ସ୍ମୃତି ଛାୟାରେ ‘ରକ୍ତ ଗୋଲାପ’ ଦୁଇ ନାୟିକାଙ୍କ ସହ ଦେଖି ରାଗିଗଲେ ଜନଜାତି ଲୋକେ

ଅଭୁଲା ସେ ୪୨ ବର୍ଷ ତଳର ସ୍ମୃତି

ଭୁ‌ବନେଶ୍ବର: ମମତାର ମଧୁମତି ସରମି ଲତିକା…ଗୀତଟି ଦୁଇ ଜଣ ନାୟିକାଙ୍କ ସହ ସୁଟିଂ ହେବାର ଥାଏ। ସୁଟିଂର ତୃତୀୟ ଦିନରେ ଅପରକୋଲାବ୍‌ ‘ବାଗ୍‌ରା’ ଜଳପ୍ରପାତ ପାଖରେ ଅଭିନେତ୍ରୀ ହାଲାମ୍‌ଙ୍କ ସହ ଗୀତଟି ସୁଟ୍‌ ହେଲା। ସୁଟିଂ ଦେଖିବା ପାଇଁ ସେଦିନ ଜନଜାତିର ଲୋକମାନଙ୍କ ଭିଡ଼ ଜମିଥାଏ। ଏହାର ଦୁଇଦିନ ପରେ ଚଳଚ୍ଚିତ୍ରର ଆବଶ୍ୟକତା ମୁତାବକ, ଅନ୍ୟତମ ଅଭିନେତ୍ରୀ ବନଜାଙ୍କ ସହ ସେଇ ଏକା ଗୀତରେ ସୁଟିଂ ହେଲା। ସେଦିନ ମତେ ଆଉ ଜଣକ ସହ ଦେଖି କିଛି ସରଳ ଆଦିବାସୀ ଲୋକ ମୋ ଉପରେ ରାଗି‌ଗଲେ। ସିଧା ପଚାରିଲେ, ‘ଏ ବୁଆ, ତୋର୍‌ ନନୀ କାହିଁଗଲା? ମୁଁ ତାଙ୍କ ଉଦ୍ଦେଶ୍ୟ ବୁଝିଗଲି ଯେ ଆମ ପାଇଁ ଯାହା ଅଭିନୟ, ତାଙ୍କ ପାଇଁ ତାହା ସତ। ଶେଷରେ ଅବଶ୍ୟ ତାଙ୍କୁ ବୁଝେଇବାରୁ ସେମାନେ ବୁଝିଲେ। କିନ୍ତୁ ଆଜି ବି ‘ରକ୍ତ ଗୋଲାପ’ ଚଳଚ୍ଚିତ୍ର ସୁଟିଂ ସମୟର ସେଇ ୪୨ ବର୍ଷ ତଳର ଅନୁଭୂତି ମନରେ ତାଜା ଅଛି ବୋଲି କହିଛନ୍ତି ଚଳଚ୍ଚିତ୍ରର ଅନ୍ୟତମ ନାୟକ ସୁରେଶ ମିଶ୍ର। ଫିଲ୍ମ ଜର୍ଣ୍ଣାଲିଷ୍ଟ୍‌ ଫୋରମ୍‌ (ଏଫ୍‌ଜେଏଫ୍‌) ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ଷୋଡ଼ଶ ‘ସ୍ମୃତିଛାୟା’ରେ ୧୯୭୭ ମସିହାର ଚଳଚ୍ଚିତ୍ର ‘ରକ୍ତ ଗୋଲାପ’ ପ୍ରଦର୍ଶନ ହେଉଥିବା ବେ‌ଳେ ନିଜର ଏହି ଅଭୁଲା ସ୍ମୃତିକୁ ବଖାଣିଛନ୍ତି ଶ୍ରୀ ମିଶ୍ର। ପ୍ରେମ ଓ ତ୍ୟାଗର କାହାଣୀ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ର କୋରାପୁଟ ଓ ଜୟପୁରରୁ ପ୍ରଥମ କରି ପ୍ରଯୋଜିତ ହୋଇଥିବା ବେଳେ ଧନଞ୍ଜୟ ଶତପଥୀଙ୍କର ପ୍ରଥମ ଓ ଶେଷ ସଂଗୀତ ନିର୍ଦେଶିତ ଚଳଚ୍ଚିତ୍ର। ଡ. ବିଜୟ ନନ୍ଦଙ୍କ ନାଟକ ‘ପାଗଳ’ର ଅବଲମ୍ବନରେ ପ୍ରସ୍ତୁତ ହୋଇଥିଲା ଏହି ଚଳଚ୍ଚିତ୍ର। ଏଥିରେ ମୁଖ୍ୟ ଭୂମିକାରେ ଶ୍ରୀରାମ ପଣ୍ଡା ଅଭିନୟ କରିଥିବା ବେଳେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସେତେବେଳର ଚର୍ଚ୍ଚିତ ନାୟିକା ହାଲାମ୍‌, ବତ୍ସଲା, ବନଜା ମହାନ୍ତି, ସୁରେଶ ମିଶ୍ର, ନିତ୍ୟାନନ୍ଦ ଦାସ, ଶାନ୍ତିଲତା ଦାସ, ରମେଶ ପାଣିଗ୍ରାହୀଙ୍କ ଭଳି କଳାକାରମାନେ ଅଭିନୟ କରିଥିଲେ।

୪ ଦଶନ୍ଧି ପୂର୍ବର ଚଳଚ୍ଚିତ୍ରର ଅନୁଭୂତିକୁ ବ୍ୟକ୍ତ କରି ବନଜା କୁହନ୍ତି, ଚଳଚ୍ଚିତ୍ରର ଗୀତର ସୁଟିଂ ‘ବାଗ୍‌ରା’ରେ ହେଉଥିବାରୁ ଗୀତ ଗୋଟିଏ ଦିନରେ ସରିଲା ନାହିଁ। ତେଣୁ ବାରମ୍ବାର ସୁଟିଂ କରିବାକୁ ପଡ଼ିଲା। ତେବେ ବାଗ୍‌ରା ଏମିତି ଏକ ଜଳପ୍ରପାତ ଯେ ଦିନେ ଜଳପ୍ରପାତ ଗୋଟେ ‌ଜାଗାରେ ଥିବା ବେଳେ ତା’ପରଦିନ ଅନ୍ୟ ଜାଗାରେ ଥାଏ। ଜଳପ୍ରପାତ ଏମିତି ଘୁଞ୍ଚୁଥିବାରୁ କ୍ୟାମେରାମ୍ୟାନ୍‌ ବଞ୍ଜାମିନ୍‌ ଓ ନିର୍ଦେଶକ ଭୀମେଶ୍ବର ରାଓଙ୍କ ମଧ୍ୟରେ କଥା କଟାକଟି ଚାଲେ। ଆମେ କିନ୍ତୁ ଏହ ଜଳପ୍ରପାତର ଘୁଞ୍ଚିବା ଦେଖି ଖୁବ୍‌ ମଜା ନେଉଥିଲୁ ବୋଲି କୁହନ୍ତି ବନଜା। ତେ‌ବେ ସୁରେଶ ମିଶ୍ର ଓ ‌ରମେଶ ପାଣିଗ୍ରାହୀଙ୍କୁ ନେଇ ପ୍ରଥମ ଦିନର ସୁଟିଂର ଅନୁଭୂତି ସବୁଠୁ ମଜାଦାର। ରମେଶ ପ୍ରଥମଥର କ୍ୟାମେରାକୁ ସାମ୍ନା କରୁଥିଲେ। ତାଙ୍କ ବାମ ପାଖରେ ଟ୍ରାକ୍‌ ଥାଏ, ସୁରେଶଙ୍କୁ ଚଟ୍‌କଣି ମାରିବା ପରେ ଦୃଶ୍ୟଟି କଟ୍‌ ହେବ ବୋଲି ନିର୍ଦେଶକ ବୁଝାଇଦେଲେ। ରମେଶ ସୁରେଶଙ୍କୁ ଜୋର୍‌ କରି ଚଟକଣି ମାରିବା ସହ ସଂଳାପ କହିଥିଲେ, ତୋତେ ମାଟିରେ ମିଶେଇ ଦେବି..। ଏହା ଗୋଟିଏ ଟେକ୍‌ରେ ଓକେ ହେଇଗଲା। ଦୃଶ୍ୟଟି ଜୀବନ୍ତ ଥିବାରୁ ନିର୍ଦେଶକ ପ୍ରଶଂସା କଲେ। ତେବେ ଏହାର କିଛି ଦିନ ପରେ ଯେବେ ସୁରେଶଙ୍କ ମୁଣ୍ଡକୁ ଟାଙ୍ଗିଆରେ ମାରିବା ଦୃଶ୍ୟର ସୁଟିଂ ହେଲା, ସେଦିନ ଚଟକଣି କଥା ମନେ ପକାଇ ସୁରେଶ ରମେଶଙ୍କୁ କହିଥିଲେ, ଜୋର୍‌ରେ ଟାଙ୍ଗିଆ ମାରିବେ ନାହିଁ ତ? ଚଳଚ୍ଚିତ୍ରର ବୟସ ୪୨ ହୋଇଯାଇଥିଲେ ମଧ୍ୟ ତା’ର କାହାଣୀକୁ କଳା ଧଳା ଛବିରେ ଉପଭୋଗ କରିବାକୁ ଜୟଦେବ ଭବନର ପୂରା ପ୍ରେକ୍ଷାଳୟ ଭର୍ତି ହୋଇଯାଇଥିଲା। ଏହି ଅବସରରେ ଫିଲ୍ମ ସହ ସଂଶ୍ଳିଷ୍ଟ କାହାଣୀକାର ବିଜୟ ନନ୍ଦ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଜଗନ୍ନାଥ ପାଣିଗ୍ରାହୀ, ଅଭିନେତା ସୁରେଶ, ବନଜା, ରମେଶ ପାଣିଗ୍ରାହୀ, ଅନ୍ୟତମ ପ୍ରଯୋଜକ ଶଶାଙ୍କ ଶେଖର ମିଶ୍ରଙ୍କୁ ସମ୍ବର୍ଧିତ କରାଯାଇଥିଲା। ଚଳଚ୍ଚିତ୍ରର ପୁନଃ ସମ୍ପାଦନା ପାଇଁ ଆଲୋକ ସାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରର ଡ. ଦିଲ୍ଲୀପ ପାଣିଙ୍କ ‘ଓଡ଼ିଆ ଚଳଚ୍ଚିତ୍ରର ସାହିତ୍ୟିକ ଓ ସାଂସ୍କୃତିକ ମୂଲ୍ୟାୟନ’ ଏବଂ ‘ରକ୍ତ‌ ଗୋଲାପ’ ଚଳଚ୍ଚିତ୍ର ପୁସ୍ତିକା ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ତଥା ଏଫ୍‌ଜେଏଫ୍‌ର ସୂର୍ଯ୍ୟ ଦେଓ ପ୍ରାରମ୍ଭରେ ଚଳଚ୍ଚିତ୍ର ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ, ପ୍ରାକ୍ତନ ପ୍ରଶାସକ ସଂଜୀବ ହୋତା, କୁଳମଣି ଦେଓ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିବା ବେଳେ ଏଫ୍‌ଜେଏଫ୍‌ର ସୂର୍ଯ୍ୟ ଦେଓ, ହର, ପ୍ରଶାନ୍ତ, ମଣ୍ଟୁ, ଆଲ୍‌ଫା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର