ସହରାଞ୍ଚଳ ପ୍ରାଥମିକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର: ୪ ବର୍ଷରେ ଉପକୃତ ହେଲେଣି ୬୩ ଲକ୍ଷ ଲୋକ

ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍‌ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର: ପୌର ପରିଷଦଗୁଡ଼ିକର ସକ୍ରିୟ ଭାଗୀଦାରିତାରେ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍‌ ଅଧିକ ସୁଦୃଢ଼ ହୋଇଛି। ସହରାଞ୍ଚଳର ବସ୍ତିବାସିନ୍ଦା ଓ ସହରତଳି ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସହ ସ୍ୱାସ୍ଥ୍ୟ ଜନିତ ଖର୍ଚ ହ୍ରାସ କରାଯାଇପାରିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଡ.ପ୍ରମୋଦ କୁମାର ମେହେର୍ଦା। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍‌ ରାଜ୍ୟସ୍ତରୀୟ କର୍ମଶାଳାରେ ସେ ଯୋଗଦେଇ କହିଲେ, ୨୦୧୪ରୁ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ଓଡ଼ିଶାରେ ଆରମ୍ଭ ହେବା ପରଠୁ ବ୍ୟାପକ କରାଯାଇଛି। ଭୁବନେଶ୍ୱର ସମେତ ୩୦ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୨୪ଟି ଜିଲ୍ଲା ସଦର ମହକୁମା ଏବଂ ୫୦ ହଜାରରୁ ଊର୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ୧୧ଟି ସହରରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ସମୁଦାୟ ୮୫ଟିି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ୨୦୧୪ରୁ ୨୦୧୮ ଏହି ୪ ବର୍ଷ ମଧ୍ୟରେ ୬୩ ଲକ୍ଷରୁ ଊର୍ଧ୍ୱ ଲୋକ ଉପକୃତ ହୋଇଛନ୍ତି। ୮୩ଟି ସହରାଞ୍ଚଳ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ କ୍ଲିନିକ୍‌ କାର୍ଯ୍ୟକାରୀ ହୋଇଛି। ସେ ସମସ୍ତ ଜାଗାରେ ବିଶେଷଜ୍ଞ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସେ ଡ.ମେହେର୍ଦା କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ୍‌ ଯୁଗ୍ମ ସଚିବ ପ୍ରୀତି ପନ୍ଥ ତାଙ୍କ ଅଭିଭାଷଣରେ ମିସନ୍‌ର କାର୍ଯ୍ୟକ୍ରମକୁ ଫଳପ୍ରଦ କରିବା ପାଇଁ ସମସ୍ତଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ ତଥ୍ୟ ଉପସ୍ଥାପନ କରି କହିଲେ, ୫ଟି ମହାନଗର ନିଗମ ଅଞ୍ଚଳରେ ନଗର ପରିଚାଳନା କେନ୍ଦ୍ର ଜରିଆରେ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦିଆଯାଇଛି। ବର୍ତମାନ ସୁଦ୍ଧା ୩୧୮ ମହିଳା ସ୍ୱାସ୍ଥ୍ୟକର୍ମୀ, ୧୧୫ ଷ୍ଟାଫ୍‌ନର୍ସ, ୫୧ଏଲ୍‌ଟି, ୩୬ ଫାର୍ମାସିଷ୍ଟ୍‍ କାର୍ଯ୍ୟରତ ଅଛନ୍ତି। ୭ଟି ସହରରେ ୯ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର, ୩୧୩୨ ମହିଳା ଆରୋଗ୍ୟ ସମିତି, ୮୮୨ ଓ୍ଵାର୍ଡ କଲ୍ୟାଣ ସମିତି ଏବଂ ୯୧ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି। ଏହି ଅବସରରେ ପୌର ନିର୍ଦେଶକ ସଂଗ୍ରାମଜିତ ନାୟକ, ସ୍ୱାସ୍ଥ୍ୟ ମିସନ୍‌ର ଉପକମିସନର୍‌ ଡ.ବି ଗୁପ୍ତା ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ଅତିରିକ୍ତ ନିର୍ଦେଶକ ମୃଣାଳକାନ୍ତି ଦାସ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଉପରେ ପ୍ରସ୍ତୁତ ସୂଚନା ପୁସ୍ତିକା ଏବଂ ବାଲୁକାକଳା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ସିଡି ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର