ଲକ୍ଷାଧିକ ଟଙ୍କାର ଟେଲିଫୋନ୍‌ କେବୁଲ ଜବତ, ୪ ଗିରଫ

ବାଲିଅନ୍ତା : ଟେଲିଫୋନ୍‌ କେବୁଲ ଚୋରି ମାମଲାରେ ବାଳକାଟି ଫାଣ୍ଡି ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଭୁବନେଶ୍ବର ଖାରବେଳନଗର ଥାନା ଅଧୀନ ୟୁନିଟ୍‌ ୩ ଅଞ୍ଚଳର କ୍ରିଷ୍ଣା ଓରଫ ଚେମା ରେଡ୍ଡୀ(୩୦), ରିକ୍ସା କଲୋନିର ମନୋଜ ବେହେରା(୨୫), ମସଜିଦ କଲୋନିର ସେଖ୍ ବେଲାଲ ହୁସେନ(୩୯) ଏବଂ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧୀନ ରଥିଜେମାର (୮୦ ଘର ସାହି) ସୁଧା ଓରଫ ରମାକାନ୍ତ ସାହୁ (୪୫)। କୋର୍ଟରେ ସେମାନଙ୍କ ଜାମିନ ଆବେଦନ ନାମଂଜୁର ହୋଇଯିବାରୁ ସମସ୍ତଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଏଥିସହିତ ପୁଲିସ ଘଟଣାସ୍ଥଳରୁ ଏକ ଟାଟାଏସିରେ ଭର୍ତି ଲକ୍ଷାଧିକ ଟଙ୍କାର ଟେଲିଫୋନ୍‌ କେବୁଲ ଜବତ କରିଛି। ସୂଚନାନୁଯାୟୀ ସୁଧା ଜଣେ କଂସାବାସନ ବ୍ୟବସାୟୀ। ଅନ୍ୟ ୩ ଜଣ କବାଡ଼ିଆ ବ୍ୟବସାୟୀ କରନ୍ତି। ସମସ୍ତେ ବାଲିଅନ୍ତା ଥାନା, ବାଳକାଟି, ବାଲିପାଟଣା ଓ ଧଉଳି ଥାନା ଅଞ୍ଚଳରେ ଟେଲିଫୋନ୍‌ କେବୁଲ ଚୋରି ଘଟଣାରେ ସକ୍ରିୟ ଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ପୁଲିସ ସୂଚନାନୁସାରେ ଗତ ୧୦ ତାରିଖରେ ସେମାନେ ଝାଡ଼େଶ୍ବର କଲୋନି ଅଞ୍ଚଳରେ ଥିବା ଏକ ଟେଲିଫୋନ୍‌ ଟାୱାରରୁ କେବୁଲ ଚୋରି କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ି ଛେଚା ଖାଇଥିଲେ। ଦୁଇଜଣ ସେଠାରୁ ଦୌଡ଼ି ପଳାଇଥିଲେ। ହେଲେ ଘଟଣାସ୍ଥଳରୁ କେବୁଲ ବୋଝେଇ ଗାଡ଼ି ଜବତ କରିବା ସହିତ ଅନ୍ୟ ଦୁଇ ଜଣକୁ ଲୋକମାନେ କାବୁ କରି ପୁଲିସ ଜିମା ଦେଇଥିଲେ। ଉଭୟଙ୍କ ସୂଚନା ଓ ସିସିଟିଭି କ୍ୟାମେରା ଚିତ୍ରକୁ ଭିତ୍ତିକରି ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ଅନ୍ୟ ଦୁଇଜଣଙ୍କ ଘରେ ଚଢ଼ଉ କରି ଗିରଫ କରିଥିଲେ।

ସମ୍ବନ୍ଧିତ ଖବର