ଦୁଇ ବର୍ଷ ହେଲା ୩ ପିଲାଙ୍କୁ ଖୋଜୁଛି ମା’

ଭୁବନେଶ୍ବର: ସ୍ବାମୀଙ୍କୁ ଏଡ୍‌ସ ହେଲା ବୋଲି ବସ୍ତିବାସିନ୍ଦା ବାସନ୍ଦ କରିଦେଲେ। ଏତିକିରେ ଦଇବ ସହିଲାନି। ବାସ ହରାଇବା ପରେ ସ୍ବାମୀ ହାତ ଛାଡ଼ି ଆରପାରିକୁ ଚାଲିଗଲେ। ଏହା ତ ତାଙ୍କୁ ସେ‌ତିକି ବେଳେ ଯନ୍ତ୍ରଣା ଦେଇଥିଲା। ମାତ୍ର, ଯେବେ ତାଙ୍କଠୁ ଜନ୍ମ ନେଇଥିବା ତିନି-ତିନିଟା କୋମଳମତି ଛୁଆ କେଉଁଆଡ଼େ ହଜିଗଲେ, ସେବେଠୁ ଜୀବନଟା ହିଁ ତାଙ୍କ ପାଇଁ ଯନ୍ତ୍ରଣା ପାଲଟିଗଲା। ଏକଦମ୍‌ ନିଃସ୍ବ ହେଇଗଲେ ପିଙ୍କି। ହେବେନି ବା କେମିତି ? ସେ ଯେ ମା’। ନାଁ ପିଙ୍କି ରଥ। ଘର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୨ ବର୍ଷ ହେବ ନିଜ ପିଲାଙ୍କୁ ଖୋଜିବା ପାଇଁ ଗଞ୍ଜାମରୁ-ଭୁବନେଶ୍ବର। ପୁଣି ଭୁବନେଶ୍ବରରୁ ଗଞ୍ଜାମ ହେଉଛନ୍ତି। ସିଡବ୍ଲୁସିଠୁ ନେଇ ଚାଇଲ୍‌ଡ ଲାଇନ୍‌। ସବୁଠି ବାରମ୍ବାର ଦ୍ବାରସ୍ଥ ହେଇଛନ୍ତି। ପାଖରେ ଟଙ୍କାଟିଏ ନଥିଲେ ବି ଧାର ଉଦ୍ଧାର କରି ରାଜଧାନୀର ଏ ଗଳିରୁ ସେ ଗଳି ଘୂରି ବୁଲୁଛନ୍ତି। ହେଲେ ଏଯାଏଁ ନିଜ ପିଲାଙ୍କୁ ପାଇନାହାନ୍ତି। ମା’ ମନ ତ, କେବେ କେବେ ମନକୁ ପାପ ଛୁଉଁଛି। ୟା’ଠୁ ତା’ଠୁ ଶୁଣି ତାଙ୍କ ପିଲାଙ୍କୁ କିଏ କାଳେ ଚାଲାଣ କରିଦେଇଛି ବୋଲି ଭାବି ଲୁହ ଗଡ଼ାଉଛନ୍ତି। ଏଇ କିଛି ଦିନ ତଳେ ସେ ନିଜେ ଆସି ଘାଟିକିଆସ୍ଥିତ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଆଶ୍ରା ନେଇଛନ୍ତି। ଖାଲି ଯାହା ରାତିଟା ଶୋଉଛନ୍ତି। ପୁଣି ସକାଳ ହେଲେ ପିଲାଙ୍କୁ ଖୋଜିବାକୁ ବାହାରି ପଡ଼ୁଛନ୍ତି। ୨୦୧୪ ମସିହା କଥା। କାମ ଆଶାରେ ପିଙ୍କି ଓ ତାଙ୍କ ସ୍ବାମୀ ଧୁନା(ଛଦ୍ମନାମ) ଭୁବନେଶ୍ବର ଚାଲି ଆସିଥିଲେ। ଧୁନା ଏକ ହୋଟେଲ୍‌ରେ ରହି ରୋଷେୟା କାମ କରୁଥିଲେ। ୩ ଛୁଆଙ୍କୁ ନେଇ ତାଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ହେଲେ ୨୦୧୬ ମସିହାରେ ଜଣାପଡ଼ିଲା ଧୁନା ଏଚ୍‌ଆଇଭି ଆକ୍ରାନ୍ତ। ଏକଥା ପ୍ରଘଟ ହେବା ପରେ ବସ୍ତିବାସିନ୍ଦା ଆଉ ତାଙ୍କ ପରିବାରକୁ ବସ୍ତିରେ ରଖେଇ ଦେଲେ ନାହିଁ। ତେଣୁ ୩ ପିଲାଙ୍କୁ ନେଇ ଦିହେଁ ଦିଲ୍ଲୀ ପଳେଇଲେ। ଧୁନା ଅସୁସ୍ଥ ଥିବାରୁ ପିଙ୍କି ଏକ ସଂସ୍ଥାରେ ୱାଚ୍‌ମ୍ୟାନ୍‌ ଭାବେ କାମ ‌କଲେ। କିନ୍ତୁ କମ୍‌ ଦରମା ଯୋଗୁଁ ଧୁନା ନିଜ ପିଲାଙ୍କୁ ନେଇ ଗାଁ’କୁ ଆସୁଥିଲେ। ଝାନ୍‌ସିରେ ଧୁନାଙ୍କ ଦେହ ଖରାପ ହେବାରୁ ତାଙ୍କୁ ବାଟରେ କିଛି ଲୋକ ମେଡିକାଲ୍‌ ନେଇଗଲେ। ସେଠାରୁ ଧୁନାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରି ଦିଆଗଲା। ତାଙ୍କ ୩ ପିଲାଙ୍କୁ ଏକ ସ୍ବେଚ୍ଛାସେବୀ ସଂସ୍ଥା ଜରିଆରେ ମଧ୍ୟ ଭୁବନେଶ୍ବର ପଠାଇ ଦିଆଗଲା। ପିଙ୍କିଙ୍କ କହିବା ଅନୁଯାୟୀ, ଖୋର୍ଧାରେ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରୁ ଫୋନ୍‌ ଯୋଗେ ସେ ଏକ ଆଶ୍ରମରେ ରହୁଥିବା ନିଜ ପିଲାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ମାତ୍ର ନିଜେ ଠିକଣା ସଂଗ୍ରହ କରି ଯେବେ ସେଇ ଆଶ୍ରମକୁ ଗଲେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଲା ନାହିଁ। ତଥାପି ଆଶା ଭାଙ୍ଗିନି, ବରଂ ଯାହାକୁ ଦେଖୁଛନ୍ତି, ନିଜ ପିଲାମାନଙ୍କ ଫଟୋ ଦେଖେଇ ଠିକଣା ପଚାରୁଛନ୍ତି। ସନ୍ଧ୍ୟାରେ ଆଶ୍ରୟସ୍ଥଳୀକୁ ଫେରି ନିଜ ଭିତରର ମା’ ମନକୁ ବୁଝାଉଛନ୍ତି। ସକାଳ ହେଲେ ପୁଣି କାନିରେ ସାଇତି ରଖିଥିବା ଏକ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବରକୁ କଲ୍‌ କରି କାକୁତିମିନତି ହେଉଛନ୍ତି। କହୁଛନ୍ତି, ମୋ ପିଲାଙ୍କୁ ପଛେ ନଦିଅ ନାହିଁ, ହେଲେ ଥରେ ଦେଖା କରେଇ ଦିଅ….

ସମ୍ବନ୍ଧିତ ଖବର