ସନ୍ଧ୍ୟାରେ ହେବ ଖାଦ୍ୟ ଯାଞ୍ଚ

ପଞ୍ଜୀକୃତ ହୋଇ ନାହାନ୍ତି ୭୦ପ୍ରତିଶତରୁ ଅଧିକ ଖାଦ୍ୟ ବ୍ୟବସାୟୀ, ପଞ୍ଜୀକରଣ ଆଦାୟ ଫି’ କୋଟିଏ ଟପିଲା

ଭୁବନେଶ୍ବର : ଏଣିକି ରାଜଧାନୀରେ ରାଜରାସ୍ତାରେ ବିକ୍ରି ହେଉଥିବା ଖାଦ୍ୟର ସନ୍ଧ୍ୟାରେ ଯାଞ୍ଚ ହେବ। ସନ୍ଧ୍ୟାରେ ଅଧିକ ସଂଖ୍ୟାରେ ଖାଦ୍ୟ ବଜାର ଖୋଲିବା ଓ ହକି ବିଶ୍ବକପ୍‌କୁ ନଜରରେ ରଖି ଖାଦ୍ୟ ସୁରକ୍ଷା ଏଭଳି ପଦକ୍ଷେପ ନେବାକୁ ଯାଉଛି। ଆସନ୍ତା କିଛିଦିନ ମଧ୍ୟରେ ଏଭଳି ଯାଞ୍ଚ ଆରମ୍ଭ ହେବ। ଅପରପକ୍ଷରେ ରାଜଧାନୀରେ ଯେତିକି ସଂଖ୍ୟକ ଖାଦ୍ୟ ବ୍ୟବସାୟୀ ରହିଛନ୍ତି ‌ତାହାର ୭୦ପ୍ରତିଶତରୁ ଅଧିକ ବ୍ୟବସାୟୀ ନିଜ ବ୍ୟବସାୟର ପଞ୍ଜୀକରଣ କରି ନାହାନ୍ତି। ଯାହାଫଳରେ କେତେ ସଂଖ୍ୟକ ଖାଦ୍ୟ ବ୍ୟବସାୟୀ ରାଜଧାନୀରେ ଖାଦ୍ୟ ବିକ୍ରି କରୁଛନ୍ତି ତାହା ଜାଣିବା ସମ୍ଭବ ହେଉନାହିଁ।

ରାଜଧାନୀରେ ୧୨ହଜାରରୁ ଅଧିକ ଖାଦ୍ୟ ବ୍ୟବସାୟୀ ନିଜର ବ୍ୟବସାୟ କରୁଥିବା ଅନୁମାନ କରାଯାଉଛି। ଏଥିରେ ଛୋଟ ହୋଟେଲ, ଠେଲା ଦୋକାନୀ ଓ ବଡ଼ ହୋଟେଲ ରହିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ସନ୍ଧ୍ୟାରେ ହିଁ ବ୍ୟବସାୟ କରୁଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କେବଳ ଦିନରେ ଖାଦ୍ୟର ଯାଞ୍ଚ ଓ ନମୁନା ସଂଗ୍ରହ କରାଯାଉଥିବାରୁ ସନ୍ଧ୍ୟାରେ ବିକ୍ରି କରୁଥିବା ‌ବ୍ୟବସାୟୀଙ୍କ ଯାଞ୍ଚ ହୋଇପାରୁ ନାହିଁ। ତେଣୁ ଏସବୁ ବ୍ୟବସାୟୀ ଯେଉଁ ଖାଦ୍ୟ ବିକ୍ରି କରୁଛନ୍ତି ତାହାକୁ ସନ୍ଧ୍ୟାରେ ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷାର ଏକ ସ୍କ୍ବାଡ୍ ସଂଧ୍ୟାରେ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ସହିତ ନମୁନା ସଂଗ୍ରହ କରିବେ ବୋଲି ଜଣାପଡ଼ିଛି। ଫାଷ୍ଟଫୁଡ୍ ସେଣ୍ଟର୍‌, ‌ଠେଲା ଦୋକାନୀଙ୍କୁ ଏଥିରେ ଗୁରୁତ୍ବ ଦିଆଯିବ।

ଅପରପକ୍ଷରେ ଯଦିଓ ରାଜଧାନୀରେ ଗତ ବର୍ଷକ ମଧ୍ୟରେ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ ଓ ଲାଇସେନ୍‌ସ ପ୍ରଦାନ ବଢ଼ିଛି ତଥାପି ଏବେ ବି ଅନେକ ବ୍ୟବସାୟୀ ଏଥିରେ ନିଜକୁ ସାମିଲ କରିନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ଗତ ୧୦ମାସ ମଧ୍ୟରେ ରାଜଧାନୀରେ ୧୨୦୭ ଖାଦ୍ୟ ବ୍ୟବସାୟୀଙ୍କୁ ଲାଇସେନ୍‌ସ ପ୍ରଦାନ କରାଯାଇଛି। ଯେଉଁ ଖାଦ୍ୟ ବ୍ୟବସାୟୀଙ୍କ ବାର୍ଷିକ ବ୍ୟବସାୟ ୧୨ଲକ୍ଷରୁ ଅଧିକ ସେମାନଙ୍କୁ ଏହି ଲାଇସେନ୍‌ସ ପ୍ରଦାନ କରାଯାଇଥାଏ। ସେହିପରି ବାର୍ଷିକ ୧୨ଲକ୍ଷରୁ କମ୍ ବ୍ୟବସାୟୀଙ୍କୁ କେବଳ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ଏଥିପାଇଁ ଖାଦ୍ୟ ବ୍ୟବସାୟୀଙ୍କୁ ୧୦୦ଟଙ୍କା ପଡ଼ିଥାଏ। ଗତ ୧୦ମାସରେ ମାତ୍ର ୨୦୩୪ ବ୍ୟବସାୟୀ ଏଥିରେ ପଞ୍ଜୀକୃତ ହୋଇଛନ୍ତି। ରାଜଧାନୀରେ ୧୨ହଜାରରୁ ଅଧିକ ଖାଦ୍ୟ ବ୍ୟବସାୟୀଙ୍କ ମଧ୍ୟରୁ ଚଳିତବର୍ଷ ମାତ୍ର ୩୨୪୧ଜଣ ପଞ୍ଜୀକୃତ ଓ ଲାଇସେନ୍‌ସ ନେଇଛନ୍ତି। ଯାହାକି ସଂପୂର୍ଣ୍ଣ ବ୍ୟବସାୟୀଙ୍କ ମାତ୍ର ୩୦ପ୍ରତିଶତ। ତେବେ ଯେତିକି ସଂଖ୍ୟକ ଖାଦ୍ୟ ବ୍ୟବସାୟୀଙ୍କୁ ଲାଇସେନ୍‌ସ ମିଳିଛି ଓ ଓ ପଞ୍ଜୀକୃତ ହୋଇଛନ୍ତି ସେମାନଙ୍କଠାରୁ ଏ ବାବଦରେ ଆଦାୟ ଫି’ କୋଟିଏ ଟପିଛି।

ତେବେ ରାଜଧାନୀରେ ଯେତିକି ସଂଖ୍ୟକ ଖାଦ୍ୟ ବ୍ୟବସାୟୀ ରହିଛନ୍ତି ସେସବୁର ଯାଞ୍ଚ ପାଇଁ ଜଣେ ମାତ୍ର ଖାଦ୍ୟ ସୁରକ୍ଷା ଅଧିକାରୀ ବା ଏଫ୍‌ଏସ୍‌ଓ ରହିଛନ୍ତି। ଏହାସହ ତାଙ୍କୁ ଉଭୟ ବିଏମ୍‌ସି ଓ ଖୋର୍ଧା ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଯାହାଫଳରେ ନିୟମିତଭାବେ ବିକ୍ରି ହେଉଥିବା ଖାଦ୍ୟର ଯାଞ୍ଚ ହୋଇପାରୁନାହିଁ। ୧ବର୍ଷ ମଧ୍ୟରେ ୮ଟି ଖାଦ୍ୟ ବିକ୍ରି କରୁଥିବା କମ୍ପାନି ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ମିସ୍ ବ୍ରାଣ୍ଡିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅବହେଳା କରିଥିବା ୨କମ୍ପାନିଠାରୁ ୨୦ହଜାର ଟଙ୍କ ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧିତ ଖବର