୮୪ତମ ପୁଲିସ ପ୍ରତିଷ୍ଠା ଦିବସ: ‘ଆଚରଣ, ଉଚ୍ଚାରଣରେ ପରିବର୍ତ୍ତନ ଆଣ’

ଭୁବନେଶ୍ବର: ପୁଲିସର ଆଚରଣ, ଉଚ୍ଚାରଣ ଓ ବ୍ୟବହାରରେ ପରିବର୍ତ୍ତନ ଆସିବା ଦରକାର। ପୁଲିସର ବ୍ୟବହାର ନେଇ ସାଧାରଣ ଲୋକଙ୍କ ମନରେ ଯେଉଁ ଧାରଣା ରହିଛି, ସେଥିରେ ପରିବର୍ତ୍ତନ ହେଉ। ପୁଲିସର ବ୍ୟବହାର ଯେ ଅତି କଠୋର ତାହା ବାସ୍ତବରେ ପରିଲକ୍ଷିତ ନ ହେଉ। ଥାନାକୁ ଅଭିଯୋଗ ପାଇଁ ଆସୁଥିବା ପ୍ରତିଟି ଲୋକଙ୍କୁ ଏଭଳି ବ୍ୟବହାର କର ଯେମିତି ସେମାନେ ଅସନ୍ତୋଷ ପ୍ରକାଶ ନ କରନ୍ତି। ଖରାପ ବ୍ୟବହାର ପାଇଁ ଆମକୁ କେହି ଅଙ୍ଗୁଳି ନିର୍ଦ୍ଦେଶ ନ କରୁ। ସେହିପରି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପୁଲିସର ପ୍ରଥମ କର୍ତ୍ତବ୍ୟ। ଦ୍ବୈତନଗରୀରେ ରହୁଥିବା ଜନସାଧାରଣ ଉଚ୍ଚଶିକ୍ଷିତ। ସେମାନେ ସେମାନଙ୍କ ଅଧିକାର ବିଷୟରେ ଅବଗତ। ପୁଲିସ ଅପରାଧୀକୁ  ଧରି ନପାରିଲେ ମଧ୍ୟ ନିଷ୍ଠାର ସହ ପ୍ରୟାସ କରିଛି ବୋଲି ଲୋକମାନେ ଅନୁଭବ କରିବା ଦରକାର।  ଆଜି ରିଜର୍ଭ ପୁଲିସ ଲାଇନ୍‌ରେ ଅନୁଷ୍ଠିତ ୮୪ତମ ପୁଲିସ ପ୍ରତିଷ୍ଠା ଦିବସ ପାଳନ ଅବସରେ ପୁଲିସ କମିସନର (ସିପି) ସତ୍ୟଜିତ ମହାନ୍ତି ଏଭଳି ମତ ରଖିଥିଲେ।

ସେ‌ ଆହୁରି ମଧ୍ୟ କହିଥିଲେ, ରାଜଧାନୀରେ ଥିବା ବସ୍ତିରେ ଅପରାଧୀ ସହଜରେ ଲୁଚି ରହୁଛନ୍ତି। ସେମାନଙ୍କୁ ଚିହ୍ନଟ ପାଇଁ ବସ୍ତିବାସିନ୍ଦାଙ୍କ ସହଯୋଗ ଆବଶ୍ୟକ। ଏହାକୁ ରୋକିବା ପାଇଁ ‘ଆପୋସ’ ଯୋଜନା ମାଧ୍ୟମରେ ବସ୍ତି ସହ ପୁଲିସକୁ ଯୋଡ଼ିବା ପାଇଁ ପ୍ରୟାସ ଜାରି ରହିଛି। ବସ୍ତି ପିଲାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଫଳରେ ବସ୍ତିରେ ଘଟୁଥିବା ଅପରାଧ ଓ ଅପରାଧୀଙ୍କ ବିଷୟରେ ସେମାନେ ପୁଲିସକୁ ଅନେକ ତଥ୍ୟ ଦେଇପାରିବେ। ଯାହା ଅପରାଧ ନିୟନ୍ତ୍ରଣ ପାଇଁ ଏକ ମାଧ୍ୟମ ପାଲଟିବ ବୋଲି ସେ କହିଥିଲେ। ‌ବିଶେଷକରି ରାଜଧାନୀରେ ଭିଭିଆଇପିଙ୍କୁ ସୁରକ୍ଷା ଦେବା, ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ସେହିପରି ପୁଲିସର ମାନବ ସମ୍ବଳ ବିକାଶ ଓ ଯନ୍ତ୍ରପାତିରେ ଉନ୍ନତି ଆଣିବା ଆବଶ୍ୟକ ବୋଲି କମିସନର କହିଥିଲେ। ଏହି ଅବସରରେ ପୁଲିସ ସେବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଏସ୍‌ଆଇ ସନ୍ତୋଷିନୀ ବେହେରା, ବଂଶୀଧର ବେହେରା, ଏଏସ୍‌ଆଇ ଶିଶିର ସେଠୀ, ଶିଶିରକାନ୍ତ ସାହାଣୀ, ହାବିଲ୍‌ଦାର ବିଶ୍ବରଂଜନ ଦାସ, ଦିଲ୍ଲୀପ କୁମାର ଚୌଧୁରୀ, ଏପିଆର୍‌ ନିରଂଜନ ସାହୁ, ସାଜନ ଦିବ୍ୟଦର୍ଶନ ଜେନା, ଓଆର୍‌ସି ଦୈତାରୀ ବଦ୍ରା, ଶରତ କୁମାର ବିଶ୍ବାଳ, ଟ୍ରାଫିକ୍‌ର ପୁଷ୍ପଲତା ଭୋଇ, ସୁନୀଲ କୁମାର ସେଠ, ଓଏସ୍‌ଏପି ୭ମ ବାଟାଲିୟନର ଡେପୁଟି ସୁବେଦାର ମଧୁସୂଦନ ଦାସ, ଏସ୍‌କେ ସନାଉଲ୍ଲା ତାରଫଦାର, ହୋମ୍‌ଗାର୍ଡ ଚନ୍ଦ୍ରମଣି ସାହୁ, ନରେଶ ରାଉତ, ହାବିଲ୍‌ଦାର  ଟି. ମୋହନ ରାଓ, ଦେବେନ୍ଦ୍ର ଜେନା, ଦେବଦତ୍ତ ଦାଶ, ହୃଦୟରଞ୍ଜନ ସିଂ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ବର ଡିସିପି ଅନୁପ ସାହୁ, କଟକ ଡିସିପି ଅଖିଳେଶ୍ବର ସିଂଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀ, ଜୋନ୍‌ ଏସିପି, ଥାନା ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର