ପ୍ୟାରିସ୍ ବେକେରି ସଂସ୍ଥା ନାଁରେ ୩୦ କୋଟି ଟଙ୍କା ଠକେଇ

ସଂସ୍ଥାରେ ତାଲା, ମାଲିକ ଫେରାର, କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ

ଭୁବନେଶ୍ବର: ରାଜ୍ୟର ନାମୀ ବେକେରି ସଂସ୍ଥା ପ୍ୟାରିସ ବେକେରି ନାଁରେ ପାଖାପାଖି ୩୦ କୋଟି ଟଙ୍କାର ଠକେଇ ଅଭିଯୋଗ। ସଂସ୍ଥା ପାଇଁ ସାମଗ୍ରୀ ଯୋଗାଉଥିବା ବ୍ୟକ୍ତି ବିଶେଷ (ଭେଣ୍ଡର), ଫ୍ୟାକ୍ଟ୍ରି ଚାଲୁଥିବା ଘର ମାଲିକ ଓ ସଂସ୍ଥା କର୍ମଚାରୀ ଏଭଳି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ପରେ ସଂସ୍ଥାର ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଆଉଟଲେଟ୍‌ରେ ତାଲା ପଡ଼ିଛି। ସଂସ୍ଥା ମାଲିକ ଓ ଜଣେ ନିର୍ଦେଶକ କେଉଁଆଡ଼େ ଫେରାର୍‌ ହୋଇଯାଇଛନ୍ତି। ଏନେଇ କେତେକ ଭେଣ୍ଡର କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ଥିବା ସଂସ୍ଥାର ପାଖାପାଖି ୨୨, ବାଲେଶ୍ବର, ବ୍ରହ୍ମପୁର, କଟକ, ପୁରୀ, କୋଲକାତା, ମୁମ୍ବାଇ ଆଦି ସହରରେ ଥିବା ଆଉଟଲେଟଗୁଡ଼ିକୁ ପ୍ରାୟ ୪୦ ଜଣ ଭେଣ୍ଡର ଅଟା, ମଇଦା, ଚିନି, ବେ‌କେରି ପାଉଡର୍‌, ଚକୋଲେଟ, କେବେରି ମିକ୍ସ, କେକ୍ ଜେଲ୍, ଗ୍ଲେଜ ଜେଲ୍ ଆଦି ୪ବର୍ଷ ହେବ ଯୋଗାଇ ଆସୁଥିଲେ। ଗତବର୍ଷ ସେପ୍ଟେମ୍ବରରେ ହଠାତ ସଂସ୍ଥା ପକ୍ଷରୁ ଭେଣ୍ଡରମାନଙ୍କୁ କୁହାଗଲା କି ଦୁଇ ମାସର ଟଙ୍କା ବାକି ରହିବ, ଏହି ଟଙ୍କା ୨୦୧୮ ଜାନୁଆରି ମାସରେ ପ୍ରଦାନ କରାଯିବ। ୪ବର୍ଷ ହେବ ସାମଗ୍ରୀ ଯୋଗାଉଥିବାରୁ କେହି ଅବିଶ୍ବାସ କରି ପାରି ନ ଥିଲେ ବୋଲି ଜଣେ ଭେଣ୍ଡର ସଂଜୟ ସାମଲ କହିଛନ୍ତି। କିନ୍ତୁ ଚଳିତ ବର୍ଷର ସେ‌େପ୍ଟମ୍ବର ମାସ ହୋଇ ଯାଇଥିଲେ ମଧ୍ୟ ଭେଣ୍ଡରମାନଙ୍କୁ ଟଙ୍କା ମିଳିଲା ନାହିଁ। ଶେଷରେ ଭେଣ୍ଡରମାନେ ସଂସ୍ଥାର ଦୁଇ ନି‌େର୍ଦଶକ ଜୟ ନାରାୟଣ ପୂଜାପଣ୍ଡା ଓ ବିଭାସ ରଂଜନଙ୍କୁ କାବୁ କରି ପ୍ରଥମେ ଚନ୍ଦ୍ରଶେଖରପୁର ଓ ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସେଠାରେ ଜୟନାରାୟଣ ଭେଣ୍ଡରମାନଙ୍କୁ ଚଳିତ ମାସ ୮ ତାରିଖରେ ଟଙ୍କା ପ୍ରଦାନ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥି‌େଲ। ଏପରିକି କେତେକ ଭେଣ୍ଡରଙ୍କୁ ସେ ଚେକ୍ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ସେହି ଚେକ୍ ସବୁ ବାଉନ୍ସ ହୋଇଯାଇଛି। ୮ ତାରିଖଠାରୁ ପୂଜାପଣ୍ଡା ଓ ବିଭାସଙ୍କ ମୋବାଇଲ ଫୋନ୍ ସୁଇଚଅଫ୍ ରହିଛି। ସେମାନଙ୍କ ପତ୍ତା ମିଳୁନାହିଁ। ଏଣେ ରାଜଧାନୀ ସମେତ ଅନ୍ୟ ସ୍ଥାନ‌ରେ ଥିବା ବିଭିନ୍ନ ଆଉଟଲେଟ ଏବେ ବନ୍ଦ ହୋଇ ଯାଇଛି। କେବଳ ଏହି ଠକେଇ ଭେଣ୍ଡରମାନଙ୍କ ପାଖରେ ସୀମିତ ହୋଇ ରହିନାହିଁ। ସଂସ୍ଥା ନନ୍ଦନକାନନ ନିକଟରେ ଭଡ଼ା ନେଇ ଫ୍ୟାକ୍ଟ୍ରି ଚଳାଉଥିବା ଜମି ମାଲିକଙ୍କ ଟଙ୍କା ମଧ୍ୟ ବାକି ରଖିଛି। ସେହିପରି ସଂସ୍ଥାରେ କାମ କରୁଥିବା କର୍ମଚାରୀମାନେ ଗତ କିଛି ମାସ ହେବ ଦରମା ପାଇନାହାନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ କର୍ମଚାରୀମାନେ ଏବେ ହତାଶ ହୋଇ ପଡ଼ିଛନ୍ତି। ଶେଷର ବାଧ୍ୟ ହୋଇ ଭେଣ୍ଡରମାନେ ଗତକାଲି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ଅଭିଯୋଗ ଗ୍ରହଣ ନ କଲେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି ଭେଣ୍ଡର ଶ୍ରୀ ସାମଲ ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ନୂଆପଲ୍ଲୀ ଥାନା ଇନ୍ସପେକ୍ଟର ଉମାକାନ୍ତ ପ୍ରଧାନ କହିଛନ୍ତି, ସଂସ୍ଥା ବିରୋଧରେ ୪ କୋଟି ୨୬ ଲକ୍ଷ ୭୨ହଜାର ୯୨୩ଟଙ୍କାର ଠକେଇ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ମଧ୍ୟ ମାମଲା ରୁଜୁ କରି ନାହିଁ। କାରଣ ପୁଲିସ ଅଭିଯୋଗର ସତ୍ୟାସତ୍ୟ ଉପରେ ତଦନ୍ତ କରୁଛି। ଏ ସମ୍ପର୍କରେ ପ୍ୟାରିସ ବେକେରି ସଂସ୍ଥା ସହିତ ଯୋଗାଯୋଗ କରାଯାଇଥିଲା। କିନ୍ତୁ ମୋବାଇଲ ସୁଇଚ୍‌ ଅଫ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନଥିଲା।

ସମ୍ବନ୍ଧିତ ଖବର