୨୪ ଘଣ୍ଟାରେ ୮୧ ମିମି ବର୍ଷିଲା

ଭୁବନେଶ୍ୱର: ମୌସୁମୀ ବର୍ଷାରେ ଭିଜିଛି ଭୁବନେଶ୍ୱର। ଯୁଆଡ଼େ ଚାହିଁଲେ ପାଣି ହିଁ ପାଣି। ଜାତୀୟ ରାଜପଥରୁ ବସ୍ତି ଅଞ୍ଚଳ ସବୁଠି ଜଳମଗ୍ନ। ୨୪ ଘଣ୍ଟା ମଧ୍ୟରେ ସହରରେ ୮୧.୮ ମିମି ବର୍ଷା ହେବା ଦ୍ୱାରା ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ। ବର୍ଷା ଲାଗିରହିବାରୁ ଲୋକେ ଘରୁ ବାହାରି ପାରି ନ ଥିଲେ। ଯେଉଁମାନେ ବି କାର୍ଯ୍ୟରେ ବାହାରିଥିଲେ ସେମାନଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ଉପୁଜିଥିଲା। ଲୋକେ ଘଣ୍ଟା ଘଣ୍ଟା ଧରି ବର୍ଷାରେ ଟ୍ରାଫିକ୍‌ ସିଗନାଲ୍‌କୁ ଅପେକ୍ଷା କରି ରହିଥିଲେ। ମୌସୁମୀ ପ୍ରଭାବରେ ଗତକାଲି ରାତିଠାରୁ ହିଁ ସହରରେ ବର୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଝିପିଝିପି ବର୍ଷା ହେବା ପରେ ରାତି ୩ଟା ବେଳକୁ ବର୍ଷାର ପରିମାଣ ବଢ଼ିଥିଲା। ବର୍ଷା ଲାଗିରହିଥିଲା ଯେ ଛାଡ଼ି ନ ଥିଲା। ଲଗାଣ ବର୍ଷା ଦ୍ୱାରା ସ୍କୁଲ ଛାତ୍ରଛାତ୍ରୀ ବହୁ ପରିମାଣରେ ପ୍ରଭାବିତ ହୋଇଥିଲେ। ନିର୍ଧାରିତ ସମୟରେ ସ୍କୁଲରେ ପହଞ୍ଚି ନ ଥିଲେ। ପୂର୍ବାହ୍ନ ବେଳକୁ ବର୍ଷାର ମାତ୍ରା ସାମାନ୍ୟ ବଢ଼ିବାରୁ କର୍ମଚାରୀମାନେ ମଧ୍ୟ ପ୍ରଭାବିତ ହୋଇଥିଲେ। କାର୍ଯ୍ୟାଳୟରେ ପହଞ୍ଚିପାରି ନ ଥିଲେ। ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ବସ୍ତିବାସିନ୍ଦା, ଦିନ ମଜୁରିଆ ଓ ଉଠାଦୋକାନୀ। ସକାଳୁ ବର୍ଷା ଲାଗିରହିଥିବାରୁ କେହି ବି ଘରୁ ବାହାରିପାରି ନ ଥିଲେ। ଉଠାଦୋକାନୀ ରାସ୍ତାକୁ ବାହାରିବା ପୂର୍ବରୁ ବର୍ଷା ବାଧା ସୃଷ୍ଟି କରିଥିଲା। ସେମାନେ ବେପାରକୁ ଆସିପାରି ନ ଥିଲେ। ନୟାପଲ୍ଲୀ, କଳ୍ପନା ଛକ, ଜିଜିପି କଲୋନି ଛକ ପରି ସ୍ଥାନରେ ଥିବା ଶ୍ରମିକ ହାଟରେ ବି ପ୍ରଭାବ ପଡ଼ିଛି। କାମକୁ ଯିବାପାଇଁ ଶ୍ରମିକମାନେ ଛିଡ଼ା ହୋଇଥିଲେ ମଧ୍ୟ ମାଲିକଙ୍କ ଦେଖା ମିଳି ନ ଥିଲା। ଦୁଇରୁ ତିନି ଘଣ୍ଟା ଛିଡ଼ା ହେବା ପରେ ସେମାନେ ଖାଲି ହାତରେ ଫେରିଥିଲେ। ଅନ୍ୟପକ୍ଷରେ ଲଗାଣ ବର୍ଷା ଦ୍ୱାରା ବସ୍ତିବାସିନ୍ଦାଙ୍କ ଘର ଭିତରେ ପାଣି ପଶିଯାଇଥିବା ଦେଖାଯାଇଥିଲା। ସହରତଳି କେତେକ ବସ୍ତି ଜଳମଗ୍ନ ହୋଇଥିଲା।

ଗାତରେ ଗଳିଲା କାର୍‌
ରାସ୍ତାପାର୍ଶ୍ୱରେ କେବୁଲ୍‌ ବିଛାଇବା ପାଇଁ ଖୋଳାଯାଇଥିବା ଗାତ ଆଜି ସାଧାରଣ ଲୋକଙ୍କ ପାଇଁ କାଳ ସାଜିଛି। ବର୍ଷା ଦିନ ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କେବୁଲ୍‌ ବିଛା କାର୍ଯ୍ୟ ଶେଷ ହୋଇ ନାହିଁ। ଗାତ ଖୋଳି ଦେଇ ବିଭିନ୍ନ ସଂସ୍ଥା ଚାଲିଯାଇଛନ୍ତି। ଯେଉଁଥିପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଶିଶୁଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ କେବୁଲ୍‌ ବିଛାଇବା ପାଇଁ ଖୋଳାଯାଇଥିବା ଗାତ ଏପର୍ଯ୍ୟନ୍ତ ପୂରଣ ହୋଇ ନାହିଁ। ଯେଉଁଥିପାଇଁ ଶ୍ରୀୟା ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ଏହି ଗାତରେ ଗଳି ପଡ଼ିଥିଲେ। ସେହିପରି ରେଜର୍ଭ ବ୍ୟାଙ୍କ ପଛପର୍ଶ୍ୱରେ ଖୋଲାଯାଇଥିବା ଗାତରେ ଏକ କାର ଗଳିପଡ଼ିଥିଲା। କାର ଚାଳକ ସୁରକ୍ଷିତ ରହିଥିବା ବେଳେ କାର ଭାଙ୍ଗିଯାଇଛି।

ଉବୁଟୁବୁ ଉପକଣ୍ଠ

ଚନ୍ଦ୍ରଶେଖରପୁର: ଆଜି ଦିନ ତମାମ ପ୍ରବଳ ବର୍ଷା ହେଉଥିବା ବେଳେ ରାଜଧାନୀ ଉପକଣ୍ଠ ଚନ୍ଦ୍ରଶେଖରପୁର ଓ ତା’ର ଆଖପାଖ ମଞ୍ଚେଶ୍ୱର, ରଘୁନାଥପୁର, ପଟିଆ ଏବଂ କଳାରାହାଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ଲୋକଙ୍କୁ ହନ୍ତସନ୍ତ କରିଛି। କେତେକ ସ୍ଥାନରେ ମଟର ଲଗାଇ ରାସ୍ତାରୁ ପାଣି କଢ଼ା ଯାଇଥିଲା। କିଛି ସ୍ଥାନରେ ଲୋକମାନେ ରାସ୍ତା କାଟି ବର୍ଷାପାଣିକୁ ଡ୍ରେନ୍‌ରେ ପକାଇଥିଲେ। ମଞ୍ଚେଶ୍ୱର ରଙ୍ଗମାଟିଆ ଗାଡ଼କଣ ମଝି ରାସ୍ତା, ଡମଣା ଗ୍ରାମ ସ୍କୁଲ ନିକଟ ରାସ୍ତା, ନନ୍ଦନକାନନ ମୁଖ୍ୟ ରାସ୍ତାର ଶିଶୁବିହାରା ଛକ, ପଟିଆ ଛକ, ଫର୍ଚ୍ୟୁନ୍‌ ଟାଓ୍ଵାର ଛକ, ନନ୍ଦନବିହାର କଲୋନି, ଶାସ୍ୱତ ବିହାର କଲୋନି ଓ କଳାରାହାଙ୍ଗ ମାରୁତିବିହାର ଅଞ୍ଚଳରେ ପାଣି ଜମିରହି ସମସ୍ୟା ସୃଷ୍ଟି କରିଥିଲା। ଏସବୁ ସ୍ଥାନରୁ ‘କିଟ୍‌’ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ରାସ୍ତା ବର୍ଷାପାଣିରେ ଉବୁଟୁବୁ ହୋଇଥିଲା। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।

ଉପୁଡ଼ି ପଡ଼ିଲା ଗଛ

ଜୟଦେବବିହାରରୁ ନାଲ୍‌କୋ ଛକ ମଧ୍ୟରେ ଏକ ବିଶାଳ ଗଛ ଆଜି ମଧ୍ୟାହ୍ନରେ ଉପୁଡ଼ି ପଡ଼ିଥିଲା। ପ୍ରବଳ ବର୍ଷା ହେବା ଦ୍ୱାରା ଗଛ ମୂଳ ଓଦା ହୋଇଯାଇଥିଲା। ଏହି ଗଛର ଚେର ମାଟି ଭିତରକୁ ଯାଇ ନ ଥିବାରୁ ତାହା କମ୍‌ ବର୍ଷାରେ ଉପୁଡ଼ି ପଡ଼ିଥିଲା। ଗଛ ଉପୁଡ଼ିବା ସମୟରେ ଏକାଧିକ କାର ଏହି ରାସ୍ତା ଦେଇ ଯାଉଥିଲା। ସୌଭାଗ୍ୟବଶତଃ କାହାର କିଛି ବି କ୍ଷତି ହୋଇନି। କେବଳ ଯାହା ଗଛ ଡ଼ାଳ ବାଜି କାର୍‌ଗୁଡ଼ିକ କିଛି ମାତ୍ରାରେ କ୍ଷତିଗସ୍ତ ହୋଇଛି। ପ୍ରାୟ ୩୦ ମିନିଟ୍‌ ଧରି ଯାତାୟାତ ବାଧାପ୍ରାପ୍ତ ହେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟିଥିଲେ। ଏହାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ସେହିପରି ଆଉ କିଛି ସ୍ଥାନରେ ମଧ୍ୟ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ରାଜଧାନୀବାସୀ ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର