୫ବର୍ଷର ହିସାବ ନିକାଶ ୱାର୍ଡ ୪୭ସବୁ ସମସ୍ୟାର ସମାଧାନ ହୋଇଛି

ୱାର୍ଡ ୩୧ବହୁ ସମସ୍ୟା ସମାଧାନ ହେଲାନି

ଭୁବନେଶ୍ବର: ଗତ ପୌର ନିର୍ବାଚନର ସବୁଠୁ ଚର୍ଚ୍ଚିତ ୱାର୍ଡ ଥିଲା ୪୭। ଏଠାରେ ବିଏମ୍‌ସିରେ ମେୟର ଭାବେ ୫ବର୍ଷ କାର୍ଯ୍ୟ କରିଥିବା ଅନନ୍ତ ନାରାୟଣ ଜେନା ପୁଣି କର୍ପୋରେଟର ପ୍ରାର୍ଥୀ ହୋଇଥିଲେ। ଅନନ୍ତ ପ୍ରାର୍ଥୀ ହୋଇଥିବାରୁ ୱାର୍ଡବାସୀ ତାଙ୍କୁ ଏକତରଫା ଜିତାଇଥିଲେ। ଏପରିକି ଅନନ୍ତ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ପ୍ରକାଶ ଚନ୍ଦ୍ର କାନୁନ୍‌ଗୋଙ୍କୁ ୪୩୩୪ ଖଣ୍ଡ ଭୋଟ୍‌ରେ ହରାଇଥିଲେ। ଯାହା ତାଙ୍କୁ ବିଏମ୍‌ସି ନିର୍ବାଚନରେ ସର୍ବାଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ପ୍ରାର୍ଥୀ ଭାବେ ଉଭା କରିଥିଲା। ଏହାପରେ ଅନନ୍ତ ଆଉ ପଛକୁ ଚାହିଁନଥିଲେ। ପୂରା ଭୁବନେଶ୍ବରବାସୀଙ୍କ ସମସ୍ୟା ସମାଧାନ ସହ ନିଜ ୱାର୍ଡର ବିକାଶକୁ ସେ ଫୋକସ୍‌ କରିଥିଲେ। ଲୋକ ଯାହା ସୁବିଧା ସୁଯୋଗ ଚାହିିଥିଲେ, ମିଳିଥିଲା। ଏପରିକି ଖୋଦ୍‌ ମେୟରଙ୍କ ୱାର୍ଡ ହୋଇଥିବାରୁ ବିଏମ୍‌ସି ଅଧିକାରୀ କୌଣସି ସେବା ଯୋଗାଇବାରେ ଢିଲା କରିନଥିଲେ। ଅନନ୍ତ ଲୋକଙ୍କ ଚାହିଦାକୁ ଦେଖି କାମ କରିଥିବାରୁ ବିରୋଧୀ ବି ତାଙ୍କ ସପକ୍ଷରେ କହୁଛନ୍ତି। କିନ୍ତୁ ୱାର୍ଡରେ ଗତ ୫ବର୍ଷରେ ବସ୍ତି ବଢ଼ି ଯାଇଥିବାରୁ କିଛି ଲୋକଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ପାଲଟିଛି।

ଯାହା ଆବଶ୍ୟକ ଥିଲା ତାହା କରିଛି
ମୋ ୱାର୍ଡରେ ଲୋକଙ୍କର ଯାହା ଆବଶ୍ୟକ ଥିଲା, ତାହା କରିଛି। ୱାର୍ଡର ଅନେକ ବିକାଶ ହୋଇଛି। ରାସ୍ତାଘାଟ, ଡ୍ରେନ୍‌, ଆଲୋକୀକରଣ, ପିଇବା ପାଣି ଆଦି ମୌଳିକ ସମସ୍ୟାର ଶତ ପ୍ରତିଶତ ସମାଧାନ ହୋଇଛି। ଯୁବକମାନଙ୍କ ପାଇଁ କ୍ଲବ, ମଲ୍ଟି ଜିମ୍‌, ଗୋପବନ୍ଧୁ ଛକ ନିକଟରେ ଇଣ୍ଡୋର ହଲ୍‌ କରାଯାଇଛି। ସିବିଆଇ କଲୋନି ନିକଟରେ ଏକ କମ୍ୟୁନିଟି ସେଣ୍ଟର ହୋଇଛି। ସେହିପରି ପାଠାଗାର, ୫ଟି ଅଙ୍ଗନୱାଡି କେନ୍ଦ୍ର, ମହିଳା ସମିତି ଗୃହ, ବରିଷ୍ଠ ନାଗରିକ ଗୃହ, ଭେଣ୍ଡିଂ ଜୋନ୍‌, ଡି‌ସ୍‌ପେନ୍‌ସାରି, ପୂଜାମଣ୍ଡପ ଏବଂ ୫ଟି ପାର୍କ କରାଯାଇଛି। ଅଞ୍ଚଳରେ ପରିମଳ ବ୍ୟବସ୍ଥା ସୁବ୍ୟବସ୍ଥିତ ହେବା ବହୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଛି। ଖେଳପଡ଼ିଆର ବି ଉନ୍ନତୀକରଣ କରାଯାଇଛି। ବସ୍ତି ନେଇ ଯେଉଁ ସମସ୍ୟା ଉଠିଛି, ତାହା ଖୁବ୍‌ଶୀଘ୍ର ସମାଧାନ ହେବ। ବସ୍ତିବାସିନ୍ଦାଙ୍କୁ ସେହି ସ୍ଥାନରେ କୋଠାଘର ଦିଆଯିବ।
ଅନନ୍ତ ନାରାୟଣ ଜେନା, ମେୟର ତଥା ସ୍ଥାନୀୟ କର୍ପୋରେଟର
ଭୋଟ୍ ପାଇଁ ବସ୍ତି ବଢ଼ିଛି

ମେୟର କେବଳ ଭୋଟ୍‌ ପାଇଁ ନିଜ ଅଞ୍ଚଳରେ ବସ୍ତି ବଢ଼ାଇ ଚାଲିଛନ୍ତି। ହେଲେ ବସ୍ତିବାସିନ୍ଦାଙ୍କୁ ଉପଯୁକ୍ତ ଥଇଥାନ କରୁନାହାନ୍ତି। ଯାହାକି ସ୍ଥାନୀୟ ଅଞ୍ଚଳର ମୁଖ୍ୟ ସମସ୍ୟା। ତେବେ ମେୟର ଯେଉଁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ବୋଲି କହୁଛନ୍ତି ତାହା କିଛି ନୂଆ କଥା ନୁହେଁ। ସେ ତାଙ୍କ କର୍ତ୍ତବ୍ୟ କରିଛନ୍ତି। ତାଙ୍କ ସ୍ଥାନରେ ମୁଁ ଥିଲେ, ମୁଁ ମଧ୍ୟ ୱାର୍ଡର ବିକାଶ କରିଥାଆନ୍ତି।
ପ୍ରକାଶ ଚନ୍ଦ୍ର କାନୁନ୍‌ଗୋ, ନିକଟତମ ପ୍ରତିଦ୍ବନ୍ଦ୍ବୀ

କେଉଁ ଅଞ୍ଚଳ ଯାଉଛି
ଗୋପବନ୍ଧୁ ନଗର, ରାଜଭବନ କଲୋନି, ଇ-ଟାଇପ୍‌ କ୍ବାଟର୍ସ, ୨ଆର୍‌ଏ ଓ ୨ଆର୍‌ବି କ୍ବାଟର୍ସ, ଏଫ୍‌ ଟାଇପ୍‌ କ୍ବାଟର୍ସ, ମାଇକ୍ରୋୱେଭ୍‌ କଲୋନି, ଓସିସି କଲୋନି, ସିବିଆଇ କଲୋନି, ଜୟଦୁର୍ଗା କଲୋନି, ପିପିଏଲ୍‌ କଲୋନି, ଏକ୍ସପ୍ରେସ୍‌ କଲୋନି, ଓଏମ୍‌ସି କଲୋନି, ଡିପିଆଇ କଲୋନି

ବହୁ ସମସ୍ୟା ସମାଧାନ ହେଲାନି
ଭୁବନେଶ୍ବର: ୩୫ରୁ ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ୱାର୍ଡ ୩୧ରୁ ଦୁଇ ଥର ନିର୍ବାଚିତ ହୋଇଛନ୍ତି ବିଜେଡି କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର। ଗତ ନିର୍ବାଚନରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ପ୍ରକାଶ ଚନ୍ଦ୍ର ଜେନାଙ୍କୁ ୩ଶହରୁ ଅଧିକ ଭୋଟରେ ହରାଇଥିଲେ। ୱାର୍ଡବାସୀଙ୍କ ପାଇଁ ଅନେକ କିଛି କରିବାର ଲକ୍ଷ୍ୟ ନେଇ ୫ବର୍ଷ ତଳେ କାମ ଆରମ୍ଭ କରିଥିଲେ। କୁମାରେନ୍ଦ୍ର ୱାର୍ଡ ଉନ୍ନତୀକରଣରେ ଅନେକ ମାତ୍ରାରେ ସଫଳ ହୋଇଥିଲେ ମଧ୍ୟ ଅଳ୍ପ କିଛି କାମ କରି ପାରିନଥିବାରୁ ତାଙ୍କ ମନରେ ଅବସୋସ ରହିଯାଇଛି। ୱାର୍ଡ ବାସିନ୍ଦାଙ୍କ ଅଭିଯୋଗ କିନ୍ତୁ ଭିନ୍ନ। କିଛି ବାସିନ୍ଦା ନିଜ ନାମ ଗୋପନ ରଖି କହିଛନ୍ତି, ୫ ବର୍ଷ ହେବ କର୍ପୋରେଟରଙ୍କ ଦେଖା ମିଳୁନି। ରାସ୍ତା କଡ଼ରେ ଅଳିଆ ଆର୍ବଜନା ସପ୍ତାହ ସପ୍ତାହ ଧରି ଗଦା ହୋଇ ରହୁଛି। ଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବମିଖାଲ ଗାଁ ଭିତରେ ଥିବା ଷ୍ଟ୍ରିଟ ଲାଇଟ ମାସମାସ ଧରି ଜଳୁନି। ୱାର୍ଡରେ ଥିବା ୪ଟି ଡ୍ରେନ୍ ମାଟି ଓ ଆବର୍ଜନାରେ ଅଧା ପୋତି ହୋଇଗଲାଣି। ଫଳରେ ସାମାନ୍ୟ ବର୍ଷାରେ ବମିଖାଲ ଛକରୁ କୋଚିଳେଇ ହାଟ ପର୍ଯ୍ୟନ୍ତ ରାସ୍ତାରେ ଅଣ୍ଟାଏ ଉଚ୍ଚ‌େର ପାଣି ଜମୁଛି। ବମିଖାଲ ଗାଁ ଓ ରିଫ୍ୟୁଜି କଲୋନି ବାସିନ୍ଦା ସରକାରୀ ସବୁିଧା ସୁଯୋଗ ପାଇବାରୁ ବଞ୍ଚିତ ବୋଲି ୱା‌ର୍ଡବାସୀ ଅଭିଯୋଗ କରିଛନ୍ତି। ସେହିପରି ବମିଖାଲ ଓଭରବ୍ରିଜ କାମରେ ବିଲମ୍ବ ଓ ସନ୍ତୋଷୀ ମା’ ମନ୍ଦିର ସମ୍ମୁଖରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଏହି ଅଞ୍ଚଳର ଅନ୍ୟତମ ପ୍ରମୁଖ ସମସ୍ୟା। ରସୁଲଗଡ଼ ଶିଳ୍ପାଞ୍ଚଳ ବାସିନ୍ଦାଙ୍କର ମଧ୍ୟ ଅନେକ ସମସ୍ୟା ରହିଛି। ଶିଳ୍ପାଞ୍ଚଳରେ ବିଏମ୍‌ସି ପକ୍ଷରୁ ନା ରାସ୍ତାଘାଟ ନିର୍ମାଣ କରାଯାଉଛି ନା ଆଲୋକୀକରଣ। ପୂରା ଅନ୍ଧାରରେ ରହୁଛି ଏହି ଅଞ୍ଚଳ। ସେହିପରି ଆଉ କିଛି ୱା‌ର୍ଡ ବାସିନ୍ଦା କପୋର୍ରେଟରଙ୍କ କାମକୁ ଢେର୍‌ ପ୍ରଶଂସା ମଧ୍ୟ କରିଛନ୍ତି। କହିଛନ୍ତି, ଭଲ ମନ୍ଦ ସବୁବେଳେ କର୍ପୋରେଟର ଆମ ସହିତ ଠିଆ ହେଉଛନ୍ତି। ନିଗମାନନ୍ଦ ନଗର, ନେତାଜୀ ନଗରରେ ବର୍ଷା ଦିନେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ହୋଇଛି।

ଡ୍ରେନ୍ ସମସ୍ୟା ସୁଧୁରିଛି, କିଛି କାମ ବାକି ରହିଗଲା
ୱାର୍ଡରେ ଡ୍ରେନ୍‌ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହୋଇଛି। ରାସ୍ତା ଘାଟ କାମ ସବୁ ସରି ଯାଇଛି। କୌଣସି ପାତର ଅନ୍ତର ନକରି ପ୍ରକୃ୍ତ ହିତାଧିକାରୀଙ୍କୁ ସମସ୍ତ ପ୍ରକାରର ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏସବୁ ବାଦ୍‌ ଲୋକ କହିବେ ମୁଁ କ’ଣ କରିଛି, ନ କରିଛି। ରସୁଲଗଡ଼ ଶିଳ୍ପାଞ୍ଚଳରେ ଇଡକୋ ଓ ବିଏମସି ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଏହି ଅଞ୍ଚଳରେ ରାସ୍ତାଘାଟ କାମ ହୋଇ ନ ପାରିବା ସହ ଆଲୋକୀକରଣରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ତେବେ ମୋର ଶତଚେଷ୍ଟା ସତ୍ତ୍ବେ ୱାର୍ଡରେ ପାର୍କ ଏବଂ କମ୍ୟୁନିଟି ହଲ୍‌ଟିଏ କରିପାରିଲିନି। ସେହିପରି ମୋ ୱା‌ର୍ଡରେ ଏକ ଗାରବେଜ ପଏଣ୍ଟ ଆବଶ୍ୟକ। ବିଏମସି ଏଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରୁଛି।
କୁମାରେନ୍ଦ୍ର ମହାପାତ୍ର, କର୍ପୋରେଟର

ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ
କର୍ପୋରେଟର ୱା‌ର୍ଡର ଉନ୍ନତି ପାଇଁ କିଛି ବି କାମ କରିନାହାନ୍ତି। ୱା‌ର୍ଡର ବହୁ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍ ନାହିଁ। ଅଳିଆ ଠିକ୍‌ ସମୟରେ ଉଠୁନି। ଲୋକଙ୍କୁ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦିଆଯିବାରେ ମଧ୍ୟ ପାତରଅନ୍ତର କରାଯାଇଛି। ବର୍ଷା ଦିନେ ଏହି ଅଞ୍ଚଳରେ ରହିବା କଷ୍ଟକର ହୋଇଯାଉଛି। ଡ୍ରେନ୍ ହେଉନି କିନ୍ତୁ ବାରମ୍ବାର ରାସ୍ତା ମରାମତି ହେଉଛି।
ପ୍ରକାଶ ଚନ୍ଦ୍ର ଜେନା, ନିକଟତମ ପ୍ରତିଦ୍ବନ୍ଦ୍ବୀ

କେଉଁ ସବୁ ଅଞ୍ଚଳ ଆସୁଛି
ବମିଖାଲ ଗାଁ, କୋଚିଳେଇ ହାଟ, ରସୁଲଗଡ଼ ଶିଳ୍ପାଞ୍ଚଳ, ନଗମାନନ୍ଦନଗର, ରିଫ୍ୟୁଜି କଲୋନି, ଶାରଳାନଗର, କୋଲଫ୍ୟାକ୍ଟ୍ରି ଅଞ୍ଚଳ, ଆଇଜି କଲୋନି, ‌ନେତାଜୀନଗର,ଚଣ୍ଡୀମାତା କଲୋନି, କଲରାପୁଟ ବସ୍ତି ପ୍ରମୁଖ

ସମ୍ବନ୍ଧିତ ଖବର