୪୮ ଦିନରେ ୪୪ ଜଣଙ୍କ ସାକ୍ଷ୍ୟଗ୍ରହଣ

ଉତ୍କଳ ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ନିର୍ଯାତନା ପ୍ରସଙ୍ଗ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନୋସ୍ତତ୍ତ୍ୱ ବିଭାଗର ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀ ଆଣିଥିବା ନିର୍ଯାତନା ଅଭିଯୋଗର ତଦନ୍ତ ଶେଷ ହୋଇଛି। ୪୮ ଦିନ ଧରି ବିଶ୍ୱବିଦ୍ୟାଳୟର ୭ ଜଣିଆ ତଦନ୍ତ କମିଟି ଛାତ୍ରଛାତ୍ରୀ, ବିଭାଗର ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସାକ୍ଷ୍ୟ ଗ୍ରହଣ କରିଛନ୍ତି। ଅକ୍ଟୋବର ୧୭ରେ ଗଠିତ ହୋଇଥିବା ଏହି ତଦନ୍ତ କମିଟି ୪୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ରିପୋର୍ଟ ପ୍ରସ୍ତୁତ କରୁଛି। ଆସନ୍ତା ୭ ଦିନ ମଧ୍ୟରେ କିମିଟି ତାହାର ରିପୋର୍ଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ପ୍ରଦାନ କରିବ ବୋଲି ଜଣାପଡ଼ିଛି। ଗତ ଅକ୍ଟୋବର ମାସରେ ମନୋସ୍ତତ୍ତ୍ୱ ବିଭାଗର ଛାତ୍ରଛାତ୍ରୀ ଅଭିଯୋଗ ଆଣିବା ପରେ ଘଟଣାର ତଦନ୍ତ ଲାଗି ଏକ କମିଟି ଗଠିତ ହୋଇଥିଲା। ପିଏମ୍‌ଆଇଆର ବିଭାଗ ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ଆଇନ ବିଭାଗର ପ୍ରଫେସର ମଧୁସୂଦନ ଦାଶ, ଇତିହାସ ବିଭାଗ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ଡିଡିସିଇର ନିର୍ଦେଶକ ପ୍ରଫେସର ସୁସ୍ମିତ୍‌ ପାଣି, ସମାଜ ବିଜ୍ଞାନ ବିଭାଗର ପ୍ରଫେସର ନବନିତା ରଥ, ପ୍ରାଣୀବିଜ୍ଞାନ ପ୍ରଫେସର ପ୍ରଭାତୀ ମହାପାତ୍ର ଏବଂ ସ୍କୁଲ ଓଫ୍‌ ଓମେନ୍ସ ଷ୍ଟଡିଜ୍‌ର ସଂଯୋଜିକା ତଥା ଲୋକ ପ୍ରଶାସନ ବିଭାଗର ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ ସଦସ୍ୟ ରହିଥିଲେ। ଏକ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ସଫଳ ହୋଇ ନ ଥିଲା। ପରବର୍ତୀ ସମୟରେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଏକାଧିକ ମାମଲା ଆସିବାରୁ ତଦନ୍ତରେ ବିଳମ୍ବ ହୋଇଥିବା ଜଣାପଡ଼ିଛି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅକ୍ଟୋବର ୧୭ରେ ଗଠିତ ହୋଇଥିବା ଏହି କମିଟି ୪୮ ଦିନ ଧରି ତଦନ୍ତ କରିଥିଲା। ଏଥିରେ ବିଭାଗର ୨୯ ଜଣ ଛାତ୍ରଛାତ୍ରୀ ଏବଂ ୭ ଜଣ ପ୍ର୍ରଫେସର, ଅଧ୍ୟାପକଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଏଥିସହ ୩ ଜଣ ଅଣଶିକ୍ଷକଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ପୂର୍ବତନ କୁଳସଚିବ ବିଦ୍ୟାଧର ନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟର ବିଭିନ୍ନ ପଦରେ ଥିବା ୪ ଜଣ ଅଧିକାରୀଙ୍କୁ ବି ପଚରାଉଚରା କରାଯାଇଥିଲା। ସାକ୍ଷ୍ୟ ଗ୍ରହଣ ସମୟରେ ପ୍ରତିଟି ଦିଗ ପ୍ରତି ଧ୍ୟାନ ଦିଆଯାଇଥିଲା। ଶ୍ରେଣୀଗୃହରେ ସମ୍ପୃକ୍ତ ଅଧ୍ୟାପକଙ୍କ ବ୍ୟବହାର କିଭଳି ଥିଲା, ଛାତ୍ରଛାତ୍ରୀ, ଅଧ୍ୟାପିକାଙ୍କ ପ୍ର୍ରତି ଖରାପ ବ୍ୟାବହାର ପ୍ରଦର୍ଶନ କରୁଥିଲେ କି ନାହିଁ, କର୍ମଚାରୀଙ୍କ ପ୍ରତି କିଭଳି ମନୋଭାବ ଥିଲା ସେ ସମ୍ପର୍କରେ ବି ପଚରା ଯାଇଥିଲା। ଜଣେ ବି କେହି ଅଧ୍ୟାପକଙ୍କ ସପକ୍ଷରେ ମତ ଦେଇ ନାହାନ୍ତି। ତଦନ୍ତ ସମୟରେ ଅଧ୍ୟାପକ ଜଣକ ଅଷ୍ଟ୍ରେଲିଆର ନ୍ୟୁ ସାଉଥ୍‌ ଓ୍ଵାର୍ଲଡ୍‌ସ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରି ନ ଥିବା ବି ଅଭିଯୋଗ ଆସିଛି। ଏହା ଉପରେ ମଧ୍ୟ କମିଟି ତଦନ୍ତ କରି ରିପୋର୍ଟ ପ୍ରସ୍ତୁତ କରୁଛି।

ତଦନ୍ତ ସରିଥିବାରୁ ରିପୋର୍ଟ ପ୍ରସ୍ତୁତ କରିବାକୁ ଆଉ ୭ ଦିନ ସମୟ ଲାଗିବ। ଅଧ୍ୟାପକଙ୍କ ବିରୋଧରେ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ କରାଯିବ ସେନେଇ ମଧ୍ୟ ତର୍ଜମା ଚାଲିଛି। ରିପୋର୍ଟ କୁଳପତିଙ୍କୁ ପ୍ରଦାନ କରାଯିବ। ତାହା ସିଣ୍ଡିକେଟ୍‌ ବୈଠକରେ ଉପସ୍ଥାପିତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୨ ତାରିଖରେ ଅଧ୍ୟାପକଙ୍କ ନିର୍ଯାତନା ନେଇ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ। ଧାରଣା ଦେବା ସହ କ୍ଲାସ ବର୍ଜନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ୭ ଜଣିଆ କମିଟି ଗଠନ କରିଥିଲେ। ଏହାପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଧ୍ୟାପିକାମାନେ ଅଭିଯୋଗ ଆଣିଥିଲେ। ତଦନ୍ତ ଲାଗି ପିଜି କାଉନସିଲ୍‌ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରି ନ ଥିଲା।

ସମ୍ବନ୍ଧିତ ଖବର