ରାଜଧାନୀରେ ବଢ଼ୁଛି ଚାହିଦା: ୬୦୦ରେ ପହଞ୍ଚିଲାଣି ସିଏନ୍‌ଜି ଅଟୋ

ଚନ୍ଦ୍ରଶେଖରପୁର: ରାଜଧାନୀରେ ସିଏନ୍‌ଜି ଚାଳିତ ଅଟୋର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ୨୦୧୭ ଡିସେମ୍ବରରେ ମାତ୍ର ୫୦ଟି ଅଟୋକୁ ନେଇ ରାଜଧାନୀରେ ଆରମ୍ଭ ହୋଇଥିଲା ଏହି ବ୍ୟବସ୍ଥା। ମାତ୍ର ଏହି ସଂଖ୍ୟା ବର୍ତ୍ତମାନ ୬୦୦କୁ ଛୁଇଁଲାଣି। ମାସକୁ ପ୍ରାୟ ୧୫୦ଟି ସିଏନ୍‌ଜି ଚାଳିତ ନୂତନ ଅଟୋ ବଜାରକୁ ଆସୁଥିବା ଗେଲ୍‌ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ମାତ୍ର ୧୦୦-୨୦୦ କେଜି ସିଏନ୍‌ଜି ଗ୍ୟାସ୍‌ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ ଏହା ୧୬୦୦ କେଜିରେ ପହଞ୍ଚିଲାଣି।

ଦୈନିକ ବିକ୍ରି ହେଉଛି ୧୬୦୦ କେଜି ଗ୍ୟାସ୍‌
ପ୍ରଦୂଷଣ ନିୟନ୍ତ୍ରଣର ଏକ ପ୍ରମୁଖ ମାଧ୍ୟମ

ଡିଜେଲ ଓ ପେଟ୍ରୋଲ୍‌ଠାରୁ ଦର କମ୍‌ ରହିବା, ମାଇଲେଜ୍‌ ଅଧିକ ଦେଖାଇବା, ଉତ୍ତମ ପିକ୍‌ଅପ୍‌ ନେବା ସହ ମେଣ୍ଟେନାନ୍ସ୍‌ କମ୍‌ କାରଣରୁ ଅଟୋ ଚାଳକଙ୍କ ମଧ୍ୟରେ ସିଏନ୍‌ଜି ପ୍ରତି ବିଶ୍ୱସନୀୟତା ବୃଦ୍ଧି ପାଇଛି। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ୍‌ ଓ ଡିଜେଲ ଚାଳିତ ଅଟୋ ଅଧିକ ବିକ୍ରି ହେଉଥିବା ବେଳେ ବର୍ତ୍ତମାନ କିନ୍ତୁ ସିଏନ୍‌ଜି ଚାଳିତ ଅଟୋ ବିକ୍ରି ଯଥେଷ୍ଟ ବୃଦ୍ଧି ପାଇଥିବା ଏକ ପ୍ରମୁଖ ଅଟୋ କମ୍ପାନିର ଡିଲର ପ୍ରକାଶ କରିଛନ୍ତି। ରାଜଧାନୀରେ ବର୍ତ୍ତମାନ ବିପିସିଏଲ୍‌ ଚନ୍ଦ୍ରଶେଖରପୁର ଏବଂ ଏଚ୍‌ପି ପଟିଆରେ ଦୁଇଟି ସିଏନ୍‌ଜି ଷ୍ଟେସନ ରହିଛି। ଚନ୍ଦ୍ରଶେଖରପୁର ସିଏନ୍‌ଜି ଷ୍ଟେସନ ଦୈନିକ ପ୍ରାୟ ୧୧୦୦ କେଜି ଗ୍ୟାସ୍‌ ବିକ୍ରି କରୁଥିବା ବେଳେ ପଟିଆ ଷ୍ଟେସନରେ ଦୈନିକ ପ୍ରାୟ ୫୦୦ କେଜି ବିକ୍ରି ହେଉଥିବା ପ୍ରକାଶ। ଡିଜେଲ୍‌ ଓ ପେଟ୍ରୋଲ୍‌ ଚାଳିତ ଅଟୋ ଅପେକ୍ଷା ଏହି ଅଟୋରେ ଅଧିକ ଲାଭ ମଧ୍ୟ ରହୁଛି। ଯାହାକି ଅଟୋ ଚାଳକମାନଙ୍କୁ ପୂର୍ବାପେକ୍ଷା ବେଶ୍‌ ଅଧିକ ଆର୍ଥିକ ଫାଇଦା ଦେଉଛି। ମାତ୍ର ଚାହିଦା ବଢ଼ୁଥିବା ବେଳେ ସମ୍ପୂର୍ଣ୍ଣ ରାଜଧାନୀର ଅଟୋଗୁଡ଼ିକୁ ଏହି ଦୁଇ ଷ୍ଟେସନ ଯଥେଷ୍ଟ ହେଉନାହିଁ। ତେଣୁ ଅଧିକ ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ପାଇଁ ଦାବି ହେଉଛି।

ପରିବେଶ ଅନୁକୂଳ ସିଏନ୍‌ଜି
ରାଜଧାନୀରେ ମୁଖ୍ୟତଃ ଯାନବାହାନରୁ ନିର୍ଗତ ହେଉଥିବା ଅଙ୍ଗାରକାମ୍ଳ ଏବଂ ନିର୍ମାଣ କାର୍ଯ୍ୟ ଯୋଗୁଁ ବାୟୁ ପ୍ରଦୂଷିତ ହୋଇଥାଏ। ଏଠାରେ ବହୁତ ଅଟୋ ଚାଲୁଥିବାରୁ ବାୟୁ ପ୍ରଦୂଷଣରେ ଏଗୁଡ଼ିକର ଏକ ପ୍ରମୁଖ ଭୂମିକା ଥାଏ। କିନ୍ତୁ ସିଏନ୍‌ଜି ଚାଳିତ ଅଟୋରେ ଅଙ୍ଗାରକାମ୍ଳ ନିର୍ଗମନ ସାଧାରଣତଃ ନଥାଏ। ତେଣୁ ରାଜଧାନୀରେ ବାୟୁ ପ୍ରଦୂଷଣ ରୋକିବାରେ ସିଏନ୍‌ଜି ବ୍ୟବସ୍ଥାର ଏକ ପ୍ରମୁଖ ଭୂମିକା ରହିଛି। ଏହା ଏକ ଉତ୍ତମ ବ୍ୟବସ୍ଥା।
ହାଡ଼ିବନ୍ଧୁ ପାଣିଗ୍ରାହୀ,
ଆଞ୍ଚଳିକ ଅଧିକାରୀ, ଓପିଏସ୍‌ସିବି

ଆଉ ଅଧିକ ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ହେଉ
ରାଜଧାନୀରେ ଆହୁରି ଅଧିକ ସିଏନ୍‌ଜି ଷ୍ଟେସନ ପ୍ରତିଷ୍ଠା ହେବା ଆବଶ୍ୟକ। ମୁଁ ୫ଟି ଅଟୋର ମାଲିକ। ସବୁଗୁଡ଼ିକ ସିଏନ୍‌ଜି ଚାଳିତ। କିନ୍ତୁ ବରମୁଣ୍ଡା କିମ୍ବା ଖଣ୍ଡଗିରି ଅଞ୍ଚଳରେ ଏହି ବ୍ୟବସ୍ଥା ନଥିବାରୁ ଗ୍ୟାସ ଭର୍ତ୍ତି କରିବା ପାଇଁ ଚନ୍ଦ୍ରଶେଖରପୁର ଆସିବାକୁ ପଡ଼ୁଛି, ଯାହାକି ବାଧୁଛି।
ଅମିତ କୁମାର ସାହୁ, ବରମୁଣ୍ଡା

ଡିଜେଲ୍‌ ତୁଳନାରେ ମାଇଲେଜ୍‌ ଅଧିକ
ରାଜଧାନୀରେ ମୁଁ ଗତ ୨୭ବର୍ଷ ହେବ ଅଟୋ ଚଲାଉଛି। ପୂର୍ବର ଡିଜେଲ ଓ ପେଟ୍ରୋଲ୍‌ ଅଟୋ ଅପେକ୍ଷା ଏହି ଅଟୋରେ ବେଶ୍‌ ଦୁଇ ପଇସା ଅଧିକ ଲାଭ ହେଉଛି। ଗ୍ୟାସ୍‌ କାରଣରୁ ପିକ୍‌-ଅପ୍‌ ଭଲ ରହୁଛି। ମାଇଲେଜ୍‌ ବି ଭଲ ଦେଖାଉଛି। ଡିଜେଲ ଅଟୋ ଭଳି ବେଶି ସୋରଶବ୍ଦ ବି ନାହିଁ।
ପ୍ରସନ୍ନ କୁମାର ଦାସ, ବରମୁଣ୍ଡା

ଯାତ୍ରା ଆରାମଦାୟକ ହେଉଛି
ଡିଜେଲ ଚାଳିତ ଅଟୋରେ ଭାଇବ୍ରେସନ ବହୁତ ରହୁଥିଲା। ଜୋର୍‌ ଶବ୍ଦ କରୁଥିଲା। କିନ୍ତୁ ସିଏନ୍‌ଜି ଚାଳିତ ଅଟୋରେ କିଛି ଶବ୍ଦ ନାହିଁ। ଧୂଆଁ ବି ନାହିଁ। ତେଣୁ ଯାତ୍ରା ବେଶ୍‌ ଆରାମଦାୟକ ହେଉଛି। ନିତିଦିନିଆ ଅଫିସ୍‌ ଯିବା ଆସିବାରେ ଏହି ଅଟୋ ଭଲ ହେଉଛି।
ସଙ୍ଗୀତା ସାମଲ, ସରକାରୀ କର୍ମଚାରୀ

ଦୁଇ ପଇସା ଅଧିକ ଲାଭ ହେଉଛି
ରାଜଧାନୀରେ ସିଏନ୍‌ଜି ଚାଳିତ ଅଟୋ ବ୍ୟବସ୍ଥାର ମୁଁ ପ୍ରଥମ ଗ୍ରାହକ। ଦୀର୍ଘ ବର୍ଷ ହେବ ଷ୍ଟେସନ ଏରିଆରେ ମୁଁ ଅଟୋ ଚଲାଉଛି। ଡିଜେଲ ଅଟୋ ତୁଳନାରେ ସିଏନ୍‌ଜି ବ୍ୟବସ୍ଥାରେ ଗାଡ଼ି ଅଧିକ ମାଇଲେଜ୍‌ ଦେଖାଉଛି। ମାଇଲେଜ୍‌ ସହିତ ମେଣ୍ଟେନାନ୍‌ସ ଖର୍ଚ ମଧ୍ୟ ନାହିଁ କହିଲେ ଚଳେ। ଏହି ବ୍ୟବସ୍ଥା ଭଲ ଫାଇଦା ଦେଉଛି।
କବିଚନ୍ଦ୍ର ନାୟକ, ମାଷ୍ଟରକ୍ୟାଣ୍ଟିନ୍‌

ସମ୍ବନ୍ଧିତ ଖବର