୫ ଲକ୍ଷ ଦାବିରେ ବ୍ୟବସାୟୀଙ୍କୁ ଅପହରଣ : ୪ ଗିରଫ, ଅପହର୍ତାମାନେ ଦୁର୍ଦ୍ଦାନ୍ତ ଅପରାଧୀ

ଖଣ୍ଡଗିରି : ନୂଆପଲ୍ଲୀ ଓ ଖଣ୍ଡଗିରି ଅଞ୍ଚଳରେ ଘଟିଥିବା ଦୁଇଟି ଅପହରଣ ଘଟଣା ଉପରୁ ପରଦା ନ ହଟୁଣୁ ଖଣ୍ଡଗିରିରେ ପୁଣି ଘଟିଛି ଏକ ଅପହରଣ ମାମଲା। ପୂର୍ବ ଦୁଇ ମାମଲାରେ ପୁଲିସ ଅପହର୍ତାମାନଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ ବି ଏଥର ଖଣ୍ଡଗିରିର ୪ ଅପହର୍ତାମାନଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଜ‌ଣେ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ୍‌ରେ ବନ୍ଦୀ କରି ରଖିଥିବା ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ରବିବାର ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ, ସ୍ଥାନୀୟ ସରକନ୍ତରାର ସାଗର ପୃଷ୍ଟି ଓରଫ୍ ଲାଲା(୨୯), କେନ୍ଦ୍ରାପଡ଼ା ଡେରାବିଶର ଚିତ୍ତରଂଜନ ମଲ୍ଲିକ ଓରଫ ବଳିଆ(୨୬), ପୁରୀ କଣାସ ଅଞ୍ଚଳର ମହମ୍ମଦ ନିରୁଲ୍‌ ହୁସେନ୍‌ ଓରଫ ଟୁଟୁ(୩୦) ଓ ସ୍ଥାନୀୟ ଯଦୁପୁର ଅଞ୍ଚଳର ଜଲ୍ଲାଲ ଉଦ୍ଦିନ୍ ଖାଁ ଓରଫ ରାଜା(୨୨)।

ସୂଚନାନୁସାରେ, ଲିଙ୍ଗରାଜ ଥାନା ଅନ୍ତର୍ଗତ ଗୌରୀନଗରରେ ରହୁଥିବା କଟକ ସଦର ଥାନା ଗବସ୍ତ ଗାଁର ବ୍ୟବସାୟୀ ଉତ୍ତମ କୁମାର ଜେନା ଜଣେ ବ୍ୟବସାୟୀ। ବ୍ୟବସାୟ ସମ୍ପର୍କ ଯୋଗୁଁ ତାଙ୍କର ସାଗର ସହ ପରିଚୟ ହୋଇଥିଲା। ଗତ ୧୩ ତାରିଖ ରାତି ପ୍ରାୟ ୧୦ଟାରେ ଉତ୍ତମ ସାଗରଠାରୁ ଫୋନ୍‌ କଲ୍ ପାଇଁ କୌଣସି କାମରେ ଆଇଗିଣିଆ କସ୍‌ମୋପଲି ନିକଟକୁ ଆସିଥିଲେ। ପୂର୍ବରୁ ଅପହରଣ ପାଇଁ ଯୋଜନା କରିଥିବା ସାଗର ଓ ତାର ଅନ୍ୟ ସହଯୋଗୀମାନେ ତାଙ୍କୁ ସେଠାରୁ ଅପହରଣ କରି ନେଇ ଏକ ଆପାର୍ଟମେଣ୍ଟରେ ବନ୍ଦୀ କରି ରଖିଥିଲେ। ସେଠାରେ ତାଙ୍କୁ ନିସ୍ତୁକ ମାଡ଼ ମାରି ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ମିଳିଲେ, ସେମାନେ ତାଙ୍କୁ ହତ୍ୟା କରି‌ବେ ବୋଲି ଚେତାବନୀ ଦେଇଥିଲେ। ତେଣୁ ଉତ୍ତମ ତାଙ୍କ ସ୍ତ୍ରୀଙ୍କୁ ଫୋନ୍‌ କରିଥିଲେ ଓ ଟଙ୍କା ଯୋଗାଡ଼ କରି ଅପହର୍ତାମାନଙ୍କୁ ଦେବା ପାଇଁ କହିଥିଲେ। ଉତ୍ତମଙ୍କ ସ୍ତ୍ରୀ ଏନେଇ କଟକ ପୁଲିସର ସହଯୋଗ ନେଇଥିଲେ। ପୁଲିସ ତାଙ୍କ ଘର ନିକଟରେ ସାଦା ପୋଷାକରେ ଛକି ବସିଥିଲା। ତେବେ ଅପହର୍ତ୍ତାମାନେ ପୁଲିସ ଛକି ବସିଥିବା ଜାଣି ପାରି ଉତ୍ତମ ଘର ପାଖରୁ ଫେରି ଆସିଥିଲେ। ଏହା ପରେ ସେମାନେ ଉତ୍ତମଙ୍କୁ କଳିଙ୍ଗନଗରକୁ ସ୍ଥାନାନ୍ତର କରି ଅକଥନୀୟ ଅତ୍ୟାଚାର କରିଥିଲେ। ୧୫ ତାରିଖ ରାତିରେ ଅପହର୍ତାମାନେ ମଦ ପିଇ ନିଶାଗ୍ରସ୍ତ ହୋଇ ପଡ଼ିଥିଲେ। ଏହି ମଉକାରେ ଉତ୍ତମ ସେଠାରୁ ଖସି ଆସି ଖଣ୍ଡଗିରି ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ। ଆଇଆଇସି ରଶ୍ମି ମହାପାତ୍ର କଳିଙ୍ଗନଗରର ଉକ୍ତ ଘରେ ଚଢ଼ଉ କରି ୪ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର୍ ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର