ନବମ ଫିଲ୍ମ ଫେୟାର ଆୱାର୍ଡ: ଖୁବ୍‌ ହସାଇଲେ ଜନି ଲିବର

ଉନ୍ମୋଚିତ ହେଲା ‘ଓଡ଼ିଆ ଫିଲ୍ମ ଫେୟାର ମାଗାଜିନ’

ଭୁବନେଶ୍ବର: ବଲିଉଡ୍ କମେଡି ସୁପରଷ୍ଟାର ଜନି ଲିବରଙ୍କ କମେଡି ଦର୍ଶକଙ୍କୁ ଖୁବ୍‌ ହସାଉଥିଲା। ଲଗାତାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କ ନନ୍‌ଷ୍ଟପ୍‌ କମେଡିରେ ଦର୍ଶକମାନେ ହସି ହସି ବେଦମ୍‌ ହୋଇଥିଲେ। ଏହାସହ କନ୍ୟାରତ୍ନ-ଯତ୍ନର ବାର୍ତ୍ତା ସହ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା। ଅବସର‌ ଥିଲା ନବମ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡର। ‘ହ୍ବାଇଟ୍‌ କାନ୍‌ଭାସ୍‌’ ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ୨୫ଜଣ କଳାକାରଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସତ୍ୟଜିତ ମହାନ୍ତି, ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଏସ୍‌.ଏନ୍‌.ଏମ୍‌ର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଓ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଦୁଭୂଷଣ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ମିସ୍‌ ଏସିଆ ପାସିଫିକ୍‌ ତଥା ଜାତୀୟସ୍ତରୀୟ ସୁପରିଚିତ ମଡେଲ ନିବେଦିତା ବିଶ୍ବାଳ ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ‘ଗୋଲ୍‌ଡେନ୍‌ ଲେଡି (ଓଫାର ଟ୍ରଫି)’କୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ତାଙ୍କୁ ନଗଦ ୨୫ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ତାଙ୍କ ଚଳଚ୍ଚିତ୍ର ଯାତ୍ରାକୁ ନେଇ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ (ଓଫା)ର ସଭାପତି ବାପୁ ଲେଙ୍କାଙ୍କ ନିର୍ମିତ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପୁରସ୍କାର ପାଇବା ଅବସରରେ ଶ୍ରୀ ମହାନ୍ତି କହିଲେ, ଜୀବନବ୍ୟାପୀ ସାଧନା ସମ୍ମାନ ଅର୍ଥ କଳାରୁ ଅବସର ନେବା। ଭବିଷ୍ୟତ ପିଢ଼ିଙ୍କୁ ସୁଯୋଗ ଦେବା। ଦେଖାଯାଉ ଆଗକୁ କ’ଣ ହେଉଛି। ମୁଁ କିନ୍ତୁ ମୋ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଅଭିନୟ କରି ଚାଲିଥିବି ବୋଲି ଶ୍ରୀ ମହାନ୍ତି କହିଥିଲେ।

ଉତ୍ତମ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ
ବାବୁସାନ୍‌ ଶ୍ରେଷ୍ଠ ଅଭିନେତା
ଶିବାନୀ ସଂଗୀତା ଶ୍ରେଷ୍ଠ ଅଭିନେତ୍ରୀ
‘ପ୍ରେମ୍‌ କୁମାର’ ଶ୍ରେଷ୍ଠ ଚଳଚ୍ଚିତ୍ର

ଏହି ଅବସରରେ ବାବୁସାନଙ୍କୁ ଶ୍ରେଷ୍ଠ ଅଭିନେତା, ଶିବାନୀ ସଂଗୀତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ, ବୁଦ୍ଧାଦିତ୍ୟଙ୍କୁ ଚରିତ୍ର ଅଭିନେତା, ପ୍ରତିଭା ପଣ୍ଡାଙ୍କୁ ଚରିତ୍ର ଅଭିନେତ୍ରୀ, ‘ପ୍ରେମ୍‌ କୁମାର’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଚଳଚ୍ଚିତ୍ର, ପ୍ରେମ୍‌ ଆନନ୍ଦ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ‌ ଓ ସ୍ବୟଂ ପ୍ରକାଶ ପାଢ଼ୀଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ‘ଓଡ଼ିଆ ଫିଲ୍ମ ଫେୟାର ମାଗାଜିନ୍‌’‌ ଲୋକାର୍ପିତ ହୋଇଛି। ଏହି ମାଗା‌ଜିନ୍‌ର ବ୍ରାଣ୍ଡ ଆମ୍ବାସଡର୍‌ ଅଭିନେତା ଶୁଭା‌ଶିଷ, ଅଭିନେତ୍ରୀ ସ୍ବପ୍ନାଙ୍କ ସହ ଏସ୍‌.ଏମ୍‌.ଏନ୍‌ର ନିର୍ଦ୍ଦେଶିକା ସୋମା ମହା‌ନ୍ତି, ଦୀପ୍ତି ମହାନ୍ତି ଓ ମିନତି ମହାନ୍ତି ପ୍ରମୁଖ ଲୋକାର୍ପଣ ଉତ୍ସବରେ ଉପସ୍ଥିତ ଥିଲେ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କର୍କଟ ପୀଡ଼ିତ ଶିଶୁମାନଙ୍କ ଆର୍ଥିକ ସହଯୋଗ ପାଇଁ ଓଫା ପକ୍ଷରୁ ୫୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମକୁ ଓଫାର ଅଧ୍ୟକ୍ଷ ଉଲ୍ଲାସ ଚନ୍ଦ୍ର ବେହୁରା, ନିର୍ଦ୍ଦେଶକ ସ୍ମୃତିଶିକ୍ତ ସାମନ୍ତରାୟ ଓ ଆବାହକ ମନୋଜ କୁମାର ଦାଶ ପ୍ରମୁଖ ପରିଚାଳନା କରିଥିଲେ।

ମଞ୍ଚ ତଳେ ଅପ୍ରୀତିକର ପରିବେଶ
ମଞ୍ଚ ଉପରେ ଚାଲିଥିଲା ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ ଓ ତାଙ୍କ ଦଳର କନ୍ୟାରତ୍ନକୁ ନେଇ ବାର୍ତ୍ତା ବହନ କରୁଥିବା ନୃତ୍ୟ। ଦର୍ଶକ ବି ବିଭୋର୍‌ ଥିଲେ ଏହି ଓଡ଼ିଶୀ ଫ୍ୟୁଜନ୍‌ ନୃତ୍ୟରେ। ନୃତ୍ୟ ସରିଲା। ମଞ୍ଚକୁ ଆସିଲେ ମିସ୍‌ ଏସିଆ ପାସିଫିକ୍‌ ନିବେଦିତା ବିଶ୍ବାଳ। ଗୋଲ୍‌ଡେନ୍‌ ଲେଡି ଲୋକାର୍ପିତ ଅବସରରେ ଷ୍ଟେଜ୍‌ ଚାରି ପଟୁ ଫୁଟିଥିଲା ପାର୍ଟି ପପର୍‌ ଓ ବାଣ। ତେବେ ବାଣ ହଠାତ୍‌ ଦର୍ଶକ ଗ୍ୟାଲେରି ଆଡ଼କୁ ମୁହାଁଇଥିଲା। ହଠାତ୍‌ ନିଆଁ ଦେଖି ଲୋକମାନେ ଚାରିଆଡ଼କୁ ଦୌଡ଼ିବାକୁ ଲାଗିଲେ ଓ କିଛି ସମୟ ପର୍ଯ୍ୟନ୍ତ ମଞ୍ଚ ତଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର