ଦଶହରା ପାଇଁ କମିସନରେଟ୍‌ ପୁଲିସର ପ୍ରସ୍ତୁତି, ଦ୍ବୈତନଗରୀ ପାଇଁ ୮୦ ପ୍ଲାଟୁନ୍‌

ଭୁବନେଶ୍ବର: ଦଶହରା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପୁଲିସ କମିସନର ସତ୍ୟଜିତ ମହାନ୍ତି ଏ ସମ୍ପର୍କରେ କଟକ ଡିସିପି ଅଖିଳେଶ ସିଂହ ଓ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସହ ଆଲୋଚନା କରିଛନ୍ତି। ଏହି ବୈଠକ ଦୁଇ ଦିନ ଧରି ଚାଲିବ। ଆଜି କେବଳ କଟକ ପୂଜାକୁ ନେଇ ପୁଲିସ କମିସନର ଆଲୋଚନା କରିଥିବା ବେଳେ ଆସନ୍ତାକାଲି ଭୁବ‌େନଶ୍ବର ପୂଜାକୁ ନେଇ ଆଲୋଚନା ହେବ। ଚଳିତ ଥର ତ୍ରିସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବ। ପ୍ରଥମ ଫୋକସ ରହିବ ପୂଜାମଣ୍ଡପ, ପରେ ଟ୍ରାଫିକ୍ ପରିଚାଳନା, ଶେଷରେ ବସର୍ଜନ। ଅଷ୍ଟମୀଠାରୁ ଆରମ୍ଭ କରି ଦଶହରା, ରାବଣ ପୋଡ଼ି ଓ ଭସାଣ ବେଳେ ଆଇନଶୃଙ୍ଖଳା ଓ ସୁରକ୍ଷା ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା। ଦଶହରା ବେଳେ ଦୁଇ ସହରରେ ଟ୍ରାଫିକ୍‌ ପରିଚାଳନା କେମିତି ଶୃଙ୍ଖଳିତ ହୋଇପାରିବ, ସେ ନେଇ ଯୋଜନା ଆରମ୍ଭ ହୋଇଛି। ପୂଜା ସମୟରେ ଦୁଇ ସହରର କେତେକ ପ୍ରମୁଖ ରାସ୍ତାରେ ଡାଇଭର୍ସନ କରାଯିବ। ପୁରୀରୁ କଟକ ଓ ଭୁବନେଶ୍ବର ଆସୁଥିବା ବସ୍‌ଗୁଡ଼ିକ ପାଇଁ ଭିନ୍ନ ରୁଟ୍‌ ଲାଇନ୍‌ ପ୍ରସ୍ତୁତ ହୋଇଛି। ପୂଜା ସମୟରେ କୌଣସି ପ୍ରକାର ଆପରାଧିକ କାର୍ଯ୍ୟକଳାପ ନ ଘଟିବା ପାଇଁ ଅପରାଧୀମାନଙ୍କ ଉପରେ ଦୁଇ ସପ୍ତାହ ତଳୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି କହିଛନ୍ତି।

‌େଜାରଦାର ହେଲା ଟ୍ରାଫିକ କାର୍ଯ୍ୟାନୁଷ୍ଠାନ, ଗୋଟିଏ ଦିନରେ ୪ ଲକ୍ଷ ୧୬ ହଜାର ଟଙ୍କା ଜରିମାନା ଆଦାୟ
ଆଜିଠାରୁ ଭସାଣ ପର୍ଯ୍ୟନ୍ତ ଟ୍ରାଫିକ୍ ପୁଲିସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯିବ। ଆଜିଠାରୁ କଟକ ଓ ଭୁବନେଶ୍ବରରେ ଦ୍ରୁତ ବେଗରେ ବାଇକ୍‌ ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା ଓ ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆଜି ଗୋଟିଏ ଦିନରେ ଭୁବନେଶ୍ବରରେ ୪ ଲକ୍ଷ ୧୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଦୁର୍ଗାପୂଜା ସମୟରେ କୌଣସି ପ୍ରକାରର ଭାରୀଯାନ ସହର ମଧୢକୁ ପ୍ରବେଶ କରି ପାରିବ ନାହିଁ। ପିତାପଲ୍ଲୀରୁ ଭୁବନେଶ୍ବର, କଳ୍ପନାରୁ ରସୁଲଗଡ଼, ଜୟଦେବ ବିହାରରୁ ଖଣ୍ଡଗିରି, ଖଣ୍ଡଗିରିରୁ ପୋଖରୀପୁଟ ଆଡ଼କୁ କୌଣସି ଭାରୀଯାନ ପ୍ରବେଶ କରି ପାରିବ ନାହିଁ। ପୁରୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍‌ ଲିଙ୍ଗିପୁର, ସାମନ୍ତରାପୁର, ରାଜମହଲ, ଶିଶୁଭବନ, ଗଙ୍ଗନଗର ହୋଇ ଫାୟାର ଷ୍ଟେସନ୍‌ ଛକରେ ବାହାରିବେ। ସେହିପରି ବରମୁଣ୍ତାରୁ ପୁରୀ ଯାଉଥିବା ବସ୍‌ଗୁଡ଼ିକ ସେହି ଛକ ଦେଇ ଫେରିବେ। ନିୟମ ଖିଲାପ କଲେ କମିସନରେଟ୍‌ ପୁଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେହିପରି କଟକ ରୋଡ୍‌, ଜନପଥ ଓ ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ପୁଲିସ ପକ୍ଷରୁ ପାଟ୍ରୋଲିଂ ଟିମ୍ ମୁତୟନ ହେବେ। ପ୍ରମୁଖ ପୂଜାମଣ୍ଡପ ନିକଟରେ ୨ ଜଣ ଟ୍ରାଫିକ ପୁଲିସ ଅଫିସର ଓ ୫ଜଣ କନ‌େଷ୍ଟବଲ ରହିବେ।

କଟକରେ ୪୫ ଓ ଭୁବନେଶ୍ବରରେ ୩୫ ପ୍ଲାଟୁନ୍‌
କଟକରେ ୧୭୨ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପୂଜା ଆୟୋଜନ କରାଯାଉଥିବା ବେଳେ ଭୁବନେଶ୍ବରରେ ୧୯୨ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଅନୁଷ୍ଠିତ ହେବ। କିନ୍ତୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଟକ ସହର ସମ୍ବେଦନଶୀଳ। ଏଥିପାଇଁ କଟକରେ ୪୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେଉଥିବା ବେଳେ ଭୁବନେଶ୍ବରରେ ୩୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। କଟକରେ ୩୫୦ ଓ ଭୁବନେଶ୍ବରେ ୨୦୦ ଅଫିସର୍‌ ପୂଜା ପରିଚାଳନାର ଦାୟିତ୍ବ ନେବେ। ଏହା ଛଡ଼ା କଟକରେ ୨ କମ୍ପାନି ସିଆରପିଏଫ୍‌ ଯବାନ ମଧୢ ନିୟୋଜିତ ହେବେ।

ଅନ୍ତର୍ଘାତୀ ହମଲା ପାଇଁ ଅର୍ବାନ ଟେରୋରିଷ୍ଟ ସ୍କ୍ବାଡ୍
ପୂଜା ସମୟରେ ଦୁଇ ସହରରେ ଯଦି କୌଣସି ଅନ୍ତର୍ଘାତୀ ଆକ୍ରମଣ ହୁଏ, ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିବ। କଟକରେ ଦୁଇ ପ୍ଲାଟୁନ୍‌ ଅର୍ବାନ ଟେରୋରିଷ୍ଟ ସ୍କ୍ବାଡ୍(ଏସ୍‌ଓଜି ୟୁନିଟ) ନିୟୋଜିତ ହେବାକୁ ଥିବା ବେଳେ ଭୁବନେଶ୍ବର ଗୋଟିଏ ପ୍ଲାଟୁନ୍‌ ଟେରୋରିଷ୍ଟ ସ୍କ୍ବାଡ୍‌ ମୁତୟନ ହେବେ। ଏହାଛଡ଼ା ଷ୍ଟ୍ରାଇକି˚ ଫୋର୍ସ, ଏନ୍‌ଡିଆର‌୍‌ଏଫ୍‌, କ୍ୟୁଆରଟି, କୁଇକ୍‌ ଆକ୍ସନ ଟିମ୍‌ ମଧୢ ଦୁଇ ସହର ଉପରେ ନଜର ରଖିବ। ସାଦା ପୋଷାକରେ ପୁଲିସ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ପଇଁତରା ମାରିବ। ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ଖୋଲିବ।

ସିସିଟିଭି ଓ ସ୍ବେଚ୍ଛାସେବୀ ରଖିବେ ପୂଜା କମିଟି
ମଣ୍ତପ ନିକଟରେ ସିସି କ୍ୟାମେରା ଲଗାଇବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ସହରରେ ଥିବା ସମସ୍ତ ପୂଜା କମିଟିଗୁଡ଼ିକୁ କୁହାଯାଇଛି। ଏହା ଛଡ଼ା ମଣ୍ତପ ନିକଟରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ନ ହେବା ଲାଗି ସ୍ବେଚ୍ଛାସେବୀଙ୍କୁ ନିଯୁକ୍ତି କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଯେଉଁ ମଣ୍ତପରେ ମା’ ସୁନା ଓ ଚାନ୍ଦି ବେଶ ହେଉଛନ୍ତି, ସେଠାରେ ସଶସ୍ତ୍ର ପୁଲିସ ଫୋର୍ସ ଦିନରାତି ଜଗି ରହିବେ ବୋଲି ପୁଲିସ କମିସନର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର