ସାଢ଼େ ୭ ହଜାର କିମି ସାଇକେଲ ଯାତ୍ରା, ରକ୍ତଦାନ ସଚେତନତା ପାଇଁ ନିଆରା ନିଶା

ରକ୍ତଦାନ ମହତ ଦାନ, ଏହା ଆମେ ବିଭିନ୍ନ ଖବରକାଗଜ କିମ୍ବା ବିଜ୍ଞାପନରେ ଦେଖିଛନ୍ତି ଶୁଣିଛନ୍ତି। ହେଲେ ସାଇକେଲ୍‌ରେ ହଜାର ହଜାର କିଲୋମିଟର ଯାତ୍ରା କରି ସ୍କୁଲ କଲେଜ୍‌ ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନଙ୍କୁ ସଚେତନ କରାଇବାର ନିଶା ନିଆରା। ଏଭଳି ଜଣେ ନିଆରା ମଣିଷଙ୍କୁ ଆମେ ଭେଟିଥିଲୁ। ସେ ହେଉଛନ୍ତି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଡିଲୁଅ କବିରାଜ ସାହିର ଜୟଦେବ ରାଉତ।

ରକ୍ତଦାନ ସ‌େଚେତନତା ବାର୍ତ୍ତା ବାଣ୍ଟିବାକୁ କାହିଁକି ଆଗ୍ରହ ପ୍ରକାଶ କଲେ?
୧୯୮୮ ମସିହାରେ ଫୁଟ୍‌ବଲ୍‌ ଖେଳୁଥିବା ବେଳେ ଗୁରୁତର ଆହତ ହୋଇଥିଲି। ଆଉ ସେ‌ତେବେଳେ ମୋର ୪ ବୋତଲ ରକ୍ତ ଦରକାର ଥିଲା। ହେଲେ ରକ୍ତ ଦେବାକୁ ସମସ୍ତେ ମୁହଁ ଫେରାଇ ନେଇଥିଲେ। ଶେଷରେ ବ୍ଲଡବ୍ୟାଙ୍କ ରକ୍ତ ଦେବାରୁ ମୁଁ ଜୀବନ ଫେରି ପାଇଥିଲି। ସେବେଠାରୁ ସ୍ଥିର କରିଥି‌ଲି ଯେ ରକ୍ତଦାନ ପାଇଁ ଲୋକଙ୍କୁ ସଚେତନ କରାଇବି।

କେବେଠାରୁ ଏହି ଅଭିଯାନ ଆରମ୍ଭ କରିଛନ୍ତି?
ଏହି ଅଭିଯାନକୁ ଆରମ୍ଭ କରିବା ପାଇଁ ଦୀର୍ଘଦିନ ହେବ ଯୋଜନା କରିଥିଲେ ବି ବ୍ୟସ୍ତତା ଯୋଗୁଁ ଆରମ୍ଭ କରିପାରି ନଥି‌ଲି। ୨୦୧୮ ଅକ୍ଟୋବର ୫ ତାରିଖରେ ଅଭିଯାନକୁ କୋଲକାତା ବାରାସାତ୍‌ରୁ ଆରମ୍ଭ କରିଛି। ଆଉ ଅଭିଯାନ କୋଲକାତାରେ ହିଁ ଶେଷ ହେବ।

ଏଯାଏ କେଉଁ କେଉଁ ସ୍ଥାନ ବୁଲିଲେଣି?
କୋଲକାତା, ଝାରଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ହରିୟାଣା, ରାଜସ୍ଥାନ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ସାରିଲିଣି। ସବୁଠି ସ୍କୁଲ୍‌, କଲେଜ, ମେଡିକାଲ୍‌ ‌କଲେଜ, ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ରକ୍ତଦାନ ପାଇଁ ସଚେତନ କରାଉଛି। ସାଧାରଣ ଲୋକଙ୍କୁ ମଧ୍ୟ ରକ୍ତଦାନ ପାଇଁ ଆଗେଇଆସିବାକୁ ଉତ୍ସାହିତ କରୁଛି। ପାଖାପାଖି ୭ ହଜାର କିଲୋମିଟର ବୁଲି ସାରିଲିଣି।

ଆପଣ କେତେ ରକ୍ତ ଦେଲେଣି?
ଏବେ ସୁଧା ମୁଁ ୩୬ୟୁନିଟ୍‌ ରକ୍ତ ଦେଇଛି। ଜୀବନ ଥିବା ଯାଏ ରକ୍ତଦାନ କରି ଚାଲିଥିବି।

ସରକାରଙ୍କ ପାଇଁ କ’ଣ ବାର୍ତା ଦେବେ ?
ଅନ୍ୟରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ରାକ୍ତଦାନ ପାଇଁ ଅଧିକ ବସ୍‌ ବ୍ୟବସ୍ଥା ହେବା ଦରକାର। ଫଳରେ ଅଧିକରୁ ଅଧିକ ଲୋକଙ୍କଠାରୁ ରକ୍ତ ସଂଗ୍ରହ କରିହେବ। ସେହିପରି ରକ୍ତଦାତାଙ୍କ ପାଇଁ ସ୍ବତନ୍ତ୍ର ଚେୟାର ବ୍ୟବସ୍ଥା କରାଯାଉ।

ସମ୍ବନ୍ଧିତ ଖବର