୩ ମାସରେ ୧୫ଶହ ବାଇକ୍‌ ଚାଳକଙ୍କୁ ନୋଟିସ୍‌

ସଚେତନତା ଅଭାବ, ମାନୁ ନାହାନ୍ତି ଅଟୋ ସିଗନାଲ ନିୟମ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଛକରେ ଲାଗିଥିବ ସ୍ୱୟଂଚାଳିତ ଟ୍ରାଫିକ୍‌ ସିଗ୍‌ନାଲ୍‌କୁ ଆପଣ ମାନି ନାହାନ୍ତି କି ? ଟ୍ରାଫିକ୍‌ ସିଗନାଲ ରେଡ୍‌ ଥିବା ବେଳେ ଆପଣ ନ ଅଟକି ଚାଲି ଯାଇଛନ୍ତି କି ? ଯଦି ନିୟମ ମାନିନାହାନ୍ତି ତେବେ ଜରିମାନା ଗଣିବାକୁ ପ୍ରସ୍ତୁତ ରୁହନ୍ତୁ। ଖୁବ୍‌ଶୀଘ୍ର ଆପଣଙ୍କ ଘରେ ପହଞ୍ଚିଯିବ ନୋଟିସ୍‌। ନୋଟିସ୍‌ ଅବଜ୍ଞା କଲେ ଆପଣଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇପାରେ। ତେଣୁ ଏକ ହଜାର ଟଙ୍କା ଜରିମାନା ସହିତ କାଗଜପତ୍ର ଦେଖାଇ ଆପଣଙ୍କ ନାଁରେ ଆସିଥିବା ନୋଟିସ୍‌କୁ ହଟାଇବାକୁ ପଡ଼ିବ। ସୂଚନା ଅନୁଯାୟୀ, ଗତ ୩ ମାସ ମଧ୍ୟରେ ପାଖାପାଖି ୧୫ଶହରୁ ଅଧିକ ବାଇକ୍‌ ଚାଳକ ବିଭିନ୍ନ ଛକରେ ସ୍ୱୟଂଚାଳିତ ଟ୍ରାଫିକ୍‌ ସିଗନାଲକୁ ମାନି ନାହାନ୍ତି। ତେଣୁ ସେମାନଙ୍କୁ ନୋଟିସ୍‌ କରାଯିବ ବୋଲି ସୂଚନା ମିଳିଛି। ଟ୍ରାଫିକ୍‌ ପରିଚାଳନାକୁ ସରଳ, ସହଜ କରିବା ଓ ଲୋକବଳ ବ୍ୟବହାର କମାଇବା ଲକ୍ଷ୍ୟରେ କମିସନରେଟ ପୁଲିସ ପକ୍ଷରୁ ସ୍ୱୟଂଚାଳିତ ସିଗନାଲ ବ୍ୟବସ୍ଥା କରାଯାଇଥିଲା। ଜନପଥରେ ରୁପାଲି ଛକ, ଆଇଡିବିଆଇ ଛକ, ରାମ ମନ୍ଦିର, ଶ୍ରୀୟା ଛକ, ରବି ଟକିଜ୍‌ ଛକ, ନିକୋପାର୍କ ଛକ, ଆନନ୍ଦବଜାର, ଶାସ୍ତ୍ରୀନଗର ଛକ ଭଳି ୨୭ଟି ଜାଗାରେ ଅଟୋ ସିଗନାଲ୍‌ ବ୍ୟବସ୍ଥା ହୋଇଛି। କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ଛକରେ ଏହି ନିୟମକୁ ଅନେକ ବାଇକ୍‌ ଚାଳକ ଜାଣିଶୁଣି ପାଳନ ପାଳନ କରୁନାହାନ୍ତି। ଏହା ଫଳରେ ବିଭିନ୍ନ ଛକରେ ଦୁର୍ଘଟଣା ମଧ୍ୟ ଘଟୁଛି। ସଚେତନତା ଅଭାବରୁ କିଛି ଲୋକ ନିୟମ ବିଷୟରେ ଜାଣି ପାରୁନାହାନ୍ତି। ତେଣୁ ଯେଉଁ ଲକ୍ଷ୍ୟ ନେଇ ଏଭଳି ବ୍ୟବସ୍ଥା କରାଯାଇଥିଲା, ତାହା କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେଉଛି। ଏ ସମ୍ପର୍କରେ ଟ୍ରାଫିକ୍‌ର ଜଣେ ଅଧିକାରୀ କହିଛନ୍ତି, ଯେଉଁ ଛକରେ ବାଇକ୍‌ ଚାଳକମାନେ ସ୍ୱୟଂଚାଳିତ ଟ୍ରାଫିକ୍‌ ସିଗନାଲକୁ ଅମାନ୍ୟ କରୁଛନ୍ତି, ସେମାନଙ୍କ ବାଇକ୍‌ ନମ୍ବର ବିଭିନ୍ନ ଛକରେ ଲାଗିଥିବା ସିସି କ୍ୟାମେରାରୁ ସଂଗ୍ରହ କରାଯାଇଛି। ବାଇକ୍‌ ନମ୍ବରକୁ ଆଧାର କରି ପାଖାପାଖି ୧୫ ଶହ ଜଣ ବାଇକ୍‌ ଚାଳକଙ୍କୁ ନୋଟିସ୍‌ କରାଯାଇଛି।

ସମ୍ବନ୍ଧିତ ଖବର