ଦିନ ଦିପହରେ ଗୋଠପାଟଣାସ୍ଥିତ ଆନନ୍ଦନଗର କଲୋନିରେ ପଶିଲା ବାର୍‌ହା, ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୪ ଆହତ

ଖଣ୍ଡଗିରି : ପିପିଲି-ବଳଙ୍ଗାରେ ହାତୀ ଚାରି ଜଣଙ୍କୁ ଦଳିଦେବା ଘଟଣା ମନରୁ ନ ଲିଭୁଣୁ ବୁଧବାର ଅପରାହ୍‌ଣରେ ଚନ୍ଦକା ଥାନା ଗୋଠପାଟଣାସ୍ଥିତ ଆନନ୍ଦନଗର କଲୋନିରେ ବାର୍‌ହା ଆତଙ୍କ ଖେଳାଇଛି। ବାର୍‌ହା ଆକ୍ରମଣରେ ଜଣେ ମହିଳାଙ୍କ ସମେତ ଚାରି ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆହତମାନେ ହେଲେ ଝୁନୁ ମିଶ୍ର(୫୦), ଅଖିଳ ମହାନ୍ତି(୭୦), ମଣ୍ଟୁ ସାସମଲ(୨୦) ଓ ସୀତାରାମ ବେଜ(୩୨)। ଦିନବେଳା ବାର୍‌ହାର ଏହି ଆତଙ୍କ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳକୁ ଆସିଥିବା ବନ କର୍ମଚାରୀମାନେ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥି‌ଲେ।

ସୂଚନାନୁସାରେ ଆଜି ଅପରାହ୍‌ଣ ପ୍ରାୟ ୩ଟା ବେଳେ କଲୋନିର ଲୋକମାନେ ବାହାରେ ବସି ଗପସପ କରୁଥିବାବେଳେ ହଠାତ୍ ଏକ ବାର୍‌ହା ସେଠାକୁ ପଶି ଆସିଥିଲା। ବିଶାଳକାୟ ଏହି ବାର୍‌ହାଟି ସିଧାସଳଖ ଲୋକଙ୍କ ଉପରକୁ ଝାମ୍ପ ମାରିଥିଲା। ପ୍ରଥମେ ଅଖିଳ ମହାନ୍ତି ତା’ ହାବୁଡ଼ରେ ପଡ଼ିଥିଲେ ଓ ତାଙ୍କୁ ତଳେ ପକାଇ ବାର୍‌ହାଟି ଖଣ୍ଡିଆଖାବରା କରି ପକାଇଥିଲା। ଏହା ଦେଖି ଅନ୍ୟମାନେ ବିକଳରେ ଦୌଡ଼ି ପଳାଉଥିବାବେଳେ ସେ ଝୁନୁ ମିଶ୍ରଙ୍କୁ କାମୁଡ଼ି ପକାଇଥିଲା। ଅଚାନକ ବାର୍‌ହା ଆକ୍ରମଣ ଦେଖି ଲୋକେ ପାଟିତୁଣ୍ଡ କରି ତାକୁ ଘଉଡ଼ାଇବାକୁ ଚେଷ୍ଟା କଲାବେଳେ ସେ ପାଲଟା ଆକ୍ରମଣ କରିଥିଲା। ଫଳରେ ମଣ୍ଟୁ ସାସମଲ ଓ ସୀତାରାମ ମଧ୍ୟ ଆହତ ହୋଇଥିଲେ। ଏହା ପରେ ସେ କଲୋନିରୁ ବାହାରି ନିକଟସ୍ଥ ଜଙ୍ଗଲ ଭିତରକୁ ପଳାଇଥିଲା। ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଚନ୍ଦକା ରେଞ୍ଜ କର୍ମଚାରୀମାନେ ଘଟଣାସ୍ଥଳ‌ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର