ଗୋଲ୍‌ଡେନ୍‌ ବାବା ସହ ସଂପୃକ୍ତ ନେତାଙ୍କ ଗିରଫ ଦାବି: ରଣକ୍ଷେତ୍ର ଶିଶୁଭବନ ଛକ

ପୁଲିସ ଲାଠିମାଡ଼ରେ ୨ ଆହତ ୬ଛାତ୍ର ନେତା ଗିରଫ

ଭୁବନେଶ୍ବର: ଜ୍ୟୋତି ରଂଜନ ବେଉରା ଓରଫ ଗୋଲ୍‌ଡେନ୍‌ ବାବାଙ୍କ ସହ ସଂପର୍କରେ ଥିବା ବିଜେଡି ନେତାଙ୍କୁ ଗିରଫ ଓ ଇସ୍ତଫା ଦାବିରେ ଆଜି ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରାଯାଇଥିଲା। ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଛାତ୍ର କଂଗ୍ରେସର ଶତାଧିକ କର୍ମୀ କଂଗ୍ରେସ ଭବନରୁ ବାହାରି ନବୀନ ନିବାସମୁହାଁ ହୋଇଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଗୋଲ୍‌ଡେନ୍‌ ବାବାଙ୍କ ସହ ସଂପର୍କ‌ରେ ଥିବା ବିଜେଡି ନେତାମାନଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ। ସେମାନଙ୍କ ବିକ୍ଷୋଭ ଶୋଭାଯାତ୍ରା ଶିଶୁଭବନ ନିକଟରେ ପହଞ୍ଚିବା ବେଳକୁ ସେଠାରେ ପୂର୍ବରୁ ସଜାଗ ହୋଇ ରହିଥିବା କମିସନ୍‌ରେଟ୍‌ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଛାତ୍ର କଂଗ୍ରେସର କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିବା ସହ ଛକ ଉପରେ କିଛି ବିଜେଡି ନେତାଙ୍କ କୁଶପୁତ୍ତଳିକା ଦାହ କରିବାରୁ ପରିସ୍ଥିତି ଅଧିକ ଜଟିଳ ହୋଇଯାଇଥିଲା। ଦୀର୍ଘ ୧ ଘଣ୍ଟା ଧରି ଏମିତି ଚାଲିବାରୁ ଏହି ବାଟ ଦେଇ ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ତେଣୁ ବାଧ୍ୟ ହୋଇ ପୁଲିସ ଲାଠିଚାଳନା କରିବା ସହ ବହୁ କର୍ମୀଙ୍କୁ ଗିରଫ କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପୁଲିସର ଏହି କାର୍ଯ୍ୟାନୁଷ୍ଠାନରେ ୨ଜଣ ଛାତ୍ରନେତା ଆହତ ହେବାରୁ ସେମାନଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଅପରପକ୍ଷେ କ୍ୟାପିଟାଲ ଥାନା ପୁଲିସ ଏନେଇ ଏକ ମାମଲା ରୁଜୁ କରି ୬ ଛାତ୍ର ନେତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାଯାଇଛି। ଏହି ବିକ୍ଷୋଭରେ ଛାତ୍ର କ˚ଗ୍ରେସର ଇତିଶ୍‌ ପ୍ରଧାନ, ଭୁବନେଶ୍ବର ଜିଲ୍ଲା କ˚ଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ କ˚ଗ୍ରେସ ଗଣମାଧ୍ୟମର ମୁଖ୍ୟ ସତ୍ୟପ୍ରକାଶ ନାୟକ, ରଜନୀ ମହାନ୍ତି, ନିରଞ୍ଜନ ନାୟକ, ଦୀପକ ମହାପାତ୍ର, ଶ୍ରୀଧର ବେହେରା, ବିଭୁପ୍ରସାଦ ଜେନା, ଅଖିଳେଶ ଯାଦବ, ପ୍ରବୀଣ କୁମାର, ସମ୍ବିତ ମଙ୍ଗରାଜ, ଦେବାଶିଷ ମହାରଣା, ମହମ୍ମଦ କାପା, ପ୍ରତୀକ ଦାସ, ହି˚ମାଶୁ ସାହୁ ପ୍ରମୁଖ ନେତୃତ୍ବ ନେଇଥିଲେ। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେଇ ବିଜେଡିର ଦାଗୀ ନେତା ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନନେଲେ ସାରା ଓଡ଼ିଶାରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଛାତ୍ର କ˚ଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ଦିନିକିଆ ରିମାଣ୍ଡରେ ଗୋଲ୍‌ଡେନ୍‌ ବାବା
ଭୁବନେଶ୍ବର: ଗୋଲ୍‌ଡେନ୍‌ ବାବା ଓରଫ‌ ଜ୍ୟୋତିରଞ୍ଜନ ବେଉରାକୁ ଆସନ୍ତାକାଲି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଜେରା କରିବ। ଇଓଡବ୍ଲ୍ୟୁ ଜ୍ୟୋତିକୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ ଇଓଡବ୍ଲ୍ୟୁକୁ ଗୋଟିଏ ଦିନ ଅନୁମତି ମିଳିଛି। ଶନିବାର ଜ୍ୟୋତିକୁ ଇଓଡବ୍ଲ୍ୟୁରେ ହାଜର କରାଯିବ। ତା’ର ରାଜନୈତିକ ସମ୍ପର୍କ, ଓଲିଉଡ୍‌ ଲିଙ୍କ, ଆର୍ଥିକ କାରବାର ଉପରେ ଜେରା କରାଯିବ। ସପ୍ତାହ ତଳେ କମିସନରେଟ୍‌ ପୁଲିସ ଜ୍ୟୋତିକୁ ଦୁଇ ଦିନ ରିମାଣ୍ତରେ ଆଣି ଜେରା କରିଥିଲା। ରିମାଣ୍ଡବେଳେ ପୁଲିସ ଜ୍ୟୋତିରଂଜନକୁ ଆର୍ଥିକ, ରାଜନୈତିକ ଓ ଓଲିଉଡ୍‌ ଲିଙ୍କ ଉପରେ ପଚରାଉଚରା କରିଥିଲା। ସେହିପରି ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲାରେ ସେ ସମ୍ପୃକ୍ତ ଥିବା ପଦାକୁ ଆସିଥିଲା। ଏପରିକି ରାଜ୍ୟ ବାହାରେ ମଧ୍ୟ ସେ ଠକେଇ କରିଥବା ଜଣାପଡ଼ିଥିଲା। ଠକେଇର ପରିମାଣ ୫ କୋଟିରୁ ଊର୍ଧ୍ବ ହେବ ବୋଲି ଜଣା ପଡ଼ିବା ପରେ ଘଟଣାର ତଦନ୍ତ ପାଇଁ କମିସନରେଟ୍‌ ପୁଲିସ ଇଓଡବ୍ଲ୍ୟୁକୁ ଚିଠି ଲେଖିଥିଲା।

ସମ୍ବନ୍ଧିତ ଖବର