ଡରାଇଲା ଧୂଳିଝଡ଼ : ୩୫ କିମି ବେଗରେ ବହିଲା ପବନ, ଧୂଳିଝଡ଼ ଯୋଗୁଁ ଡମଣା ଛକରେ ସିରିଜ୍‌ ଦୁର୍ଘଟଣା, ୨ ଆହତ

ଭୁବନେଶ୍ବର: ପୂର୍ବାହ୍ନରେ ତାତିଲା ରାଜଧାନୀ। ମଧ୍ୟାହ୍ନ ବେଳକୁ ତାପମାତ୍ରା ୩୬ଡିଗ୍ରି ପାର୍‌ ହୋଇଯାଇଥିଲା। ସକାଳ ୯ଟାରୁ ଅପରାହ୍‌ଣ ସାଢ଼େ ୩ଟା ଯାଏ ତାତିରେ ଆଉଟୁପାଉଟୁ ହୋଇଥିଲେ ସହରବାସୀ। ଆକାଶରେ ଟିକିଏ ବି ବାଦଲର ଦେଖାନଥିଲା। ସୂର୍ଯ୍ୟଙ୍କ ପ୍ରଖର କିରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଗୁଳୁଗୁଳିରେ ଆଉଟୁପାଉଟୁ ହୋଇଥିଲେ ଲୋକେ। ହେଲେ ଅପରାହ୍‌ଣରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ବାଦଲ। ଦୁଇ ଘଣ୍ଟା ଧରି ସେମିତି ସ୍ଥିତି ରହିଥିଲା। ବର୍ଷା ହୋଇ ନଥିଲା କି ପବନ। ତେବେ ସନ୍ଧ୍ୟାରେ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। ପବନ ବାଡ଼େଇଥିଲା। ଧୂଳିମୟ ହୋଇଯାଇଥିଲା ସାରା ରାଜଧାନୀ। ପଟିଆରୁ ପୋଖରୀପୁଟ, ହଂସପାଳରୁ ବରମୁଣ୍ଡା; ସବୁଠି ଧୂଳିଝଡ଼ରେ କଲବଲ ହୋଇଥିଲେ ଲୋକେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଘଣ୍ଟା ପ୍ରତି ୩୫ରୁ ୪୨ କିମି ବେଗରେ ପବନ ହୋଇଛି। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଉପୁଜିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ଆକାଶ ମେଘାଚ୍ଛନ୍ନ ରହିବା ସହ କାଳବୈଶାଖୀ ପ୍ରଭାବ ହୋଇପାରେ। ଏଥିପ୍ରତି ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଧୂଳିଝଡ଼ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି। ବାଇକ୍‌ରେ ଯାଉଥିବା ଲୋକେ ରାସ୍ତାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଖିରେ ଧୂଳି ପଶିଯିବା ଯୋଗୁଁ କେତେକ ଛକରେ ଦୁର୍ଘଟଣା ହୋଇଥିବା ଖବର ମିଳିଛି। ପଟିଆ ଓ ଡମଣା ଛକରେ ସିରିଜ୍‌ ଦୁର୍ଘଟଣା ଘଟିଛି। ହଠାତ୍‌ ଧୂଳିଝଡ଼ ହେବା ଯୋଗୁଁ ଗାଡ଼ିଗୁଡ଼ିକ ପଛକୁ ପଛ ପିଟି ହେବା ଦ୍ବାରା ଦୁଇ ଜଣ ବାଇକ୍‌ ଆରୋହୀ ଆହତ ହୋଇଛନ୍ତି। ଗାଡ଼ି ଭାଙ୍ଗି ଯାଇଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂ ଭାଙ୍ଗି ପଡ଼ିଛି। କଳ୍ପନା ଛକ, ବୁଦ୍ଧେଶ୍ବର କଲୋନି, ମଞ୍ଚେଶ୍ବର, ଭିଏସ୍‌ଏସ୍‌ ନଗର, ଚନ୍ଦ୍ରଶେଖରପୁର, ରସୁଲଗଡ଼, ରଙ୍ଗମାଟିଆ ପ୍ରଭୃତି ସ୍ଥାନରେ ଅଧିକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ସହର ଉପକଣ୍ଠରେ ଘରର ଛପର ଓ ପାଲ ଉଡ଼ି ଯାଇଛି।

ଗଛ ଉପୁଡିଲା, କାନ୍ଥ ଭାଙ୍ଗିଲା
ଧୂଳିଝଡ଼ ଯୋଗୁଁ ବୁଦ୍ଧେଶ୍ବରୀ କଲୋନି ଦୁର୍ଗାପୂଜା ମଣ୍ଡପ ଗଳିରେ ଗଛ ଉପୁଡ଼ି ପଡ଼ିଛି। ରାସ୍ତା ଉପରକୁ ଗଛ ପଡ଼ିଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନି। ଏହି ସମୟରେ ରାସ୍ତାରେ କୌଣସି ବ୍ୟକ୍ତି ଯିବା ଆସିବା କରୁ ନଥଲେ। ତେବେ ଗଛ ପଡ଼ିବା ଯୋଗୁଁ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଛି। ସାରା ଅଞ୍ଚଳ ଅନ୍ଧାର ହୋଇଯାଇଛି। ରଙ୍ଗମାଟିଆ ଗାଁରେ ଏକ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଘର ପାଚେରି ଭାଙ୍ଗି ଯାଇଛି। ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟି ଭାଙ୍ଗିପଡ଼ିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ରାତି ୧୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇପାରିନି।

ଅଧା ରାଜଧାନୀ ଅନ୍ଧାର
ଧୂଳିଝଡ଼ ଯୋଗୁଁ ଅଧା ରାଜଧାନୀ ଅନ୍ଧାର ହୋଇଯାଇଛି। ସହରର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହୋଇଛି। ପୁରୁଣା ଭୁବନେଶ୍ବର, କଳିଙ୍ଗବିହାର, ଭରତପୁର, ବରମୁଣ୍ଡା, ଜାଗମରା, ବମିଖାଲ, ସିଆର୍‌ପି ଛକ, ଚନ୍ଦ୍ରଶେଖରପୁର, ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ବର, ପଟିଆ, ବାରଙ୍ଗ, ଆଦି ସ୍ଥାନରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବି ସ୍ଥିତି ସ୍ୱାଭାବିକ ହୋଇପାରିନି। ବହୁ ସ୍ଥାନରେ ବିଦ୍ୟୁତ ତାର ଉପରେ ଗଛ ଡାଳ ପଡ଼ିବା ଯୋଗୁଁ ତାହା ଛିଣ୍ଡି ପଡ଼ିଛି। ମରାମତି ହୋଇପାରି ନାହିଁ। ରାତିରେ ବିଜୁଳି ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ସହର ଉପକଣ୍ଠରେ ବି ସମାନ ଅବସ୍ଥା ଉପୁଜିଛି। ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଯାଞ୍ଚ କରୁଛନ୍ତି।

ସମ୍ବନ୍ଧିତ ଖବର