ଚନ୍ଦ୍ରଶେଖରପୁର: ସହରରୁ ଗାଁ। ସବୁଠି ଲକ୍ଡାଉନ୍ର ପ୍ରଭାବ। କେଉଁଠି ଲୋକେ ଘରୁ ବହାରି ପାରୁ ନାହାନ୍ତି ତ ଆଉ କେଉଁଠି ପରିବା ଆଣିବା ପାଇଁ ୩ କିଲୋମିଟର ବାଟ ଚାଲି ଚାଲି ଯିବାକୁ ପଡୁଛି। ସ୍ଥିତି ଏମିତି ହେଲାଣି ଯେ ଗାଁ ଲୋକେ ଘରୁ ବାହାରିବା ପୂର୍ବରୁ ଦୁଇଥର ଚିନ୍ତା କରୁଛନ୍ତି। ରାଜଧାନୀ ଉପକଣ୍ଠ ତଥା ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପ୍ରତି ଗଳିକନ୍ଦିରେ ଏଭଳି ଅବସ୍ଥା ଉପୁଜିଛି। ଗୋଟିଏ ସପ୍ତାହର କରୋନା ମାଡ଼ରେ ଲୋକଙ୍କ ମେରୁଦଣ୍ଡ ଏକପ୍ରକାର ଭାଙ୍ଗି ଯାଇଛି। କାହା ପାଖରେ ଖାଇବା ପାଇଁ ପଇସା ନାହିଁ ତ ଆଉ କାହା ପାଖରେ ସବୁ ଥାଇ ଚିନ୍ତା ଘାରୁଛି। ରାଜଧାନୀ ଉପକଣ୍ଠ ସବୁ ଗାଁ ଏବେ ଖାଁ ଖାଁ ହୋଇଯାଇଛି।
ବିଶେଷକରି ନିର୍ବାଚନମଣ୍ଡଳୀର ୫ ପଞ୍ଚାୟତବାସୀ ଏବେ ହାତବାନ୍ଧି ବସିଛନ୍ତି। କାମଧନ୍ଦା କିଛି ବି ନାହିଁ। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ବସି ରହିଛନ୍ତି। ପ୍ରତି ଗାଁକୁ ପଶିଲେ ଦେଖିବାକୁ ମିଳୁଛି କରୋନା ମାଡ଼ର ପ୍ରଭାବ। କଟକଣା ଯୋଗୁଁ ଲୋକେ ଘରୁ ତ ବାହାରୁ ନାହାନ୍ତି ସତ, ହେଲେ ଘର ଭିତରେ ବି ରହୁନାହାନ୍ତି। ସକାଳ ହେବା କ୍ଷଣି ଗାଁର ବିଭିନ୍ନ ସ୍ଥାନରେ ଲୁଚିଛପି ଜମୁଛି ଖଟି। କେଉଁଠି ତାସ ଖେଳ ହେଉଛି ତ ଆଉ କେଉଁଠି କ୍ୟାରମ ଖେଳ। ଅଧିକ ଲୋକ ଏକାଠି ହେଲେ କାଳେ ପୁଲିସ ଗୋଡ଼ାଇବ, ସେଥିପାଇଁ ଅତି ବେଶିରେ ୪ରୁ ୬ଜଣ ଲୋକ ଗୋଟିଏ ଜାଗାରେ ଏକାଠି ବସୁଛନ୍ତି। ଅବଶ୍ୟ ପରସ୍ପର ମଧ୍ୟରେ ଦୂରତ୍ୱ ରଖାଯାଉଛି। ଦିନ ଓ ରାତିର ବିଭିନ୍ନ ସମୟରେ ସ୍ଥାନୀୟ ପୁଲିସ ପକ୍ଷରୁ ରଙ୍ଗମାଟିଆ, ଗାଡ଼କଣ, ଡମଣା, ପଟିଆ, ଦାଢ଼ା, ରଘୁନାଥପୁର, ଅଳସୁଆ, ପଥରଗାଡ଼ିଆ, ଦାରୁଠେଙ୍ଗ, କଳାରାହାଙ୍ଗ, ବରିମୁଣ୍ଡ, କଲ୍ୟାଣପୁର, ମଞ୍ଚେଶ୍ୱର, ଗଣ୍ଡରପୁର ଗାଁ ଉପରେ ଚଢ଼ଉ ହେଉଛି। ଯେଉଁଠି ଲୋକ ଏକାଠି ହେଉଛନ୍ତି, ପୁଲିସ ଗୋଡ଼େଇ ଗୋଡ଼େଇ ବାଡ଼ଉଛି।
ଅନ୍ୟପକ୍ଷରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ବିଧାୟକ ସୁଶାନ୍ତ କୁମାର ରାଉତ ଲୋକଙ୍କ ସହାୟତା ପାଇଁ ହାତ ବଢ଼ାଇଛନ୍ତି। ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସେବା ଦିଗରେ ଖର୍ଚ୍ଚ କରିବା ପାଇଁ ବିଧାୟକ ଶ୍ରୀ ରାଉତ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଅର୍ଥରେ ନିର୍ବାଚନମଣ୍ଡଳୀ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଓ ସଚେତନତା କାର୍ଯ୍ୟକ୍ରମ କରାଯିବ। ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ଲୋକଙ୍କ ସହ ରାଜ୍ୟ ସରକାର ଅଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଗୁଆ ପଦକ୍ଷେପ ନିଆଯାଉଛି। କରୋନା ପରି ଏକ ମହାମାରୀ ବ୍ୟାପୁଥିବା ସମୟରେ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପ୍ରତିଟି ସଚେତନ ନାଗରିକ ସରକାରଙ୍କୁ ସହଯୋଗ କରନ୍ତୁ। ଦଳମତ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ସରକାରଙ୍କ ସଚେତନତା ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। ଲକ୍ଡାଉନ୍ ସମୟରେ ବ୍ୟସ୍ତବିବ୍ରତ ନ ହୋଇ ପ୍ରଶାସନ କଥା ଶୁଣନ୍ତୁ। ଘରେ ରହିଲେ ହିଁ ସୁସ୍ଥ ରହିପାରିବା। ତେଣୁ ନିର୍ବାଚନମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ, ସେମାନେ ଘରେ ରୁହନ୍ତୁ। ଗଣ୍ଡରପୁରସ୍ଥିତ ୟୁନାଇଟେଡ୍ ୟୁଥ୍ ସ୍ପୋର୍ଟ୍ସ କ୍ଳବ ସଦସ୍ୟମାନେ ଲୋକଙ୍କୁ ସଚେତନ କରୁଛନ୍ତି। ସେମାନେ ଲୋକଙ୍କୁ ନିବେଦନ କରୁଛନ୍ତି ଯେ କରୋନା ମହାମାରୀକୁ ଖାମଖିଆଲି ଭାବେ ଗ୍ରହଣ କରନ୍ତୁ ନାହିଁ। ନିଜ ଘର ଛାଡ଼ି କୁଆଡ଼େ ବାହାରନ୍ତୁ ନାହିଁ। ନିଜ ପରିବାରର ବାପା, ମା’, ପିଲାମାନଙ୍କ କଥା ଭାବନ୍ତୁ। ତୁମର କ’ଣ ହୋଇଗଲେ ତାଙ୍କର କ’ଣ ଅବସ୍ଥା ହେବ। ଆମ ଭିତରେ ମଣିଷପଣିଆକୁ ଜାଗ୍ରତ କରିବାକୁ ହେବ। ପଶୁପକ୍ଷୀଙ୍କ ମଧ୍ୟରେ ଶୃଙ୍ଖଳା ଥିବା ବେଳେ ଆମ ଭିତରେ ଦେଖା ଯାଉନାହିଁ। ଆମେ ସବୁ ବୁଝି ମଧ୍ୟ ନିଜର ବିପଦକୁ ଡାକି ଆଣୁଛୁ। ଭଗବାନଙ୍କ ଏହି ପରୀକ୍ଷା ସମୟରେ ଅନେକ ନିରୀହ ଲୋକଙ୍କୁ ବଳି ପକାନ୍ତୁ ନାହିଁ କି ବଡ଼ ବିପର୍ଯ୍ୟୟକୁ ଡାକି ଆଣନ୍ତୁ ନାହିଁ। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାୟକ ଓ ପ୍ରଶାସନର କଥା ମାନନ୍ତୁ। ନିଜେ ସଚେତନ ହୁଅନ୍ତୁ ଅନ୍ୟକୁ କୁହନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/8f7h98sdf7hsdf89h7sfhsfhsfhsfhsfhsfhfhshffsh.jpg)