅନୁପ ସାହୁ ନି‌ର୍ଦେଶ ଦେବା ପରେ ନନ୍ଦନକାନନ ଥାନା ପୁଲିସ ଖସି ଯାଇଥିବା ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାକୁ କମିସନରେଟ୍‌ ପୁଲିସ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଅଭିଯୁକ୍ତମାନେ ଥାନାରୁ ଚମ୍ପଟ ହେବା ବେଳେ କେଉଁମାନେ ଡ୍ୟୁଟିରେ ଥିଲେ, କେଉଁ ପରିସ୍ଥିତିରେ ସେମାନେ ହାଜତରୁ ଖସି ଯିବାକୁ ସକ୍ଷମ ହେଲେ, ଏ ନେଇ ସବିଶେଷ ରିପୋର୍ଟ ଦେବାକୁ ଜୋନାଲ ଏସିପିଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। କୌଣସି ପୁଲିସ ଅଧିକାରୀ କର୍ତବ୍ୟରେ ଅବହେଳା କରିଥିବା ରିପୋର୍ଟ ଆସ‌ିଲେ, ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ରଘୁନାଥପୁର ଗ୍ରାମର ନୀଳକଣ୍ଠ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଗତକାଲି କେତେକ ଯୁବକ ପାଣି ଟ୍ୟାପ୍‌ ଚୋରି କରୁଥିଲେ। ଖବର ପାଇ ପୁଲିସ ଶିଖରଚଣ୍ଡୀ ବସ୍ତିର କୁନା ରେଡ୍ଡୀ, ଏନ୍‌.ପ୍ରକାଶ ଓ ପି. ସିନୁ ରେଡ୍ଡୀକୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥାନ୍ତା। ତେବେ ଦିନ ପ୍ରାୟ ୩ଟା ବେଳେ ବର୍ଷା ହେବାରୁ ଥାନାରୁ ଲାଇନ୍‌ କଟି ଯାଇଥିଲା। ଅନ୍ଧାର ସାଙ୍ଗକୁ ଘଡ଼ଘଡ଼ି, ବର୍ଷା ପବନର ସୁଯୋଗ ନେଇ ଅଭିଯୁକ୍ତମାନେ ହାଜତର ଭିତର ପଟୁ ଲୁହା ରଡ୍‌କୁ ମୋଡ଼ି ବଙ୍କା କରିବା ପରେ ଫାଙ୍କରେ ପଦାକୁ ବାହାରି ଚାଲି ଆସିଥିଲେ। ଏହି ସମୟରେ ଥାନାରେ ଦୁଇଜଣ ମହିଳା ପୁଲିସ ଥିଲେ। ଥାନା ଜିପ ପାଟ୍ରୋଲିଂରେ ଯାଇଥିଲା। ସୌଭାଗ୍ୟବଶତଃ ନନ୍ଦନକାନନ ଥାନା ଇନ୍ସପେକ୍ଟର ପରମାନନ୍ଦ ନାୟକ ଏହି ସମୟରେ ଥାନା ଆଡ଼କୁ ଆସୁଥିଲେ। ଥାନାରୁ ଫେରାର୍‌ ହୋଇଯାଉଥିବା ୩ ଜଣଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା। ତାଙ୍କୁ ପିଛା କରିବା ସହ ଥାନାର କର୍ମଚାରୀଙ୍କୁ ଫୋନ୍ କରି ଘଟଣାସ୍ଥଳକୁ ଆସିବାକୁ ନିର୍ଦେଶ ଦେଇଥିଲେ। ପୁଲିସକୁ ଦେଖି ସେମାନେ ରଘୁନାଥପୁର ଗ୍ରାମର ବଡ଼ ମଶାଣି ନିକଟ ତ୍ରିବେଣୀ ଆପାର୍ଟମେଣ୍ଟ ପଛ ସନ୍ତସନ୍ତିଆ ଘଂଚ ଜଙ୍ଗଲ ଭିତ‌ରେ ସେମାନେ ଆତ୍ମଗୋପନ କରିଥିଲେ। ଶେଷରେ ୩ ଘଣ୍ଟାର କସରତ ପରେ ସନ୍ଧ୍ୟା ୬ଟା ବେଳେ ମୁଖ୍ୟ ଅଭିଯୁକ୍ତ ଶିଖରଚଣ୍ତୀ ବସ୍ତିର ପି. ସିନୁ ଓ ଏନ୍‌. ପ୍ରକାଶ ଓ କୁନା ରେଡ୍ଡୀକୁ ଗିରଫ କରାଯାଇଥିବା ଇନ୍ସପେକ୍ଟର୍‌ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର