ଚିକିତ୍ସା ଅବହେଳାରୁ ରୋଗୀମୃତ୍ୟୁ ଅଭିଯୋଗ, ୪ଘଣ୍ଟା ରାସ୍ତା ଅବରୋଧ

ଚନ୍ଦ୍ରଶେଖରପୁର: ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଆଜି ସକାଳେ ଜୟଦେବବିହାରସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ମୃତ ମହିଳାଙ୍କ ସଂପର୍କୀୟ ଓ ପରିବାର ଲୋକେ ଏହାର ପ୍ରତିବାଦରେ ମେ’ ଫେୟାର୍ ନିକଟ ମୁଖ୍ୟ ରାସ୍ତାରେ ମହିଳାଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ। ପାଖାପାଖି ୪ ଘଣ୍ଟା ଧରି ରାସ୍ତା ଅବରୋଧ ରହିବାରୁ ଏହି ବାଟ ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ତେ‌େବ‌ ପରିସ୍ଥିତି ଅଧିକ ଜଟିଳ ଆଡ଼କୁ ଗତି କରୁଥିବା ଖବର ପାଇ ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ସୂଚନା ଅନୁଯାୟୀ, ମୃତ ମହିଳାଜଣଙ୍କ ହେଲେ, ଅହଲ୍ୟା ଭଞ୍ଜ। ସେ ସ୍ବାମୀ କୀର୍ତ୍ତନ ଭଞ୍ଜଙ୍କ ସହ ସପରିବାରେ ସାଲିଆ ସାହିରେ ରହନ୍ତି। ଗତକାଲି ଅହଲ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ କୀର୍ତ୍ତନ ତାଙ୍କୁ ଇଏସ୍‌ଆଇ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିଯିବାରୁ ପରିବାରଲୋକ ତାଙ୍କୁ ଅନ୍ୟ ହସ୍ପିଟାଲ୍‌କୁ ନେବା ପାଇଁ ଚାହିଥିଲେ। ଏଥିପାଇଁ ତାଙ୍କୁ ଡିସଚାର୍ଜ କରିବାରୁ କୀର୍ତ୍ତନ ଡାକ୍ତରଙ୍କୁ କହିଥିଲେ। କିନ୍ତୁ ଡାକ୍ତର ଡିସଚାର୍ଜ କରିବା ବଦଳରେ ଆଶ୍ୱାସନା ଦେଇଥିଲେ। ଅପରପକ୍ଷେ ଏହି ହସ୍ପିଟାଲରେ ରୋଗ ପରୀକ୍ଷାନିରୀକ୍ଷା ନେଇ ଥିବା ମେସିନ୍‌ ନିମ୍ନମାନର ହୋଇଥିବାରୁ ଡାକ୍ତର ରୋଗର କାରଣ ଜାଣି ପାରି ନଥିଲେ। ଫଳରେ ଚିକିତ୍ସା ଅଭାବରୁ ଅହଲ୍ୟାଙ୍କ ମୃତ୍ୟୁ ହୋଇଯାଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସାଲିଆ ସାହି ବସ୍ତିବାସିନ୍ଦା ହସ୍ପିଟାଲ୍ ସମ୍ମୁଖ ମୁଖ୍ୟରାସ୍ତା‌କୁ ଶବ ରଖି ଅବରୋଧ କରିଥିଲେ। ଅହଲ୍ୟାଙ୍କ ମୃତ୍ୟୁର ତଦନ୍ତ ଏବଂ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର