୪୦ କିମି ରାସ୍ତାର ହେବ ସୌନ୍ଦର୍ଯ୍ୟକରଣ

ହକି ବିଶ୍ୱକପ୍‌ ପୂର୍ବରୁ ବଦଳିବ ସହରର ରୂପ

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପୂର୍ବରୁ ଭୁବନେଶ୍ୱର ସହରର ରୂପ ବଦଳିବ। ପ୍ରମୁଖ ରାସ୍ତା ପାର୍ଶ୍ୱର ସୌନ୍ଦର୍ଯ୍ୟ ବଢ଼ିବ। ରାଜଧାନୀର ୪୦ କିମି ରସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ)ଙ୍କ ପକ୍ଷରୁ ଯୋଜନା ହୋଇଛି। ଏନେଇ ବିଡିଏ ପକ୍ଷରୁ ଖୁବ୍‌ଶୀଘ୍ର ଟେଣ୍ଡର୍‌ ପ୍ରକାଶ ପାଇବ ବୋଲି ସ୍ଥିର ହୋଇଛି। ସହରର ପ୍ରମୁଖ ରାସ୍ତା ଓ ଟ୍ରାଫିକ ଛକ, ରାସ୍ତା ମିଡିଆନ୍‌ରେ ବିଭିନ୍ନ ପ୍ରକାରର ଗଛ, ଗଛକୁଣ୍ଡ, ବାଡ଼ ଓ ଡଷ୍ଟବିନ୍‌ ଇତ୍ୟାଦି ରଖାଯିବ। ସବୁଜୀକରଣ ପ୍ରକ୍ରିୟାରେ ପୁଷ୍ପଶଯ୍ୟା, ଘାସ ଲନ୍‌, ବୁଦାଳିଆ ଗଛ, ସବୁଜ ବାଡ଼ ଏବଂ ବିଭିନ୍ନ କିସମର ଚାରା ରୋପଣ କରାଯିବ। ଟେଣ୍ଡର୍‌ ପ୍ରକ୍ରିୟାରେ ଚୂଡ଼ାନ୍ତ ହେବାକୁ ଥିବା ସଂସ୍ଥା ବୃକ୍ଷରୋପଣ, ଜଳ ସିଞ୍ଚନ, ରକ୍ଷଣାବେକ୍ଷଣ ସମେତ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଚାରିବର୍ଷ ପର୍ଯ୍ୟନ୍ତ ତଦାରଖ କରିବ। ମାଳୀମାନେ ନିୟୋଜିତ ହେବେ। ଯେଉଁମାନେ କି ବୃକ୍ଷଗୁଡ଼ିକର ଯତ୍ନ ନେବେ। ସାଧାରଣତଃ ଗାଈଗୋରୁ ଖାଉ ନ ଥିବା ଟାଣ କିସମର ଗଛ ଓ ଘାସ ରୋପଣ କରାଯିବା ପାଇଁ ଯୋଜନା ରହିଛି। ଅଧିକାଂଶ ସ୍ଥାନୀୟ ପ୍ରଜାତିର ଗଛଗୁଡ଼ିକୁ ଉଦ୍ୟାନୀକରଣ ପ୍ରକ୍ରିୟାରେ ସାମିଲ୍‌ କରାଯାଇଥିବା ବେଳେ କାଠ ଚମ୍ପା, ରେନ୍‌ ଟ୍ରି, ବିଭିନ୍ନ କିସମର ପାମ୍‌ ଗଛ ମଧ୍ୟ ରୋପଣ କରାଯିବ। ଉଦ୍ୟାନୀକରଣ ଯୋଜନା କରାଯାଇଥିବା ପ୍ରମୁଖ ରାସ୍ତାଗୁଡ଼ିକ ମଧ୍ୟରେ ଶିଶୁଭବନ ଛକରୁ ରାମ ମନ୍ଦିର ଛକ, ବିମାନବନ୍ଦର ନିକଟସ୍ଥ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରୁ କିଟ୍‌ ଛକ ରାସ୍ତା, ରାଜମହଲ ଛକରୁ ଏଜି ଛକ, ଏଜି ଛକରୁ ଆଚାର୍ଯ୍ୟ ବିହାର ଛକ, ଏୟାରପୋର୍ଟ ଛକରୁ ଶିଶୁଭବନ ଛକ, ଉଦ୍ୟାନ ମାର୍ଗ, ରାଜଭବନ ଛକରୁ ଶିରିପୁର ଛକ, ଆଚାର୍ଯ୍ୟବିହାର ଛକରୁ କଳିଙ୍ଗ ହସ୍ପିଟାଲ୍‌ ଛକ, ଆଚାର୍ଯ୍ୟବିହାରଠାରୁ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ, ଏକାମ୍ର ଛକରୁ ଶିରିପୁର ଛକ ଏବଂ ଏକାମ୍ର ଛକରୁ ପଳାଶପଲ୍ଲୀ ଛକ ରାସ୍ତା ରହିଛି। ଟ୍ରାଫିକ୍‌ ଛକଗୁଡ଼ିକ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରହିଥିବା ଏୟାରପୋର୍ଟ ଗୋଲେଇ, ଏକାମ୍ର ଛକ ଟ୍ରାଫିକ୍‌ ନିକଟ ସ୍ଥାନ ସମୂହ, ଏଜି ଛକ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚାରିପାଖ, ରାଜଭବନ ଛକସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଚାରିପାଖ, ପାୱର୍‌ ହାଉସ୍‌ ଜଙ୍କସନ୍‌, ଜୟଦେବ ବିହାର ଛକ, କଳିଙ୍ଗ ହସ୍‌ପିଟାଲ୍‌ ଛକ ଓ ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତି ଚାରିପାଖ, କିଟ୍‌ ଛକ, ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ, ରାମମନ୍ଦିର ଛକ, ବାଣୀବିହାର ଛକ, ଗୋପବନ୍ଧୁ ଛକ, କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକ, ପିଏମ୍‌ଜି ଛକ, ନିକୋ ପାର୍କ ଛକ, ଆଚାର୍ଯ୍ୟ ବିହାର, ଡମଣା ଛକ, ଇନ୍‌ଫୋସିଟି ଛକ ଓ ଦି ୱାର୍ଲ୍ଡ ଛକର ସୌନ୍ଦର୍ଯ୍ୟକରଣ କରାଯିବ।

ସମ୍ବନ୍ଧିତ ଖବର